ମାଛଧରା ବୋଟ୍ରୁ କୋଟିଏ ଟଙ୍କାର ଗୁଆ ଜବତ

ଭୁବନେଶ୍ବର: ସମୁଦ୍ରରେ ଏକ ମାଛଧରା ବୋଟ୍ରୁ ପ୍ରାୟ କୋଟିଏ ଟଙ୍କାର ଗୁଆ ଜବତ କରିଛି ଭାରତୀୟ ତଟରକ୍ଷା ବାହିନୀ । ଏତେ ପରିମାଣର ଗୁଆ ମାଛଧରା ବୋଟ୍ରେ କେଉଁଠିକୁ ଯାଉଥିଲା ତାହାର ତଦନ୍ତ ଆରମ୍ଭ ହୋଇଛି । ଗୁରୁବାର କୋଷ୍ଟଗାର୍ଡ ଜାହାଜ ବରଦ ଗଭୀର ସମୁଦ୍ରରେ ପାଟ୍ରୋଲିଂ କରୁଥିବା ସମୟରେ ଅନ୍ତର୍ଜାତୀୟ ସାମୁଦ୍ରିକ ନିୟନ୍ତ୍ରଣ ରେଖା ନିକଟରେ ଏକ ମାଛଧରା ବୋଟ୍ ସନ୍ଦେହଜନକ ଭାବେ ଯାଉଥିଲା । ‘ମାଆ ବାସନ୍ତ’ ନାମକ ଏହି ଭାରତୀୟ ମାଛଧରା ବୋଟ୍କୁ କୋଷ୍ଟଗାର୍ଡ ଜାହାଜ ବରଦ ଅଟକାଇଥିଲା । ଏହି ଜାହାଜରେ ୧୪ ଜଣ କର୍ମଚାରୀ ଥିଲେ । ସେମାନଙ୍କର ପରିଚୟପତ୍ର ସଠିକ୍ ନଥିବା ଜଣାପଡ଼ିଥିଲା । କୋଷ୍ଟଗାର୍ଡ ଯବାନ ଓ ଅଧିକାରୀମାନେ ଉକ୍ତ ମାଛଧରା ବୋଟ୍ରୁ ୪୫୦ ବ୍ୟାଗ୍ ଜବତ କରିଥିଲେ । ପ୍ରତ୍ୟେକ ବ୍ୟାଗ୍ର ଓଜନ ପ୍ରାୟ ୫୦ରୁ ୬୦କେଜି ହେବ । ତେବେ ଜବତ ଗୁଆଗୁଡ଼ିକର ମୋଟ ବଜାର ଦର ପ୍ରାୟ ଏକ କୋଟି ଟଙ୍କା ହେବ ବୋଲି କୋଷ୍ଟଗାର୍ଡ ପକ୍ଷରୁ ସୂଚନା ମିଳିଛି । ଏହି ବୋଟ୍ କାକଦୀପ ମାଛଧରା ଜେଟିରୁ ବିନା ସଠିକ୍ କାଗଜପତ୍ରରେ ଯାତାୟାତ କରୁଥିଲା । ଏତେ ପରିମାଣର ଗୁଆ କେଉଁଆଡ଼େ ଯାଉଥିଲା, ତାହାକୁ ନେଇ ତଦନ୍ତ ଆରମ୍ଭ କରିଛି କୋଷ୍ଟଗାର୍ଡ । ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ମାଛଧରା ବୋଟ୍କୁ ଯାଞ୍ଚ କରିବା ସମୟରେ ସେଥିରୁ ଗୋଟିଏ ବି ହେଲେ ମାଛ ମିଳି ନଥିଲା । ଉକ୍ତ ମାଛଧରା ବୋଟ୍ ସହିତ ସେଥିରେ ଥିବା ୧୪ ଜଣ କର୍ମଚାରୀମାନଙ୍କୁ ଧରି କୋଷ୍ଟଗାର୍ଡ ଟିମ୍ ପାରାଦୀପ ଜିଲ୍ଲା ମୁଖ୍ୟାଳୟ-୭ରେ ପହଞ୍ôଚଥିବା ଜଣାପଡ଼ିଛି । ସମସ୍ତ କର୍ମଚାରୀ ସୁସ୍ଥଥିବା ବେଳେ ସେମାନଙ୍କୁ ଅଟକ ରଖି ଅଧିକ ତଥ୍ୟ ବାହାର କରିବାକୁ କୋଷ୍ଟଗାର୍ଡ ଉଦ୍ୟମ ଜାରି ରଖିଥିବା ନେଇ ସୂଚନା ମିଳିଛି ।