ରାଷ୍ଟ୍ରପତିଙ୍କୁ ଅସମ୍ମାନ, ତାତିଲା ବିଜେପି
ଭୁବନେଶ୍ୱର: ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ନେଇ ଟିଏମ୍ସି ମନ୍ତ୍ରୀ ଅଖିଳ ଗିରିଙ୍କ ହୀନ ମନ୍ତବ୍ୟ ମମତା ବାନାର୍ଜୀଙ୍କ ମହିଳା ସଶକ୍ତିକରଣ ନାଁରେ ନାରୀଶକ୍ତିକୁ ଅବମାନନାର ଚରମ ନିଦ୍ଦର୍ଶନ । ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀର ଅସମ୍ମାନ ଦେଶଦ୍ରୋହଠାରୁ କୌଣସି ମାତ୍ରାରେ କମ୍ ନୁହେଁ । ଦେଶର ଜଣେ ଗୌରବମୟୀ ଆଦିବାସୀ ମହିଳା ଦେଶର ରାଷ୍ଟ୍ରପତି ହେବା ସେମାନଙ୍କର ସହ୍ୟ ହେଉନାହିଁ । ଏହା ଏକ ଦଣ୍ଡନୀୟ ଏବଂ ଅକ୍ଷ୍ୟମଣୀୟ ଅପରାଧ ବୋଲି ବିଜେପି କହିଛି ।
ଶନିବାର ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ଏଭଳି ଅତ୍ୟନ୍ତ ଘୃଣ୍ଣ୍ୟ ଓ ନିନ୍ଦନୀୟ ଆଚରଣ ପାଇଁ ଶ୍ରୀ ଗିରିଙ୍କ ଉପରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ମନ୍ତ୍ରୀପଦରୁ ତୁରନ୍ତ ବହିଷ୍କାର କରାଯାଇ ଗିରଫ କରାଯାଉ । ଜଣେ ମହିଳା, ଆଦିବାସୀ ରାଷ୍ଟ୍ରପତିଙ୍କ ଉପରେ ଟିପ୍ପଣୀ ଦେବା ସଭ୍ୟ ସମାଜ ଓ ଗଣତନ୍ତ୍ରରେ ଗ୍ରହଣୀୟ ନୁହେଁ । ଟିଏମ୍ସି ମନ୍ତ୍ରୀ ଅଖିଳ ଗିରିଙ୍କର ଏହି ଅଶାଳୀନ ମନ୍ତବ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଦଳକୁ ମହିଳା, ଜନଜାତି ବିରୋଧୀ ପ୍ରମାଣିତ କରିଛି । ରାଷ୍ଟ୍ରପତି ହେଉଛନ୍ତି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଏବଂ କୌଣସି ବ୍ୟକ୍ତି ବିଶେଷ ସହ ତୁଳନା କରିବା ଅନୁଚିତ ଏବଂ ଅଶୋଭନୀୟ । ଏହି ପଦବୀର ଗାରିମା ଅକ୍ଷୁର୍ଣ୍ଣ ରଖିବା ଦେଶର ସମସ୍ତ ନାଗରିକ ଏବଂ ରାଜନୈତିକ ଦଳମାନଙ୍କର ସାମ୍ବିଧାନିକ ଦାୟିତ୍ୱ । ଅଖିଳ ଗିରିଙ୍କ ମନ୍ତବ୍ୟ ଏହାର ପରିପନ୍ଥୀ ଏବଂ ଦେଶର଼ ୧୩୦ କୋଟି ଜନତାଙ୍କ ମନରେ ଆଘାତ ପହଂଚାଇଛି । ଦେଶର ରାଷ୍ଟ୍ରପତିଙ୍କ ଉପରେ କୌଣସି ପ୍ରକାର ପ୍ରଶ୍ନବାଚୀ, ଟିପ୍ପଣୀ ବା ଆଙ୍ଗୁଳି ନିର୍ଦ୍ଦେଶ କରିହେବ ନାହିଁ । ଏଣୁ ପଦବୀର ଗାରିବା କ୍ଷୁର୍ଣ୍ଣ କରିବାକୁ ଅପଚେଷ୍ଟା କରିଥିବା ଅଖିଳ ଗିରିଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରାଯାଉ । ଏହି ଅଶୋଭନୀୟ ଆଚରଣ ବିରୋଧରେ ସମଗ୍ର ଦେଶବାସୀ ଏବଂ ବିଭିନ୍ନ ମହଲରୁ ପ୍ରତିବାଦର ସ୍ୱର ଉଠୁଛି । ଏନେଇ ବିଜେପି ପକ୍ଷରୁ ରାଜ୍ୟ ସମସ୍ତ ଜିଲ୍ଲାରେ ଅଭିଯୁକ୍ତ ମନ୍ତ୍ରୀଙ୍କ ବିରୋଧରେ କୁଶପୂତୋଳିକା ଦାହ ସହ ପ୍ରତିବାଦ ହେବାସହ ଥାନାରେ ଏତଲା ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।