ଜଗଦଳପୁରରେ କୋକୁଆ ଭୟ: ଅଜଣା ଦୁର୍ବୃତ୍ତର ଆକ୍ରମଣରେ ଦୁଇ ମହିଳା ଆହତ

ଭୁବନେଶ୍ବର: ବ୍ରହ୍ମପୁର ପୁଲିସ ଜିଲ୍ଳା ମୁଖ୍ୟାଳୟଠାରୁ ମାତ୍ର ୬ କିଲୋମିଟର ଦୂର ତଥା ସହର ଉପକଣ୍ଠରେ ଥିବା ଜଗଦଳପୁର ଗାଁରେ ଜଣେ ଅଜଣା ଦୁର୍ବୃତ୍ତ ଆତଙ୍କ ଖେଳାଇଦେଇଛି । ଗତ ୪ ଦିନ ମଧ୍ୟରେ ସେ ୨ ଜଣ ମହିଳାଙ୍କୁ ୩ ଥର ଆକ୍ରମଣ କରିଛି । ସେମାନଙ୍କ ଗଳାକାଟି ହତ୍ୟା କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସେଥିରେ ବିଫଳ ହୋଇ ପଳାଇଯାଇଛି । ୨ ମହିଳା ଦୁର୍ବୃତ୍ତର ଆକ୍ରମଣରେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସା ପରେ ଘରକୁ ଫେରିଛନ୍ତି । ଏହି ଅଜଣା ଦୁର୍ବୃତ୍ତ କିଏ ଓ କାହିଁକି ମହିଳାମାନଙ୍କୁ ଆକ୍ରମଣ କରୁଛି ତାହା ଜଣାପଡ଼ିନାହିଁ । ପୁଲିସ ତଦନ୍ତ ଚଳାଇଥିଲେ ମଧ୍ୟ କିଛି ସୁରାକ୍ ପାଉନାହିଁ । ଦୁର୍ବୃତ୍ତ ଜଣକ ଉଦ୍ୟମରେ ବିଫଳ ହୋଇ ଫେରିଯିବା ବେଳେ ପୁଣି ଆସିବାକୁ ଧମକ ଦେଇଥିବାରୁ ଗାଁରେ ମହିଳାମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।
ରବିବାର ସକାଳ ସାଢ଼େ ୮ଟାରେ ଦୁବୃର୍ତ୍ତ ଜଗଦଳପୁରର ବାବୁଲା ପାଢ଼ୀଙ୍କ ଘରେ ପଶିଥିଲା । ସେତେବେଳେ ବାବୁଲା ଘରେ ନଥିଲେ । ସେ ତାଙ୍କ ପତ୍ନୀ କବିତା ପାଢ଼ୀଙ୍କ ବେକରୁ ଚେନ ଛିଣ୍ଡାଇବାକୁ ଚେଷ୍ଟା କରି ବିଫଳ ହେବା ପରେ ତାଙ୍କ ଗଳାକୁ ଏକ ଧାରୁଆ ଅସ୍ତ୍ରରେ ଆଘାତ କରିଥିଲା । ଫଳରେ କବିତାଙ୍କ ବେକରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । କବିତା ଚିତ୍କାର କରିବାରୁ ଦୁର୍ବୃତ୍ତ ଘରର ବାଡ଼ିପଟ ଦେଇ ଚମ୍ପଟ୍ ମାରିଥିଲା । ତେବେ ଗଲାବେଳେ ପୁଣି ଥରେ ଆସିବି ବୋଲି ଦୁର୍ବୃତ୍ତ କହୁଥିବା କବିତା ଶୁଣିବାକୁ ପାଇଥିଲେ । କବିତାଙ୍କ ପାଟିଶୁଣି ଗାଁର ଲୋକେ ତାଙ୍କ ଘରେ ପହଞ୍ôଚବା ବେଳକୁ ଦୁର୍ବୃତ୍ତ ଫେରାର ହୋଇଯାଇଥିଲା । ତାପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ କବିତାଙ୍କୁ ନେଇ ତାଙ୍କ ପରିବାର ଲୋକେ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲକୁ ନେଇ ଚିକିତ୍ସା କରାଇଥିଲେ । ସେ ଏବେ ସୁସ୍ଥ ଅଛନ୍ତି । ଗତ ଶୁକ୍ରବାର ଦିନ ମଧ୍ୟ ଏହି ଦୁର୍ବୃତ୍ତ କବିତାଙ୍କ ଉପରକୁ ଇଟା ଫିଙ୍ଗିଥିଲା ବୋଲି କୁହାଯାଉଛି । କିନ୍ତୁ କବିତା ତାଙ୍କୁ ଜାଣିପାରି ନଥିଲେ । ଗୁରୁବାର ଦିନ ସେ ମଧ୍ୟ ଗ୍ରାମର ଗୋଲାସାହିରେ ପଶି କେ.ଭାରତୀ ପାତ୍ର ନାମକ ଜଣେ ମହିଳାଙ୍କୁ ଆକ୍ରମଣ କରିଥିଲା । ଭାରତୀ ମଧ୍ୟ ଏହି ଆକ୍ରମଣରେ ସାମାନ୍ୟ ଆହତ ହୋଇଥିଲେ । ଏହି ଘଟଣା ଗାଁରେ ଚାଞ୍ଚଲ୍ୟ ଖେଳାଇଦେଇଛି । ସଂପୃକ୍ତ ଦୁର୍ବୃତ୍ତ ଦିନବେଳା ଆସି ଏଭଳି କାଣ୍ଡ ଭିଆଉ ଥିଲେ ମଧ୍ୟ ତାକୁ କେହି ଧରିପାରୁ ନାହାନ୍ତି । ବିଶେଷ କରି ମହିଳାମାନଙ୍କ ଉପରେ ଆକ୍ରମଣ କରୁଥିବା ଜଣାପଡ଼ିଛି । ତେଣୁ ଗାଁରେ ମହିଳାମାନେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି । ମହିଳାମାନଙ୍କଠାରୁ ଅଳଙ୍କାର ଲୁଟିବା ନା ଅନ୍ୟ କୌଣସି ଉଦ୍ଦେଶ୍ୟରେ ସେ ଏଭଳି କରୁଛି ତାହା ସ୍ପଷ୍ଟ ହୋଇନାହିଁ । ଗାଁ ଲୋକଙ୍କଠାରୁ ଖବର ପାଇ ଅତିରିକ୍ତ ଏସ୍‌ପି ରମେଶ ଚନ୍ଦ୍ର ସେଠୀ, ସଦର ଏସ୍‌ଡିପିଓ ଶିବଶଙ୍କର ମହାପାତ୍ର ଓ ଥାନାଧିକାରୀ ମହେନ୍ଦ୍ର ସାହୁ ପ୍ରମୁଖ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଦୁର୍ବୃତ୍ତ ଜଣେ ଲୁଟେରା ନା ସାଇକୋ ତାହାର ମଧ୍ୟ ତଦନ୍ତ ଚାଲିଛି । ପୁଲିସ ଗ୍ରାମବାସୀମାନଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି । ତଥାପି ସଚେତନତା ଅବଲମ୍ବନ କରିବାକୁ ଗାଁ ଲୋକଙ୍କୁ କହିଛନ୍ତି । ପୁଲିସ ପକ୍ଷରୁ ରାତ୍ରି ପାଟ୍ରୋଲିଂ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Related Articles

Leave a Reply

Your email address will not be published.

Back to top button