ଭୁବନେଶ୍ୱରରେ ରୋଜଗାର ମେଳାରେ ନିଯୁକ୍ତି ପତ୍ର ବାଣ୍ଟିଲେ ଧର୍ମେନ୍ଦ୍ର

‘ନବନିଯୁକ୍ତ ପ୍ରାର୍ଥୀମାନେ ଅମୃତ କାଳରେ ସୈନିକ ହୋଇ କାମ କରନ୍ତୁ’

ଭୁବନେଶ୍ୱର: ରୋଜଗାର ମେଳା ମାଧ୍ୟମରେ ନିଯୁକ୍ତି ପାଇଥିବା ଯୁବକ ଯୁବତୀମାନେ ସ୍ୱାଧୀନତା ସଂଗ୍ରାମ ସମୟର ଯୁବବର୍ଗଙ୍କ ଭଳି କାମ କରନ୍ତୁ ବୋଲି ଶୁକ୍ରବାର କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସିଏସଆଇଆର-ଆଇଏମଏମଟି ଠାରେ ଆୟୋଜିତ ରୋଜଗାର ମେଳାରେ ନିଯୁକ୍ତି ପତ୍ର ବିତରଣ କରିବା କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ଭାରତ ସରକାରଙ୍କ ବିଭିନ୍ନ ବିଭାଗରେ ୧୨୮ ଜଣ ନବନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିଥିଲେ । ନିଯୁକ୍ତି ପାଇଥିବା ଯୁବବର୍ଗଙ୍କୁ ସେ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଯେ ଗତ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶକୁ ବିକଶିତ କରିବା ପାଇଁ ଆହ୍ୱାନ ଦେଇଥିଲେ । ରୋଜଗାର ମେଳା ମାଧ୍ୟମରେ ନିଯୁକ୍ତି ପାଇଥିବା ଯୁବକ ଯୁବତୀମାନେ ଅମୃତ କାଳରେ ସୈନିକ ଭାବରେ କାମ କରନ୍ତୁ । ଦେଶର ସ୍ୱତନ୍ତ୍ରତା ସଂଗ୍ରାମ ସମୟରେ ଯୁବପିଢିଙ୍କ ଉପରେ ଯେତେ ଦାୟିତ୍ୱ ଥିଲା, ତା’ ଠାରୁ ଅଧିକ ଦାୟିତ୍ୱ ଆଜିର ନବନିଯୁକ୍ତ ଯୁବପିଢିଙ୍କ କାନ୍ଧରେ ନ୍ୟସ୍ତ ରହିଛି । ଯେତେବେଳେ ଆମେ ନିଜର ଦାୟିତ୍ୱ ନେବା ସେତେବେଳେ ତା’ର ଗୁରୁତ୍ୱ ଓ ଭୂମିକା ବୁଝିପାରିବା । କେବଳ ଚାକିରି କରିବା ମନବୃତ୍ତିରେ ନ ରହି ଯୁବପିଢିମାନେ ଉଦ୍ୟମୀ ହୁଅନ୍ତୁ । ଓଡ଼ିଶାର କୃଷି ଉତ୍ପାଦ ବିଶ୍ୱ ବଜାରରେ ପହଞ୍ଚାଇବାର ଯୋଜନା ହେଉଛି । ଓଡ଼ିଶା ଭଳି ରାଜ୍ୟରେ ବିମାନସେବା ଭିତ୍ତିଭୂମିକୁ ମଜବୁତ୍ କରାଯାଇଛି । ଭୁବନେଶ୍ୱର ଉପକଣ୍ଠରେ ପ୍ରାୟ ୧୦୦ କିମିରୁ ଊର୍ଦ୍ଧ୍ୱ ୮ ରୁ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରି କ୍ୟାପିଟାଲ ଜୋନ୍ ରିଙ୍ଗ ରୋଡ୍ ତିଆରି କରାଯାଉଛି । ଓଡ଼ିଆ ଯୁବକଙ୍କର ବୌଦ୍ଧିକ କ୍ଷମତା କାରଣରୁ ବୈଶ୍ୱିକ କମ୍ପାନୀ ଗୁଡ଼ିକ ଓଡ଼ିଶା ମୁହାଁ ହେଉଛନ୍ତି । ବିକଶିତ ରାଷ୍ଟ୍ରର ଅଭିବୃଦ୍ଧି ହ୍ରାସ ପାଇଥିବା ବେଳେ ଅନେକ ପ୍ରତିକୂଳ ସ୍ଥିତିରେ ଥାଇ ସତ୍ତ୍ୱେ ଭାରତର ଅଭିବୃଦ୍ଧି ୬ରୁ ୭ ପ୍ରତିଶତରେ ପହଞ୍ଚିଛି । ଟିକସରେ ଅଭିବୃଦ୍ଧି ପରିଲିକ୍ଷିତ ହୋଇଛି । ଭାରତର ଲୋକମାନେ ଟ୍ୟାକ୍ସ ଦେବା ପାଇଁ ଉତ୍ସାହିତ ଅଛନ୍ତି । ଆଜି ଭୁବନେଶ୍ୱରରେ ରୋଜଗାର ମେଳା ମାଧ୍ୟମରେ ରେଳ ବିଭାଗ ସହ ଆସାମ ରିଫାଇଲ୍ସ, ଇନକମ ଟ୍ୟାକ୍ସ, ଷ୍ଟାଟିଟିକ୍ସ, ଆଇଆଇଟି ଭୁବନେଶ୍ୱର, ଇପିଏଫଓ, ଭାରତୀୟ ଡାକ, ନାଲକୋ, ଇଏସଆଇସି, ବିଏସଏଫ, ସେଲ୍‌, ଏସଏଲବିସି, ଜିଏସଟି ଓ ଇନଡାରେକ୍ଟ ଟାକ୍ସ ବିଭାଗରେ ୧୨୮ ଜଣ ନିଯୁକ୍ତି ପାଇଛନ୍ତି । ଏହି ପଦକ୍ଷେପ ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button