ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତାକୁ ଓହ୍ଲାଇଲେ ଚାଷୀ, ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାନ ଢ଼ାଳି କଲେ ପ୍ରତିବାଦ

ଭୁବନେଶ୍ବର :  କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ଢ଼ାଳି, ରାସ୍ତା ଉପରେ ଶୋଇ ବିକ୍ଷୋଭ ପ୍ରଦର୍ଶନ କଲେ ଚାଷୀ । ଧାନ ସଂଗ୍ରହରେ ଅନିୟମିତତା, କଟନି, ଛଟନି ଓ ମିଲ୍ ମାଲିକଙ୍କ ମନମାନି ପ୍ରତିବାଦରେ ନବ ନିର୍ମାଣ କୃଷକ ସଙ୍ଗଠନର ଚାଷୀ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ଢାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଫଆଇକ୍ୟୁ ମାନ ଦର୍ଶାଇ ଜିଲ୍ଲାର ପାଟଣା ଠାରୁ ଆରମ୍ଭ କରି ତେଲକୋଇ, ହରିଚନ୍ଦନପୁର ଯାଏ ସମସ୍ତ ମଣ୍ଡିରେ ୪ ରୁ ୫ କେଜି ଧାନ କଟାଯାଉଥିବା ଅଭିଯୋଗ ହୋଇଛି । ଚାଷୀମାନଙ୍କୁ ଅଖା ଟଙ୍କା ମିଳୁ ନଥିବା ମଧ୍ୟ ଅଭିଯୋଗ କରିଛନ୍ତି ଚାଷୀ । ଏଥିସହଚାଷୀ ଉତ୍ପାଦନ କରୁଥିବା ସମସ୍ତ ଧାନ ସରକାର କିଣିବା ସହିତ ଏହାର ଉପଯୁକ୍ତ ମୂଲ୍ୟ ପ୍ରଦାନ କରିବାକୁ ଦାବି କରିଛନ୍ତି ଚାଷୀ । ଏଥିପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଚାଷୀ ସେମାନଙ୍କ ଧାନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଢ଼ାଳିବା ସହ ରାସ୍ତା ଉପରେ ଶୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେହିପରି ଖୋର୍ଦ୍ଧା ଜିଲାରେ ମଧ୍ୟ ପୁଣିଥରେ ରାସ୍ତାକୁ ଓହ୍ଲାଇଲେ ଚାଷୀ। ଧାନବସ୍ତା ପକାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଗେଟ ବନ୍ଦ କଲେ ଚାଷୀମାନଙ୍କ ସହିତ ନବନିର୍ମାଣ କୃଷକ ସଙ୍ଗଠନ। ଧାନମଣ୍ଡିରେ ପ୍ରତି କୁଇଣ୍ଟାଲରେ ୫ରୁ ୭ କିଲୋ ଧାନ କଟାଯାଉଥିବା ନେଇ ବାରମ୍ବାର ଅଭିଯୋଗ କଲାପରେ ମଧ୍ଯ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରି ଆଜି ଏଭଳି ପଦକ୍ଷେପ ନିଆଯାଇଥିବା ସଙ୍ଗଠନ ପକ୍ଷରୁ କୁହାଯାଇଛି। ଚାଷୀମାନେ ଆଜି ଏକ ଗାଡିରେ ଧାନ ବୋଝେଇକରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସୁଥିବାବେଳେ ପୋଲିସ ଅଟକାଇବାରୁ ପୋଲିସ ସହିତ ସେମାନଙ୍କର ଠେଲାପେଲା ହୋଇଥିଲା । ଏହାପରେ ଧାନବସ୍ତା ଆଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଫାଟକ ସମ୍ମୁଖରେ ରଖି ଚାଷୀମାନେ ଧାରଣା ଦେଇଥିଲେ। ସମାନ ପରିସ୍ଥିତି ମଧ୍ୟ ଭଦ୍ରକରେ ଦେଖିବାକୁ ମିକିଛି। ଚଳିତ ବର୍ଷ ଭଦ୍ରକ ଜିଲ୍ଲାରେ ଧାନ ମଣ୍ଡିରେ କଟଣୀ ଛଟଣୀ ଜୋରଦାର ଭାବେ ହେଉଛି। ଅଭିଯୋଗ କଲେ କେହି ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି। ତେଣୁ ତାର ପ୍ରତିବାଦ ରେ ନବ ନିର୍ମାଣ କୃଷକ ସଂଗଠନ ନେତୃତ୍ୱ ରେ ଚାଷୀ ମାନେ ଧାନ ବସ୍ତା ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାରଣା ଦେଇଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ଚଳିତ ବର୍ଷ ଧାନ କିଣାରେ କଟଣୀ ଛଟଣୀ ହେବ ନାହିଁ ବୋଲି କୁହାଯାଇଥିଲା। କିନ୍ତୁ ଚାଷୀ ମାନେ ମଣ୍ଡି କୁ ଧାନ ନେଇ ଗଲା ବେଳକୁ କୁଇଣ୍ଟାଲ ପିଛା 7/8କିଲୋ ଧାନ କାଟି ଦିଆ ଯାଉଛି। ଫଳରେ ବହୁ କଷ୍ଟରେ ଧାନ ଅମଳ କରିଥିବା ଚାଷୀ ଲସରେ ପଡୁଛି। ଲାଭ କିଛି ପାଉ ନାହିଁ। ମଣ୍ଡିରେ ମିଲର ମାନେ ଠିକ ସମୟ ରେ ଧାନ ଉଠାଉ ନାହାନ୍ତି। ଏ ବିଷୟ ରେ ଜିଲ୍ଲା ଯୋଗାଣ ବିଭାଗ ପାଖରେ ଅଭିଯୋଗ କଲେ ସେମାନେ ମଧ୍ୟ କିଛି ବୁଝୁ ନାହାନ୍ତି। ଜିଲ୍ଲାପାଳଙ୍କୁ ବାରମ୍ବାର ଚାଷୀ ଗୁହାରି କରୁଥିଲେ ମଧ୍ୟ କିଛି ପଦକ୍ଷେପ ନିଆ ଯାଉ ନାହିଁ। ତେଣୁ ଚାଷୀ ମାନେ ଅଭିନଵ ଉପାୟ ରେ ଧାନ ବସ୍ତା ଆଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଢାଳି ଧାରଣା ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button