ନାଟ୍ୟବିତ୍ ମିହିର ମେହେର ସମ୍ବର୍ଦ୍ଧିତ: ଭଦ୍ରକରେ ରାଜ୍ୟସ୍ତରୀୟ ନାଟ୍ୟ ଉତ୍ସବ ଉଦଯାପିତ

ଭଦ୍ରକ: ଭଦ୍ରକ ସହରରେ ଆୟୋଜିତ ରାଜ୍ୟସ୍ତରୀୟ ନାଟ୍ୟ ଉତ୍ସବ ଅତ୍ୟନ୍ତ ଆଡମ୍ବର ସହକାରେ ଉଦଯାପିତ ହୋଇଯାଇଛି। ଏହି ଉତ୍ସବର ଉଦଯାପନୀ ସନ୍ଧ୍ୟାରେ ଓଡ଼ିଶାର ଜଣାଶୁଣା ନାଟ୍ୟବିତ୍ ମିହିର ମେହେରଙ୍କୁ ତାଙ୍କର ନିରବଚ୍ଛିନ୍ନ ନାଟ୍ୟ ସାଧନା ଏବଂ କଳା ସଂସ୍କୃତି ପ୍ରତି ଥିବା ଅନନ୍ୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଛି। ପ୍ରତିଷ୍ଠିତ ସାଂସ୍କୃତିକ ଅନୁଷ୍ଠାନ ‘ନଟରାଜ କଳା ସାଂସ୍କୃତିକ ଅନୁଷ୍ଠାନ’ ପକ୍ଷରୁ ଆୟୋଜିତ ଏହି ଭବ୍ୟ ସମାରୋହରେ ଶ୍ରୀ ମେହେରଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଏବଂ ସମ୍ମାନ ସୂଚକ ମାନପତ୍ର ପ୍ରଦାନ କରାଯାଇଥିଲା।

ଏହି ଅବସରରେ ମଞ୍ଚାସୀନ ଅତିଥିମାନେ ଶ୍ରୀ ମେହେରଙ୍କ ନାଟ୍ୟ ଜୀବନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ ତାଙ୍କୁ ଜଣେ ପ୍ରତିଭାବାନ ସଂଗଠକ ଓ କଳାକାର ଭାବେ ଅଭିହିତ କରିଥିଲେ। ସମ୍ବର୍ଦ୍ଧନା ଗ୍ରହଣ କରିବା ପରେ ନାଟ୍ୟବିତ୍ ମିହିର ମେହେର ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, “ଭଦ୍ରକ ଭଳି ଏକ ସାରସ୍ୱତ ତଥା ସାଂସ୍କୃତିକ ପୀଠରେ ନଟରାଜ କଳା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ମିଳିଥିବା ଏହି ସମ୍ମାନ ମୋ ପାଇଁ ଅତ୍ୟନ୍ତ ଗର୍ବର ବିଷୟ। ଏଥିପାଇଁ ମୁଁ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି।” ଉକ୍ତ ଉତ୍ସବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ବିଶିଷ୍ଟ ନାଟ୍ୟବ୍ୟକ୍ତିତ୍ୱ, କଳାକାର ଏବଂ କଳାପ୍ରେମୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button