ସାଇବର ଠକଙ୍କ ଟାର୍ଗେଟରେ କଣ୍ଟ୍ରୋଲ ଡିଲର

ସାଇବର ଠକଙ୍କ ଟାର୍ଗେଟରେ କଣ୍ଟ୍ରୋଲ ଡିଲର

ଭୁବନେଶ୍ୱର: ସାଇବର ଠକଙ୍କ ଟାର୍ଗେଟରେ ଏବେ ଗାଁ ଗହଳର କଣ୍ଟ୍ରୋଲ ଡିଲର । କୌଣସି ସୂତ୍ରରୁ ଡିଲରମାନଙ୍କ କୋଡ୍‍ ଠାରୁ ଆରମ୍ଭ କରି ଫୋନ୍‍ ନମ୍ବର ହାସଲ କରିବାପରେ ଆଖିପିଛୁଳାକେ ଟଙ୍କା ଉଡାଇ ନେଉଛନ୍ତି । ଜଗତ୍‍ସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକର ଦୁଇ ଡିଲରଙ୍କୁ ଏହିଭଳି ଭାବେ ୩୦ହଜାର ଟଙ୍କାର ଚୂନା ଲଗାଇଛନ୍ତି ।
ବ୍ଲକର ତାରପୁର ପଞ୍ଚାୟତରେ ଥିବା କଣ୍ଟ୍ରୋଲ ଡିଲର ଅଭୟ କୁମାର ସିଂହଙ୍କୁ ସାଇବର ଠକମାନେ ୧୨ହଜାର ଟଙ୍କାର ଚୂନା ଲଗାଇଛନ୍ତି । ଶ୍ରୀ ସିଂହଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତମାସର ଚାଉଳ କୋଟା ଗାଡି ଆସି ପହଞ୍ଚିମା ମାତ୍ରେ ଅଜଣା ନମ୍ବରରୁ ଫୋନ୍‍ ଆସିଥିଲା । ଫୋନ୍‍ କରିଥିବା ବ୍ୟକ୍ତି ସ୍ପଷ୍ଟ ଓଡିଆରେ ନିଜକୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଦପ୍ତରର ବୋଲି ପରିଚୟ ଦେବା ସହିତ ଶ୍ରୀ ସିଂହଙ୍କ କୋଡ୍‍ ନମ୍ବରଟି କହିଥିଲେ ଓ ଚାଉଳ, ଗହମ ଓ କିରୋସିନି କୋଟା ଉଠିବା ସଂକ୍ରାନ୍ତରେ ପଚାରିଥିଲେ । ଏଥି ସହିତ ଏହି ମାସରେ ମାସ୍କ ଓ ସାନିଟାଇଜର ବାଣ୍ଟିବାପାଇଁ ଡିଲରମାନଙ୍କୁ କିଛି ଅର୍ଥ ପ୍ରଦାନ କରାଯିବ । ଏଥିପାଇଁ ଆକାଉଣ୍ଟ ନମ୍ବର ମାଗିଥିଲେ । ତେବେ ଝିପି ଝିପି ବର୍ଷା ସମୟରେ ଗାଡିରୁ ଚାଉଳ କାଢୁଥିବାରୁ ଶ୍ରୀ ସିଂହ ପରେ ଫୋନ୍‍ କରିବାକୁ କହିଥିଲେ । ହେଲେ ଅଫିସ୍‍ କାର୍ଯ୍ୟ ସମୟରେ ଏହି ପଇସା ପଠାଇବାକୁ କହିବା ସହିତ ଫୋନ୍‍ ପେ କିମ୍ବା ଗୁଗୁଲ୍‍ ପେ ନମ୍ବର ଦେବାକୁ ଅନୁରୋଧ କରିଥିଲେ । ସ୍ପଷ୍ଟ ଓଡିଆରେ କହିବା ସହିତ ନିଜକୁ ଜିଲ୍ଲା ଯୋଗାଣ ବିଭାଗ ଦପ୍ତରରୁ କହୁଥିବାରୁ ଶ୍ରୀ ସିଂହ ନିଜର ଜଣେ ସମ୍ପର୍କୀୟଙ୍କ ଗୁଗୁଲ ପେ ନମ୍ବର ଦେଇଥିଲେ । ଏଥି ସହିତ ଚାଉଳ କାଢିବାର ବ୍ୟବସ୍ଥା ଭିତରେ ଗୁଗୁଲ ପେ ନମ୍ବରଟି ଡାକିଦେଇଥିଲେ । ଗୁଗୁଲ୍‍ ପେ ନମ୍ବରଟି ସାଇବର ଠକଙ୍କ ହାତରେ ପଡିବାପରେ ସେମାନେ ତୁରନ୍ତ ଏହା ଖୋଲିବାକୁ କହିଥିଲେ । ଶ୍ରୀ ସିଂହ ଗୁଗୁଲ ପେ ଆକାଉଣ୍ଟଟି ଖୋଲିବାମାତ୍ରେ ସେଥିରେ ଥିବା ୧୨ହଜାର ଟଙ୍କାକୁ ତତ୍କାଳ ଉଡାଇ ନେଇଥିଲେ । ଟଙ୍କା ଲୁଟ୍‍ ହୋଇଥିବା ଶ୍ରୀ ସିଂହ ଜାଣିବାପରେ ତତ୍କାଳ ବ୍ଲକର ଡିଲର ଗ୍ରୁପ୍‍ରେ ସୂଚନା ଦେଇଥିଲେ । ପରେ ଜଣାପଡିଥିଲା ଯେ ଏହା ପୂର୍ବରୁ ସେଠାକାର ଆଉଜଣେ ଡିଲରଙ୍କ ଠାରୁ ମଧ୍ୟ ଠକମାନେ ଅନୁରୂପ ଭାବେ ୨୦ହଜାର ଟଙ୍କା ନେଇ ଯାଇଛନ୍ତି । ତେବେ ଶ୍ରୀ ସିଂହ ଏ ସଂକ୍ରାନ୍ତରେ ସାଇବର ଥାନାରେ ମାମଲା ରୁଜୁ କରିଥିବା ଜଣାଯାଇଛି । ସାଇବର ଠକମାନେ ଗାଁ ଗହଳରେ ବିଦ୍ୟୁତ୍‍ ଗ୍ରାହକଙ୍କୁ ଠକିବାପରେ ଏବେ କଣ୍ଟ୍ରୋଲ ଡିଲରଙ୍କ ଉପରେ ଆଖି ପକାଇଛନ୍ତି । ତେବେ ଫୋନ୍‍ କରୁଥିବା ଠକମାନେ ସ୍ପଷ୍ଟ ଓଡିଆରେ କହୁଥିବା ଡିଲରଙ୍କର କୋଡ୍‍ ଠାରୁ ଆରମ୍ଭ କରି ସମସ୍ତ ସୂଚନା ସଂଗ୍ରହ କରିନେଉଥିବାରୁ ସେମାନେ ଠକ ବୋଲି ସହଜରେ ଜଣାପଡୁ ନାହିଁ ।

Related Articles

Leave a Reply

Your email address will not be published.

Back to top button