ଭୁବନେଶ୍ୱରର ସମସ୍ତ ୪ ସିଏଚସିରେ ଖୋଲିବ ଡେଙ୍ଗୁ ୱାର୍ଡ

ଭୁବନେଶ୍ୱର: ଭୁବନେଶ୍ୱରର ସମସ୍ତ ୪ଟି ଯାକ ସିଏଚସିରେ ଖୋଲିବ ଡେଙ୍ଗୁ ୱାର୍ଡ। ପ୍ରତି ଅର୍ବାନ ସିଏଚସିରେ ୧୦ଟି ଲେଖାଏଁ ବେଡ୍ ରହିବ । ରାଜଧାନୀରେ ଡେଙ୍ଗୁ ସ୍ଥିତି ଅଣାୟତ୍ତ ହେବା ପରେ ଏଭଳି ନିଷ୍ପତ୍ତି ନେଇଛି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ । ଚଳିତ ବର୍ଷ କେବଳ ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳରୁ ୧ ହଜାର ୫୯ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଜଧାନୀରେ ଡେଙ୍ଗୁ ରୋଗଙ୍କ ସଂଖ୍ୟା ବଢୁଥିବାରୁ ସମସ୍ତେ ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ରହିଛି । ବ୍ଲଡ଼ ବ୍ୟାଙ୍କରେ ରକ୍ତ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଡେଙ୍ଗୁ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲ ସ୍ଵତନ୍ତ୍ର ବ୍ୟବସ୍ଥା ରହିବ । ଏବେ ପର୍ୟ୍ୟନ୍ତ ରାଜ୍ୟରେ ଡେଙ୍ଗୁ ମୃତ୍ୟୁ ହାର ଶୂନ ବୋଲି କହିଲା ସ୍ୱାସ୍ଥ୍ୟ ବିଭାଗ । ଏଥିପାଇଁ ସବୁ ଜିଲ୍ଲାରେ ବିଶେଷଜ୍ଞ କମିଟି ରହିଛି । ବିଶେଷଜ୍ଞ କମିଟି ଯାଞ୍ଚ କରି ତଥ୍ୟ ଦେବା ପରେ ଡେଙ୍ଗୁ ମୃତ୍ୟୁ ଜଣାଯାଏ। ଏବେ ସୁଦ୍ଧା କୌଣସି ଡେଙ୍ଗୁ ମୃତ୍ୟୁ ତଥ୍ୟ ନାହିଁ । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଚିହ୍ନଟ ହେଲେଣି ପ୍ରାୟ ୫୦% ଅଧିକ ଡେଙ୍ଗୁ ରୋଗୀ । ତେବେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ଡେଙ୍ଗୁ ସ୍ଥିତି ଭୟାବହ ନାହିଁ, ସ୍ଥିର ରହିଛି । ସର୍ଭେଲାନ୍ସ ଓ ଟେଷ୍ଟିଂ ବଢ଼ିଥିବାରୁ ବଢ଼ିଛି ରୋଗୀ ସଂଖ୍ୟା । ଅଗଷ୍ଟ ୨୦ ସୁଦ୍ଧା ରାଜ୍ୟରେ ୨୪୨୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ କେବଳ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୨୨୦ ପଜିଟିଭ । ସେହିଭଳି ପୁରୀରୁ ୨୨୯ ଜଣ, ବାଲେଶ୍ଵରରୁ ୨୧୨, କଟକରୁ ୧୫୩ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । କିନ୍ତୁ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା କମ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

Related Articles

Leave a Reply

Your email address will not be published.

Back to top button