ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ; ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚିକିତ୍ସାଧୀନ ଅବସ୍ଥାରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କର ପରଲୋକ ଘଟିଛି । ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଅସ୍ତ୍ରୋପଚାର ପରେ ଆଇସିୟୁରେ ରହିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ । ତେବେ ଚିକିତ୍ସା ଜାରି ରହିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆପୋଲୋ ହସ୍ପିଟାଲରେ ପହଞ୍ଚି ପରିବାରବର୍ଗଙ୍କୁ ସେ ସମବେଦନା ଜଣାଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦେହାନ୍ତରେ ମୁଁ ଦୁଃଖିତ ଏବଂ ମର୍ମାହତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନା ଅନୁଯାୟୀ, ଗାନ୍ଧୀଛକ ପୋଲିସ ଆଉଟପୋଷ୍ଟରେ କାର‌୍ୟ୍ୟରତ ଗୋପାଳ ଦାସ ରାଜ୍ୟର ବରିଷ୍ଠ ନେତାଙ୍କୁ ଗୁଳିମାଡ କରିଥିଲେ । ତେବେ ଗୁଳିକାଣ୍ଡର କାରଣ ଏବେ ପର‌୍ୟ୍ୟନ୍ତ ଅସ୍ପଷ୍ଟ ଥିବା ବେଳେ ପୋଲିସ କର୍ମଚାରୀଙ୍କ ଦ୍ୱାରା ଏପରି ଏକ କାଣ୍ଡକୁ ନେଇ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତେବେ ଗୋପାଳ ଦାସ ମନ୍ତ୍ରୀଙ୍କ ଉପରକୁ ୪ ରାଉଣ୍ଡ ଗୁଳିମାଡ କରିଥିଲା । କିନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦେହରେ ଗୋଟିଏ ଗୁଳି ବାଜିଥିବା ବେଳେ ଅନ୍ୟ ଜଣଙ୍କ ଦେହରେ ଗୋଟିଏ ଗୁଳି ବାଜିଥିଲା । ଏଥିସହିତ ଆଇଆଇସି ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଗୁଳିମାଡ ପରେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଏୟାରଲିଫ୍ଟ ଯୋଗେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ଅଣାଯାଇଥିଲା ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ । ଏଠାରେ ଅସ୍ତ୍ରୋପଚାର ପରେ ଚିକିତ୍ସାରତ ଥିବା ବେଳେ ତାଙ୍କର ପରଲୋକ ଘଟିଛି । ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କାହିଁକି ଗୁଳି ହୋଇଛି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଭଳି ଏକ ଗୁଳିକାଣ୍ଡର କାରଣ ରାଜନୈତିକ କାରଣ ନା କୌଣସି ବ୍ୟକ୍ତିଗତ ଶତ୍ରୁତା ରହିଛି ସେ ନେଇ ଆଲୋଚନା ଜୋର ଧରିଛି । ତେବେ ଏଏସଆଇ ଗୋପାଳ ଦାସକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

Related Articles

Leave a Reply

Your email address will not be published. Required fields are marked *

Back to top button