ପ୍ରକୃତି ଅନୁକୂଳ ଜୀବନଶୈଳୀ ଭାରତୀୟ ସଂସ୍କୃତିର ବୈଶିଷ୍ଟ୍ୟ: ରାଷ୍ଟ୍ରପତି

ଭୁବନେଶ୍ୱର : ‘ପ୍ରକୃତି ଅନୁକୂଳ ଜୀବନଶୈଳୀ ଭାରତୀୟ ସଂସ୍କୃତିର ଏକ ବିଶେଷତ୍ୱ। ଏହା ମଧ୍ୟ ଆଦିବାସୀ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଆଦିବାସୀ ଭାଇ ଓ ଭଉଣୀମାନେ ଜଙ୍ଗଲ, ବୃକ୍ଷ ଆଦିକୁ ଦେବତା ଭାବେ ପୂଜା କରିଥାନ୍ତି। ଆଦିବାସୀଙ୍କ ବିଶ୍ୱାସ ଅନୁଯାୟୀ, ସେମାନଙ୍କ ପୂର୍ବପୁରୁଷଙ୍କ ଆତ୍ମା ଜଙ୍ଗଲରେ ବାସ କରନ୍ତି। ଏହି ବିଶ୍ୱାସ, ଜଙ୍ଗଲ ସୁରକ୍ଷାର ମହାନ ମନ୍ତ୍ର।’ ସୋମବାର ଦୁଇ ଦିନିଆ ଓଡ଼ିଶାଗସ୍ତରେ ଆସି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହା କହିଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସୋମବାର ପ୍ରଥମେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ନୟାଗଡ଼ର କଣ୍ଟିଲୋ ଅଭିମୁଖେ ଯାତ୍ରା କରିଥିଲେ। ସେଠାରେ ପ୍ରଭୁ ଶ୍ରୀ ନୀଳମାଧବ ମନ୍ଦିରରେ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ। ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ହରିବାବୁ କୁମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣମାଝୀ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧ୍ୟ ମନ୍ଦିର ପରିଦର୍ଶନ କରିଥିଲେ । ଏହାପରେ ରାଷ୍ଟ୍ରପତି କାଳିଆପଲ୍ଲୀ ଠାରେ ଭାରତୀୟ ବିଶ୍ୱାବସୁ ଶବର ସମାଜର ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇଥିଲେ। କାଳିଆପଲ୍ଲୀ ଠାରେ ଆୟୋଜିତ ସଭାରେ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି କହିଥିଲେ ଯେ ଏହି ଅଞ୍ଚଳର ଚମତ୍କାର ଦୃଶ୍ୟ ଅତ୍ୟନ୍ତ ଆକର୍ଷଣୀୟ। ଏଠାରେ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ବିକଶିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀମାନଙ୍କୁ ଆକର୍ଷିତ କରିବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ଅର୍ଥବ୍ୟବସ୍ଥାକୁ ମଧ୍ୟ ପ୍ରୋତ୍ସାହନ ମିଳିବ। ଏହି ସ୍ଥାନ ଏବଂ ଅଞ୍ଚଳର ବିକାଶରେ ଯୋଗଦାନ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ କୃଷି, ହସ୍ତଶିଳ୍ପ, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ରରେ ନୟାଗଡ଼ର ସମ୍ଭାବନାକୁ ସାକାର ରୂପ ଦେବା ପାଇଁ ସମସ୍ତେ ଆଗକୁ ଆସିବା ଉଚିତ। ଏହାଛଡ଼ା ସେ କହିଥିଲେ ଯେ ଆଦିବାସୀ ଭାଇ ଓ ଭଉଣୀମାନଙ୍କ କଳା ଓ ସଂସ୍କୃତିର ସଂରକ୍ଷଣ ଏବଂ ପ୍ରୋତ୍ସାହନ ସହିତ ସେମାନଙ୍କ ସଶକ୍ତିକରଣ ଓ ଆତ୍ମନିର୍ଭରଶୀଳତା ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କଲ୍ୟାଣମୂଳକ ଯୋଜନା ବିଷୟରେ ସଚେତନ ହେବା ଏବଂ ସେଗୁଡ଼ିକର ଲାଭ ଉଠାଇବା ପାଇଁ ରାଷ୍ଟ୍ରପତି ସେମାନଙ୍କୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ ଲୋକମାନଙ୍କର ସହଯୋଗ ଏବଂ ଭାଗିଦାରୀ ଦ୍ୱାରା ସରକାରୀ ଯୋଜନାଗୁଡ଼ିକ ସଫଳ ହୋଇପାରିବ। ସମାବେଶରେ ରାଜ୍ୟପାଳ ହରିବାବୁ କୁମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ, ବଡ଼ମ୍ବା ବିଧାୟକ ବିଜୟ ଦଳବେହେରା, ଶବର ସମାଜ ପ୍ରତିଷ୍ଠାନର ସଭାପତି ହୃଷିକେଶ ଦେହୁରୀ, ସଂପାଦକ ବୈଷ୍ଟବ ଦେହୁରୀ ଓ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶ ଯେ, ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆଜି ଠିକ୍ ଅପରାହ୍ଣ ୨ ଘଣ୍ଟା ୧୫ ମିନିଟରେ ହେଲିକପ୍ଟରରୁ କଣ୍ଟିଲୋ ପଲଟନ ପଡ଼ିଆରେ ଅବତରଣ କରିଥିଲେ। ଏହାପରେ ନିର୍ମାଣ ହୋଇଥିବା କାରକେଟ ବାହାର ପାର୍ଶ୍ୱରେ ଖରାରେ ଛିଡ଼ା ହୋଇଥିବା ଜନସାଧାରଣଙ୍କୁ ଚାଲି ଚାଲି ହାତ ହଲେଇ ନମସ୍କାର ଜଣାଇଥିଲେ। ଏହା ପରେ ରାଷ୍ଟ୍ରପତି ପୂର୍ତ୍ତ ବିଭାଗ ଡାକ ବଙ୍ଗଳାକୁ ଆସି ମାତ୍ର ଅଳ୍ପ ସମୟ ରହଣି ପରେ କଣ୍ଟିଲୋ ମେଡିକାଲ ଛକ, ମୁଖ୍ୟ ବଜାର ଓ ତାରେଣି ଛକ ରାସ୍ତାରେ ଶ୍ରୀ ଜିଉଙ୍କ ପଶ୍ଚିମ ଦ୍ୱାର ପାବଛ ନିକଟରେ ନୂତନ ଭାବେ ନିର୍ମାଣ ହୋଇ ଥିବା ଲିଫ୍ଟରେ ମନ୍ଦିର ଉପରକୁ ଯାଇଥିଲେ। ଜଗନ୍ନାଥଙ୍କ ଆଦି ପୀଠ କଣ୍ଟିଲୋରେ ବିରାଜିତ ପ୍ରଭୁ ଶ୍ରୀ ନୀଳମାଧବଙ୍କୁ ବ୍ରାହ୍ମଣ ସମାଜ ସଭାପତି, ସମ୍ପାଦକ ଓ ବରିଷ୍ଠ ସେବାୟତମାନେ ଶୃଙ୍ଖଳାର ସହ ରାଷ୍ଟ୍ରପତିଙ୍କ ସହିତ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ବାଚସ୍ପତି ଓ ବିଧାୟକଙ୍କୁ ଦର୍ଶନ କରାଇଥିଲେ। ବ୍ରାହ୍ମଣ ସମାଜ ତରଫରୁ ପିତ୍ତଳ ନିର୍ମିତ ନୀଳମାଧବ ମୂର୍ତ୍ତି ଓ ଏକ ସୁନ୍ଦର “ପାଟ୍ଟ’ ରାଷ୍ଟ୍ରପତିଙ୍କୁ ଉପହାର ଦିଆଯାଇଥିଲା। ଏହା ପରେ ବ୍ରାହ୍ମଣ ସମାଜ ତରଫରୁ ମନ୍ଦିର ସୁରକ୍ଷା, ଅରୁଣ ସ୍ତମ୍ବ ଦୋହଲୁ ଥିବା ସମ୍ପର୍କେ ଓ ସେବାୟତମାନଙ୍କ ଭବିଷ୍ୟତ ସମ୍ପର୍କେ ୩ଟି ମାନପତ୍ର ରାଷ୍ଟ୍ରପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ପରେ ରାଷ୍ଟ୍ରପତି ଲିଫ୍ଟ ଯୋଗେ ତଳକୁ ଆସି ସେଠାରୁ ସିଧା ନୀଳମାଧବଙ୍କ ପ୍ରଥମ ପୂଜକ ଶବର ରାଜା ବିଶ୍ୱାବସୁଙ୍କ ଶବର ପଲ୍ଲୀ ଗ୍ରାମ କାଳିଆ ପଲ୍ଲୀକୁ ଆସି ଶବର ରାଜା ବିଶ୍ୱାବସୁଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ଯଜ୍ଞ ସ୍ଥଳକୁ ଯାଇ ଯଜ୍ଞ କୁଣ୍ଡରେ ପୂର୍ଣ୍ଣାହୁତି ଦେଇ ଭାରତୀୟ ବିଶ୍ୱାବସୁ ଶବର ପ୍ରତିଷ୍ଠା ଦିବସ ଉତ୍ସବକୁ ଉଦଘାଟନ କରିଥିଲେ। ଏହା ପରେ ସଭା ସ୍ଥଳରେ ପହଞ୍ଚି ଉପସ୍ଥିତ ହଜାର ହଜାର ସାଧାରଣ ଜନତା, ଛାତ୍ର ଛାତ୍ରୀ ଓ ବରିଷ୍ଠ ନାଗରିକମାନଙ୍କୁ ଉଦବୋଧନ ଦେଇଥିଲେ। ଶେଷରେ ଶବର ସମାଜ ପକ୍ଷରୁ ଆୟୋଜିତ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ଉତ୍ସବରେ ରାଷ୍ଟ୍ରପତି ପୂର୍ଣ୍ଣାହୁତି ଦେବା ପରେ ଅପରାହ୍ଣ ୫ଟାରେ ପଲଟନ ପଡ଼ିଆରୁ ଏକ ସ୍ୱତନ୍ତ୍ର ହେଲିକ୍ୟାପଟର ଯୋଗେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button