ରାଜ୍ୟରେ ପ୍ରଥମ ଘଟଣା : ହାତରେ ଲାଗିଲା ଗୋଡ ଆଙ୍ଗୁଠି

ଭୁବନେଶ୍ୱର: ଜଣେ ୨୫ ବର୍ଷୀୟ ଯୁବକଙ୍କ ହାତରେ ଲାଗିଲା ଗୋଡ ଆଙ୍ଗୁଠି । ଯୁବକଙ୍କ ଡାହାଣ ହାତର ବୁଢା ଆଙ୍ଗୁଠୀ ଆବଶ୍ୟକଠାରୁ ଛୋଟ ରହିଥିଲା । ତେଣୁ ତାଙ୍କୁ ବିଭିନ୍ନ କାମ କରିବାରେ ସମସ୍ୟା ହେଉଥିଲା । ଏ ନେଇ ଯୁବକଙ୍କ ପରିବାର ଲୋକ ଚିନ୍ତାରେ ରହିଥିଲେ । ଏହି ସମସ୍ୟାକୁ ନେଇ ପରିବାର ଲୋକ ଏସସିବି ଯାଇଥିଲେ । ପ୍ଲାଷ୍ଟିକ ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ବିଭୂତି ଭୂଷଣ ନାୟକଙ୍କ ସହ ଏନେଇ ଆଲୋଚନା କରିଥିଲେ । ଅପରେସନ୍ ପାଇଁ ଗୋଡର ଗୋଟିଏ ଆଙ୍ଗୁଠିକୁ କାଟିବାକୁ ପଡ଼ିବ ବୋଲି କହିଥିଲେ ଡାକ୍ତର । ଗୋଡର ବୁଢା ଆଙ୍ଗୁଠି ପାଖ ଆଙ୍ଗୁଠିକୁ କଟାଯାଇ ତାହାକୁ ଯୁବକଙ୍କ ହାତର ବୁଢା ଆଙ୍ଗୁଠି କରାଯାଇଥିଲା । ଦୀର୍ଘ ସମୟ ଧରି ଅପରେସନ୍ କରିବା ପରେ ଯୋଡି ହୋଇଛି କି ନାହିଁ ତାହା ଜାଣିବା ପାଇଁ ରୋଗୀଙ୍କୁ ନିରୀକ୍ଷଣରେ ରଖାଯାଇଥିଲା । ପ୍ଲାଷ୍ଟିକ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ବିଭୂତି ଭୂଷଣ ନାୟକଙ୍କ ନେତୃତ୍ୱରେ ୮ ଜଣିଆ ଡାକ୍ତରୀ ଟିମ୍ ଏହି ବିରଳ ଅସ୍ତ୍ରୋପ୍ରଚାର କରିଥିଲେ । ଏଭଳି ଅପରେସନ ରାଜ୍ୟରେ ପ୍ରଥମ ବୋଲି ପ୍ଲାଷ୍ଟିକ ସର୍ଜରୀ ବିଭାଗ ପକ୍ଷରୁ କୁହାଯାଇଛି ।