‘ଭାରତ ଯୋଡ଼ ଯାତ୍ରା-ଓଡ଼ିଶା’ର ଚତୁର୍ଥ ଦିନ: କେନ୍ଦ୍ର ଓ ରାଜ୍ୟ ସରକାର ବିଶ୍ୱାସଘାତକତା କରିଛନ୍ତି: ଶରତ

ଭୁବନେଶ୍ୱର: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ସହିତ ବିଶ୍ୱାସଘାତକତା କରିଛନ୍ତି । ଭୋଟ୍ ହାତେଇ ନେବାପରେ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରିନାହାନ୍ତି ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଛନ୍ତି । “ଭାରତ ଯୋଡ଼ ଯାତ୍ରା-ଓଡ଼ିଶା’ର ଚତୁର୍ଥ ଦିନରେ ଏଭଳି କହିଛନ୍ତି ଶ୍ରୀ ପଟ୍ଟନାୟକ । ଆଜି ପ୍ରଭାତରୁ ଚତୁର୍ଥ ଦିନର ଯାତ୍ରା ବଡ଼ଚଣା ପେଟ୍ରୋଲ ଟାଙ୍କି ଠାରୁ ଆରମ୍ଭ ହୋଇଥିଲା । ଯାଜପୁର ଜିଲ୍ଲାର ହଜାର ହଜାର କଂଗ୍ରେସ କର୍ମୀ, ଚାଷୀ, ଶ୍ରମିକ, ବେକାର ଯୁବକ, ଛାତ୍ର ଓ ବିଭିନ୍ନ ସାମାଜିକ ଅନୁଷ୍ଠାନର ବ୍ୟକ୍ତିବିଷେଶ ଏଥିରେ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ସ୍ଥାନରେ ସ୍ଥାନୀୟ ଅଧିବାସୀ ପ୍ରଦେଶ କଂଗ୍ରେସ ସଭାପତିଙ୍କୁ ସ୍ୱାଗତ କରିବା ସହ ସେଠାକାର ସ୍ଥାନୀୟ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ନଗଡ଼ାର ଚିତ୍ର ଯାଜପୁର ବିକାଶର ମାପକାଠି । ଯାଜପୁର ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ । ଧର୍ମଶାଳାର ବହୁ ଚର୍ଚ୍ଚିତ ସ୍ମିତାରାଣୀ ହତ୍ୟା ଘଟଣା ପୁଲିସ ଫାଇଲ୍‌ତଳେ ଚପେଇ ଦିଆଯାଇଛି । ଏପରିକି ମା’ ବିରଜାଙ୍କ ପ୍ରତି ମଧ୍ୟ ଶାସକଦଳର ସମ୍ମାନ ନାହିଁ । ମା’ ବିରଜାଙ୍କ ମୂର୍ତ୍ତି ବଦଳ ଘଟଣାର ତଦନ୍ତ ବାଟବଣା ହୋଇଯାଇଛି । ଏହା କେବଳ ଯାଜପୁର ନୁହେଁ ସାରା ଓଡ଼ିଶାର ଜନସାଧାରଣଙ୍କ ଭାବାବେଗକୁ ଆଘାତ କରିଛି । ଯାଜପୁର ଜିଲ୍ଲାର ଶିଳ୍ପମାନଙ୍କରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯାଉ ନାହିଁ । ଯାଜପୁର ଜିଲ୍ଲାରେ ଅବସ୍ଥିତ ନିଳାଚଳ ଇସ୍ପାତ ନିଗମ ଭଳି ଉଦ୍ୟୋଗକୁ ରୁଗ୍‌ଣ କରାଯାଇ ଶେଷରେ ଶାଗମାଛ ଦରରେ ଟାଟା କମ୍ପାନୀ ହାତରେ ସମର୍ପଣ କରିଦିଆଗଲା । ଏବେ ନିଯୁକ୍ତି ଓ ବିକାଶର ଭେଳିକି ଦେଖାଇ କୋଟି ସରକାରୀ ଅର୍ଥ ବ୍ୟୟ କରି ମେକଇନ ଓଡ଼ିଶା କନକ୍ଲେଭ କରାଇବାର ଯଥାର୍ଥତା କ’ଣ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ । ସେହିପରି ଡଙ୍କାରୀ ପାହାଡ଼ରୁ ଲଘୁ ଖଣିଜ ଦ୍ରବ୍ୟର ଅବାଧ ଲୁଟ୍ ଚାଲିଛି । ବ୍ରାହ୍ମଣୀ ଓ କେଲୁଅ ନଦୀରୁ ବାଲି ଲୁଟ୍ ଚାଲଛି । ରାମ୍‌କୋ ସିମେଣ୍ଟର ପ୍ରଦୂଷଣରେ ଲୋକେ ଅଣନିଶ୍ୱାସୀ । ଏଠାକାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ବିପର୍ଯ୍ୟସ୍ତ । ଯାଜପୁର ଜିଲ୍ଲା ରତ୍ନଗର୍ଭା ମାତ୍ର ଯାଜପୁର ଜିଲ୍ଳାର ବାସିନ୍ଦା ଉତ୍କଟ ଦାରିଦ୍ର‌୍ୟ ଓ ବେକାରୀର ଶିକାର । କଳିଙ୍ଗ ନଗରର ଶିଳ୍ପାଞ୍ଚଳର ପ୍ରଦୁଷଣରେ ସ୍ଥାନୀୟ ବାସିନ୍ଦା ଆକ୍ତାମାକ୍ତା ।ଏମାନେ ଧୂଆଁ ଧୂଳି ଖାଉଛନ୍ତି ମାତ୍ର ସେଠାରେ ସ୍ଥାନୀୟ ନିଯୁକ୍ତି ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଚତୁର୍ଥ ଦିନର ଯାତ୍ରା ସନ୍ଧ।। ସୁଦ୍ଧା ଜାରକା ଠାରେ ପହଞ୍ଚିଛି । ଆସନ୍ତାକାଲି ପଞ୍ଚମ ଦିନର ଯାତ୍ରା ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବେ ଜେନା, ରାମଚନ୍ଦ୍ର ଖୁଣ୍ଟିଆ, ଗଣେଶ୍ୱର ବେହେରା, ଭୁଜବଳ ମାଝୀ, ମାନସ ଚୌଧୁରୀ, ବନ୍ଦିତା ପରିଡ଼ା, ମନୋଜ ରାଉତଙ୍କ ସମେତ ବହୁ କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ ବୋଲି “ଭାରତ ଯୋଡ଼ ଯାତ୍ରା -ଓଡ଼ିଶା’ର ମିଡିଆ ଇନଚାର୍ଜ ପ୍ରକାଶ ମିଶ୍ର ଏକ ପ୍ରେସବିଜ୍ଞପ୍ତିରେ ଜଣାଇଛନ୍ତି ।

Related Articles

Leave a Reply

Your email address will not be published.

Back to top button