ବିଧାନସଭା ସଂଖ୍ୟାଲଘୁ ଭାଷାଭାଷୀ ଗୃହ କମିଟିର ପ୍ରଥମ ବୈଠକ

ପଡ଼ୋଶୀ ରାଜ୍ୟରେ ଓଡ଼ିଆ ଭାଷା ସଂସ୍କୃତିର ସୁରକ୍ଷା ପାଇଁ ସବ୍ କମିଟି ଗଠନ

ଭୁବନେଶ୍ୱର : ପଡ଼ୋଶୀ ରାଜ୍ୟଗୁଡ଼ିକରେ ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ବିଧାନସଭା ଗୃହ କମିଟି ଅଧିନରେ ଗଠନ ହୋଇଛି ସବ୍‌କମିଟି । ଏହି ସବ୍‌କମିଟି ପଡ଼ୋଶୀ ରାଜ୍ୟରେ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବେ । ସେହି ରିପୋର୍ଟ ଅଧାରରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବାଚସ୍ପତି ବିକ୍ରମ କେଶରୀ ଆରୁଖ କହିଛନ୍ତି । ମଙ୍ଗଳବାର ପୂର୍ବାହ୍ନରେ ଓଡ଼ିଶା ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ପ୍ରଦେଶର ଉପାନ୍ତ ଅଞ୍ଚଳ ଏବଂ ଅନ୍ୟାନ୍ୟ ଓଡ଼ିଆଭାଷୀ ଅଞ୍ଚଳରେ ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ଓ ପ୍ରଚାରପ୍ରସାର ନିମନ୍ତେ ସଂଖ୍ୟାଲଘୁ ଭାଷାଭାଷୀ ଗୃହ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ପଦକ୍ଷେପ ନେଇ ଏହି ବୈଠକରେ ଆଲୋଚନା ହୋଇଯାଇଛି । କମିଟିର ସଦସ୍ୟମାନେ ବୈଠକରେ ପଡ଼ୋଶୀ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଭାଷା-ସଂସ୍କୃତିର ସୁରକ୍ଷା ଦିଗରେ ରହିଥିବା ସମସ୍ୟାଗୁଡ଼ିକ ବାବଦରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏହାର ପ୍ରତିକାର ପାଇଁ ସ୍ୱତନ୍ତ୍ର ଧ୍ୟାନଦେବା ନିମନ୍ତେ କମିଟିକୁ କହିଥିଲେ । ତେବେ ବାଚସ୍ପତିଙ୍କ ନିର୍ଦ୍ଦେଶରେ ପଡ଼ୋଶୀ ରାଜ୍ୟମାନଙ୍କୁ ଗସ୍ତ କରି ସେଠାରେ ବସବାସ କରୁଥିବା ସଂଖ୍ୟାଲଘୁ ଓଡ଼ିଆଙ୍କ ସମସ୍ୟା ଅନୁଧ୍ୟାନ ସହ ତା’ର ପ୍ରତିକାର ପାଇଁ ମୁଖ୍ୟ କମିଟିକୁ ସୁପାରିଶ କରିବା ନିମନ୍ତେ ସବ୍‌କମିଟି ଗଠନ କରାଯାଇଛି ।
ଅନ୍ୟପକ୍ଷରେ ପଡ଼ୋଶୀ ରାଜ୍ୟଗୁଡ଼ିକରେ ଆମ ଶିକ୍ଷା-ସଂସ୍କୃତିର ସୁରକ୍ଷା ପାଇଁ କାର୍ଯ୍ୟରତ ଅନୁଷ୍ଠାନଗୁଡ଼ିକ ସାମ୍‌ନା କରୁଥିବା ସମସ୍ୟାର ପ୍ରତିକାର ବ୍ୟବସ୍ଥା କରିବା ସହ ସଂପୃକ୍ତ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷଙ୍କ ପ୍ରୋତ୍ସାହନକୁ ଗୁରୁତ୍ୱ ଦେଇ କାର୍ଯ୍ୟକରିବା ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ରାଜ୍ୟ ସଂସ୍କୃତି ବିଭାଗକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ଆରୁଖ କହିଛନ୍ତି ଯେ, ସଂପୃକ୍ତ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ସେସବୁ ସ୍ଥାନକୁ ପଠାଇ ସ୍ଥିତି ଅନୁଧ୍ୟାନ ସହ ସମସ୍ୟାର ସମାଧାନ ପାଇଁ ବିହିତ ପଦକ୍ଷେପ ନେବାକୁ ହେବ । ଉକ୍ତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଉପବାଚସ୍ପତି ରଜନୀକାନ୍ତ ସିଂ, ପୂର୍ତ୍ତ, ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ସମେତ ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ, ବଦ୍ରିନାରାୟଣ ପାତ୍ର, ଭାସ୍କର ମଢ଼େଇ, ସାଲୁଗା ପ୍ରଧାନ, ନିତ୍ୟାନନ୍ଦ ଗଣ୍ଡ, ଲତିକା ପ୍ରଧାନ ଓ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ରାଜ୍ୟ ବିଦ୍ୟାଳୟ ଓ ଗଣଣିକ୍ଷା ସଚିବ ଅଶ୍ୱତୀ ଏସ୍‌, ରାଜ୍ୟ ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ବିଧାନସଭା ସଚିବ ଦାଶରଥୀ ଶତପଥୀ, ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published.

Back to top button