ଧାମନଗର ଟକ୍କର: ୬୮.୯୮% ବଢ଼ିଲା ଭୋଟ୍ ହାର

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ଇଭିଏମ୍‌ରେ ସିଲ୍ ହୋଇଥିବା ୫ ପ୍ରାର୍ଥୀଙ୍କ ଭାଗ୍ୟ ରବିବାର ନିର୍ଣ୍ଣୟ ହୋଇଯିବ । ସକାଳ ୮ରୁ ହିଁ ଗଣିତି ଆରମ୍ଭ ହେବ । ୨୪ ଟେବୁଲ୍‌ରେ ୨୮ ରାଉଣ୍ଡ୍ ଗଣତି ହେବ । ପ୍ରାୟ ୨ଶହ କର୍ମଚାରୀ ଏନେଇ ନିୟୋଜିତ ହୋଇଛନ୍ତି । ସେଥିପାଇଁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସିରରେ ଥିବା ‘ଷ୍ଟ୍ରଙ୍ଗ୍ ରୁମ୍‌’ ଚତୁôଃପାଶ୍ୱର୍କୁ ପୋଲିସ୍ ଘେରରେ ରଖାଯାଇଛି । କିଛି ଅଘଟଣ ନଘଟିବା ପାଇଁ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ସର୍ବଶେଷ ରିପୋର୍ଟ ଆଧାରରେ ଧାମନଗର ଉପନିର୍ବାଚନରେ ମୋଟ୍ ଭୋଟ୍ ହାର ବଢ଼ିଛି । ଥିଲା ୬୬.୬୩%, ହେଲା ୬୮.୯୮% । ୨୦୧୯ ନିର୍ବାଚନରେ ଧାମନଗରରେ ମତଦାନ ହାର ଥିଲା ୭୧.୯୩% । ଉକ୍ତ ନିର୍ବାଚନ ଠାରୁ ପ୍ରାୟ ୩% କମ୍ ଭୋଟ୍ ହୋଇଛି । ଅର୍ଥାତ ମୋଟ୍ ୨,୩୮,୩୬୦ ଭୋଟର୍‌ଙ୍କ ମଧ୍ୟରୁ ୧,୬୪,୪୬୫ ଭୋଟର୍ ମତଦାନ ସାବ୍ୟସ୍ତ କରିଛନ୍ତି । ଏଥିରେ ପୁରୁଷ ଭୋଟର୍‌ଙ୍କ ସଂଖ୍ୟା ୭୯,୦୧୧ ଥିବାବେଳେ ପୁରୁଷ ଭୋଟର୍‌ଙ୍କ ସଂଖ୍ୟା ୮୫,୪୫୨ ରହିଛି । ପୁରୁଷ ଭୋଟର୍‌ଙ୍କ ଠାରୁ ମହିଳା ଭୋଟର୍ ସଂଖ୍ୟା ୬,୪୪୧ ଅଧିକ । ମୋଟ୍ ୭୩,୮୯୫ ମତଦାତ୍ତା ଭୋଟ୍ ଦେଇନାହାନ୍ତି । ଶୁକ୍ରବାର ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁଶୀଲ କୁମାର ଲୋହାନୀ । ଶ୍ରୀ ଲୋହାନୀ କହିଛନ୍ତି ଯେ, ମୋଟ୍ ୨୫୨ ବୁଥ୍ ପାଇଁ ୫୦୪ଟି ବାଲାଟ୍ ୟୁନିଟ୍‌, ୫୦୪ଟି କଣ୍ଟ୍ରୋଲ ୟୁନିଟ୍ ଓ ୫୦୪ ଗୋଟି ଭିଭିପ୍ୟାଟ୍ ବ୍ୟବହାର ହୋଇଛି । ଏଥିପାଇଁ ଗଣତି ପୂର୍ବରୁ ନିୟୋଜିତ କର୍ମଚାରୀଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଇଛି । ଗଣିତି କେନ୍ଦ୍ରକୁ ସିସିଟିଭି ସଭିଲାନ୍ସରେ ରଖାଯାଇଛି । ଅନୁମତି କାର୍ଡ଼ଧାରୀ ବିନା ଗଣତି କେନ୍ଦ୍ର ଭିତରକୁ ପ୍ରବେଶ ମନା । ସାଧାରଣ ଲୋକଙ୍କ ପାଇଁ ଗଣତି କେନ୍ଦ୍ର ବାହାରେ ଡିସ୍ ପ୍ଲେ ବୋର୍ଡ଼ ପ୍ରଦର୍ଶିତ ହୋଇଛି । ମାଇକ୍ ଜରିଆରେ ବି ପ୍ରତି ରାଉଣ୍ଡ ଅନୁସାରେ ନିର୍ବାଚନ ଘୋଷଣା ହେବ । ସିଇଓ କହିଛନ୍ତି ଯେ, ଉପନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ୫ ପ୍ରାର୍ଥୀ ହେଉଛନ୍ତି ବିଜୁ ଜନତା ଦଳର ଅବନ୍ତୀ ଦାସ, ଭାରତୀୟ ଜାତୀୟ କଂଗ୍ରେସର ବାବା ହରେକୃଷ୍ଣ ସେଠୀ, ଭାରତୀୟ ଜନତା ପାର୍ଟିର ସୂର୍ଯ୍ୟବଂଶୀ ସୂରଜ୍‌, ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସ ଓ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ । ଆଗମାୀ ୬ରେ ଗଣତି ପରେ ଜନତା କାହା ମୁଣ୍ଡରେ ସୂନାକଳସ ଢ଼ାଳିଛନ୍ତି ତାହା ଜଣାପଡ଼ିଯିବ । ତେବେ ନଭେମ୍ବର ୮ରେ ନିର୍ବାଚନ ପ୍ରକ୍ରିୟା କାର୍ଯ୍ୟ ଶେଷ ହେବ ବୋଲି ପୂର୍ବରୁ ପ୍ରକାଶିତ ବିଜ୍ଞପ୍ତି ସ୍ପଷ୍ଟ କରିଦିଆଯାଇଛି ।

Related Articles

Leave a Reply

Your email address will not be published.

Back to top button