ସଡ଼କ ଦୁର୍ଘଟଣା ମୃତ୍ୟୁସଂଖ୍ୟା ହ୍ରାସ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗର ପଦକ୍ଷେପ

ଭୁବନେଶ୍ୱର: ସଡ଼କ ଦୁର୍ଘଟଣା ଓ ତଦଜନିତ ମୃତ୍ୟୁସଂଖ୍ୟା ହ୍ରାସ ପାଇଁ ସରକାରଙ୍କ ଦ୍ୱାରା ନିରନ୍ତର ପ୍ରୟାସ ଜାରି ରହିଛି । ନିକଟରେ ଶୂନ ଦୁର୍ଘଟଣା ଦିବସ ପାଳନ ପରେ ଏବେ ଶୂନ ମୃତାହତ ପକ୍ଷ ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ନଭେମ୍ବର ୧୬ ରୁ ୩୦ ଯାଏଁ ସାରା ରାଜ୍ୟରେ ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବାକୁ ବାଣିଜ୍ୟ ଓ ପରିବହନ ବିଭାଗ ନିଷ୍ପତ୍ତି ଗ୍ରହଣ କରିଛି । ଏହି ସମୟରେ ଚାରିଟି ‘ଇ’ ଯଥା- ଏନଫୋର୍ସମେଣ୍ଟ, ଇଂଜିନିୟରିଂ, ଏଜୁକେସନ ଓ ଏମର୍ଜେନ୍ସି କେୟାରକୁ ପ୍ରାଧାନ୍ୟ ଦିଆଯିବ । ସଡ଼କ ଦୁର୍ଘଟଣାଜନିତ ଶୂନ ମୃତାହତ ପାଳନ ସମୟରେ ସଡ଼କ ନିୟମ ଉଲ୍ଲଙ୍ଘକାରୀଙ୍କ ବିରୋଧରେ ଶୂନ ସହନଶୀଳତା ନୀତି ଅବଲମ୍ୱନ କରାଯିବ । ସାରା ରାଜ୍ୟରେ କଡ଼ାକଡ଼ି ଯାଞ୍ଚ କରାଯିବ । ଏଥିପାଇଁ ସମସ୍ତ ଜିଲ୍ଲା ପ୍ରଶାସନକୁ ବିଭାଗ ପକ୍ଷରୁ ଏକ ମାର୍ଗଦର୍ଶିକା ପ୍ରଦାନ କରାଯାଇଛି । ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ଅନ୍ୟ ବିଭାଗ ସହ ମିଳିତ ଭାବରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଦ୍ୱାରା ଏନଫୋର୍ସମେଣ୍ଟ କାର୍ଯ୍ୟକ୍ରମ ବ୍ୟାପକ କରାଯିବ । ବିଶେଷକରି, ଜନଗହଳି ସ୍ଥାନ, ଟ୍ରାଫିକ ପଏଣ୍ଟ, ଶିକ୍ଷାନୁଷ୍ଠାନ, ମଲ୍. ବଜାର ଆଦି ସ୍ଥାନରେ ଟିମ୍ ମୁତୟନ ରହିବେ । ସଡ଼କରେ ବେପରୁଆ ଗାଡ଼ି ଚାଳନା କରି ନିଜ ସହ ଅନ୍ୟ ସଡ଼କ ବ୍ୟବହାକରୀଙ୍କ ପାଇଁ ବିପଦ ସୃଷ୍ଟି କରୁଥିବା ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିଭଳି ଚିହ୍ନଟ ହୋଇଥିବା ଦୁର୍ଘଟଣାପ୍ରବଣ ରାସ୍ତା ଉପରେ ମଧ୍ୟ ବିଶେଷ ନଜର ରହିବ । କିଭଳି ସେଠାରେ ଦୁର୍ଘଟଣାକୁ ହ୍ରାସ କରାଯାଇପାରିବ ସେଥିପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନଙ୍କୁ କୁହାଯାଇଛି । ରାସ୍ତା ଇଞ୍ଜିନିୟରିଂ ସଂସ୍ଥା ମାନେ ଏ ଦିଗରେ ସକ୍ରିୟ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି । ତ୍ରୁଟି ଗୁଡ଼ିକୁ ସଂଶୋଧନ କରିବା, ରାସ୍ତା ସାଇନେଜ୍ ଲଗାଇବା ଭଳି ବିଷୟକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ନିୟମ ପ୍ରତି ଅବଗତ କରିବା ଏବଂ ସେମାନଙ୍କ ଜୀବନ ରକ୍ଷା ପାଇଁ ଏହାର ପାଳନ କିଭଳି ଅନିବାର୍ଯ୍ୟ ସେ ସଂପର୍କରେ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଏଥିପାଇଁ ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ସହଭାଗିତାରେ ଉଦ୍ୟମ ହେବ । ଏତଦବ୍ୟତୀତ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ତ୍ୱରିତ ସହାୟତା ପହଞ୍ଚାଇ ଜୀବନ ରକ୍ଷା ପାଇଁ ମଧ୍ୟ ଜନସାଧାରଣଙ୍କୁ ଉତ୍ସାହିତ କରାଯିବ । ପୂର୍ବ ବର୍ଷମାନଙ୍କରେ ଶୂନ ମୃତାହତ ସପ୍ତାହ ପାଳନ କରାଯାଇଛି । ସେ ସମୟରେ ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିଲା । ଏହାକୁ ଦୃଷ୍ଟିରେ ବିଭାଗ ଚଳିତ ଥର ଏହି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବାକୁ ଶୂନ ମୃତାହତ ପକ୍ଷ ପାଳନ ପାଇଁ ନିଷ୍ପତ୍ତି ନେଇଛି । ଯାହାର ଲକ୍ଷ୍ୟ ହେଉଛି, ସଡ଼କ ଦୁର୍ଘଟଣା ଓ ତଦଜନିତ ମୃତ୍ୟୁ ସଂଖ୍ୟା ହ୍ରାସ କରିବା । ପ୍ରଥମେ, ନଭେମ୍ବର ୧ରୁ ୧୫ ଯାଏଁ ଏହା ପାଳନ ପାଇଁ ନିଷ୍ପତ୍ତି ହୋଇଥିଲା । ତେବେ ବାତ୍ୟା ମୋନ୍ଥାକୁ ଦୃଷ୍ଟିରେ ରଖି ଏହାକୁ ନଭେମ୍ବର ୧୬ରୁ ୩୦ ଯାଏଁ ପାଳନ ପାଇଁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବିକଶିତ ଓଡ଼ିଶା ଗଠନରେ ସଡ଼କ ଦୁର୍ଘଟଣା ହ୍ରାସକୁ ଏକ ପ୍ରମୁଖ ଲକ୍ଷ୍ୟ ଭାବରେ ସରକାର ରଖିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ “ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ” ବା “କମ୍ ହୋମ୍ ସେଫ୍”କୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଯାଉଛି । ପ୍ରତିଟି ଜୀବନ ମୂଲ୍ୟବାନ । ଗୋଟିଏ ବି ମୃତ୍ୟୁ, ବହୁତ ଅଧିକ । ତେଣୁ ପ୍ରତିଟି ଜୀବନ ରକ୍ଷା ପାଇଁ ସଡ଼କ ସୁରକ୍ଷାକୁ ଏକ ସାମୂହିକ ଦାୟିତ୍ୱ ଭାବେ ଗ୍ରହଣ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button