ଆଜି ଧାମନଗର ରାୟ

ଭୁବନେଶ୍ୱର: ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ପ୍ରସ୍ତୁତି ଶେଷ ହୋଇଛି । ଆଉ ମାତ୍ର କେଇ ଘଣ୍ଟା ବାକି । ରାତି ପହିଲେ ଖୋଲିବ ଇଭିଏମ୍ ପେଡ଼ି । ବହୁଚର୍ଚ୍ଚିତ ଧାମନଗର ଉପନିର୍ବାଚନର ଫଳ ପ୍ରକାଶ ପାଇବ । କାହା ମୁଣ୍ଡରେ ଭୋଟର୍ ଢାଳିଛନ୍ତି ସୂନାକଳସ ଏବଂ କି’ଏ ବସିବ ରାଜେନ୍ଦ୍ରାସନେ ତାହା ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ । ତେଣୁ ରଣାଙ୍ଗନରେ ଅବତୀର୍ଣ୍ଣ ୫ ପ୍ରାର୍ଥୀଙ୍କ ଭାଗ୍ୟ ପଥରେ ତଳେ ନା’ ପତର ତଳେ ଗଣତି ପରେ ନିଶ୍ଚୟ ସ୍ପଷ୍ଟ ହୋଇଯିବ । ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମାପ୍ତ ହୋଇଥିବା ଉପନିର୍ବାଚନ ପରେ ରବିବାର ସକାଳ ୮ରେ ଭୋଟ୍‌ଗଣନା କାର୍ଯ୍ୟ ଭଦ୍ରକସ୍ଥିତ ସଂସ୍କୃତି ଭବନଠାରେ ଅନୁଷ୍ଠିତ ହେବ । ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁଶୀଲ କୁମାର ଲୋହାନୀ । ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣନା କରାଯିବ । ସକାଳ ସାଢ଼େ ୮ରେ ଇଭିଏମ୍ ଭୋଟ୍‌ଗଣନା କରାଯିବ । ଇଭିଏମ୍ ଭୋଟ୍‌ଗଣନା ପାଇଁ ସମୁଦାୟ ୧୪ଗୋଟି ଟେବୁଲର ବ୍ୟବସ୍ଥା କରାଯାଇଥିବାବେଳେ ପୋଷ୍ଟାଲ ବାଲାଟ ଗଣତି ପାଇଁ ରିଟର୍ଣ୍ଣିଂ ଅଧିକାରୀଙ୍କ ପାଖରେ ଅନ୍ୟ ଗୋଟିଏ ଟେବୁଲର ବ୍ୟବସ୍ଥା କରାଯାଇଛି । ଭୋଟ୍‌ଗ୍ରହଣ ପରେ ୨୫୨ଟି ବୁଥ୍‌ରୁ ଫେରିଥିବା ଇଭିଏମ୍ ଭୋଟ୍‌ଗୁଡ଼ିକୁ ସମୁଦାୟ ୧୮ଟି ରାଉଣ୍ଡ୍‌ରେ ଗଣତି କରାଯିବ । ଶେଷରେ ଭିଭିପ୍ୟାଟ୍ ସ୍ଲିପ୍‌ଗୁଡ଼ିକୁ ଗଣତି କରାଯିବ । ଶ୍ରୀ ଲୋହାନୀ କହିଛନ୍ତି ଯେ,ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ପ୍ରକାରର ଗଣତି କାର୍ଯ୍ୟ କରାଯିବ । ପ୍ରତ୍ୟେକ କାଉଣ୍ଟିଂ ଟେବୁଲ୍ ପାଇଁ ଜଣେ କାଉଣ୍ଟିଂ ସୁପର୍‌ଭାଇଜର ଓ ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ୍ ନିଯୁକ୍ତ ହୋଇଛନ୍ତି । ଏତଦ୍‌ବ୍ୟତୀତ ଜଣେ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ ମାଇକ୍ରୋ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି, ଯିଏକି ପର୍ଯ୍ୟବେକ୍ଷକଙ୍କୁ ମତଗଣନା ସମୟରେ ସହାୟତା କରିବେ । ଭୋଟ୍‌ଗଣନାର ପ୍ରତ୍ୟେକ ରାଉଣ୍ଡ୍‌ର ଫଳାଫଳ ଜନସାଧାରଣଙ୍କୁ ଜଣାଇବା ପାଇଁ ଡାକବାଜି ଯନ୍ତ୍ର ସହ ସ୍ୱତନ୍ତ୍ର ବ୍ୟବସ୍ଥା ପ୍ରଶାସନ ତରଫରୁ କରାଯାଇଛି । ପ୍ରାର୍ଥୀମାନଙ୍କ ଦ୍ୱାରା ମନୋନୀତ ହୋଇଥିବା ଏଜେଣ୍ଟ୍‌ମାନେ ଭୋଟ୍‌ଗଣନାର ପ୍ରକ୍ରିୟା ନିରୀକ୍ଷଣ କରିବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ପ୍ରକାଶ ଥାଉକି ତ୍ରିସ୍ତରୀୟ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଷ୍ଟ୍ରଙ୍ଗ୍‌ରୁମ୍‌ରେ ପୁଲଡ୍ ଇଭିଏମ୍‌ଗୁଡ଼ିକୁ ରଖାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି । ଭୋଟ୍‌ଗଣନା କେନ୍ଦ୍ରଠାରେ ଫଳାଫଳ ଜାଣିବା ନିମନ୍ତେ ମାଇକ ଦ୍ୱାରା ପ୍ରଚାର କରାଯିବାର ବ୍ୟବସ୍ଥା କରାଯାଇଛି । ଏ ନିର୍ବାଚନ ଫଳାଫଳ ମଧ୍ୟ ୱେବ୍‌ସାଇଟ୍ ମାଧ୍ୟମରେ ଜନସାଧାରଣ ପାଇପାରିବେ । ସେହିପରି ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟଠାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ନିର୍ବାଚନ ଫଳାଫଳ ଜାଣିବା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ସିଇଓ ଶ୍ରୀ ଲୋହାନୀ ସ୍ପଷ୍ଟ କରିଛନ୍ତି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଓ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published.

Back to top button