ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମୀକ୍ଷାକଲେ ମୁଖ୍ୟମନ୍ତ୍ରୀ: ୫.୪୫ ଲକ୍ଷ ହିତାଧିକାରୀଙ୍କ ପାଇଁ ୧୧୯୧ କୋଟି ବ୍ୟୟ

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୫୦୦ଟି ଘରୋଇ ହସ୍ପିଟାଲକୁ ତାଲିକାଭୁକ୍ତ କରାଯାଇଛି । ସେଥିମଧ୍ୟରୁ ରାଜ୍ୟ ବାହାରେ ୯୮ ହସ୍ପିଟାଲ୍ ରହିଛି । ଉକ୍ତ ଯୋଜନା ଆରମ୍ଭ ହେବା ଦିନଠାରୁ ବର୍ତ୍ତମାନ ସୁଦ୍ଧା ୫,୪୫,୩୩୯ ହିତାଧିକାରୀ ସୁବିଧା ପାଇଛନ୍ତି । ଏଥିପାଇଁ ୧୨୯୧ କୋଟି ଟଙ୍କା ବ୍ୟୟ ହୋଇଛି । ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସମୀକ୍ଷା କରି ସନ୍ତୋଷ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ସରକାର ପ୍ଲାଟ୍‌ଫର୍ମରେ ଏହି ଯୋଜନା ସଂପର୍କରେ ହିତାଧିକାରୀଙ୍କ ବହୁତ ଭଲ ମତ ଆସିଛି । ସାମାଜିକ ସୁରକ୍ଷା କ୍ଷେତ୍ରରେ ଏହା ଏକ ଭଲ ଯୋଜନା ଏବଂ ରାଜ୍ୟର ଲୋକଙ୍କୁ ବିନା ପଇସାରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ରାଜ୍ୟର ୯୬.୫ ଲକ୍ଷ ପରିବାରକୁ ଏହି ଯୋଜନାରେ ସ୍ମର୍ଟ ହେଲ୍‌ଥ କାର୍ଡ ଯୋଗାଇ ଦିଆଯାଇଛି । ଏହାଦ୍ୱାରା ରାଜ୍ୟର ୩.୩୦ କୋଟି ଲୋକ ଉପକୃତ ହେଉଛନ୍ତି । ହିତାଧିକାରୀଙ୍କ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲଗୁଡ଼ିକୁ ତାଲିକାଭୁକ୍ତ କରାଯାଇଛି । ଏଥିରେ ପ୍ରତି ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଦିଆଯାଉଛି । ମହିଳା ହିତାଧିକାରୀଙ୍କ କ୍ଷେତ୍ରରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିପାରୁଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ବାହାରେ ଥିବା ହସ୍ପିଟାଲଗୁଡ଼ିକ ମଧ୍ୟରେ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଟାଟା ମେମୋରିଆଲ ହସ୍ପିଟାଲ, ସିଏମ୍‌ସି ଭେଲୋର, ଶଙ୍କର କ୍ୟାନ୍‌ସର ହସ୍ପିଟାଲ (ବାଙ୍ଗାଲୋର), ନାରାୟଣ ହୃଦୟାଳୟ ହସ୍ପିଟାଲ, ଫର୍ଟିସ୍ ହସ୍ପିଟାଲ, ଆପୋଲ ହସ୍ପିଟାଲ ଇତ୍ୟାଦି ରହିଛନ୍ତି । ୧୭ ରାଜ୍ୟରେ ଏହି ହସ୍ପିଟାଲ୍‌ଗୁଡ଼ିକ ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ସେବା ଯୋଗାଇ ଦେଉଛନ୍ତି । ସିଏମ୍‌ସି ଭେଲୋରରେ ୭୬ ଜଣ ଓ ଟାଟା ମେମୋରିଆଲ ହସ୍ପିଟାଲ ମୁମ୍ବାଇରେ ୯୭୯ ଜଣ ହିତାଧିକାରୀ ଚିକିତ୍ସା ସୁବିଧା ପାଇଛନ୍ତି । ୨୦୨୧ ସେପ୍ଟେମ୍ବର ୧ ରେ ଯୋଜନା ଆରମ୍ଭ ହେବା ଦିନଠାରୁ ବର୍ତ୍ତମାନ ସୁଦ୍ଧା ୫,୪୫,୩୩୯ ଜଣ ହିତାଧିକାରୀ ୧୨୯୧ କୋଟି ଟଙ୍କାର ଚିକିତ୍ସା ସୁବିଧା ପାଇଛନ୍ତି । ଏଥିମଧ୍ୟରୁ ରାଜ୍ୟ ବାହାର ହସ୍ପିଟାଲଗୁଡିକରେ ୨୩,୧୧୯ ଜଣ ହିତାଧିକାରୀ ୬୪.୨୫ କୋଟି ଟଙ୍କାର ଚିକିତ୍ସା ସୁବିଧା ପାଇଛନ୍ତି । ଘରୋଇ ହସ୍ପିଟାଲଗୁଡିକର ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ବହନ କରୁଛନ୍ତି । ସମୁଦାୟ ୫,୪୫,୩୩୯ ହିତାଧିକାରୀଙ୍କ ମଧ୍ୟରୁ ଅଢ଼େଇ ଲକ୍ଷ ହିତାଧିକାରୀ ପ୍ରତ୍ୟେକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇଥିବାବେଳେ ୨୨୫ ଜଣ ମହିଳା ରୋଗୀ ପ୍ରତ୍ୟେକ ୫ ଲକ୍ଷ ଟଙ୍କାରୁ ଅଧିକ ଚିକିତ୍ସା ସୁବିଧା ପାଇଛନ୍ତି । ୨୭ ଜଣ ମହିଳା ପ୍ରତ୍ୟେକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଗ୍ରହଣ କରିଛନ୍ତି । ବର୍ତ୍ତମାନ ମାସକୁ ପ୍ରାୟ ୭୩ ହଜାର ରୋଗୀ ତାଲିକାଭୁକ୍ତ ହସ୍ପିଟାଲ୍ ଗୁଡ଼ିକରେ ଚିକିତ୍ସା ପାଉଥିବା ବେଳେ ଏଥିପାଇଁ ରାଜ୍ୟ ସରକାର ମାସକୁ ୧୬୫ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ବିଭିନ୍ନ ତାଲିକାଭୁକ୍ତ ଡାକ୍ତରଖାନାରେ ଚିକିତ୍ସାଧୀନ ହିତାଧିକାରୀଙ୍କ ସହିତ ବିଏସ୍‌କେୱାଇ କର୍ତ୍ତୃପକ୍ଷ ସମ୍ପୂୂର୍ଣ୍ଣ ଯୋଗାଯୋଗରେ ଅଛନ୍ତି । ରୋଗୀଙ୍କ ସନ୍ତୋଷହାର ୯୭% ରହିଛି । ଏହାସହିତ ରୋଗୀଙ୍କ ଆଡ୍‌ମିଶନ ତଥା ଅନ୍ୟାନ୍ୟ ସହାୟତା ପାଇଁ ଏହି ଘରୋଇ ହସ୍ପିଟାଲଗୁଡ଼ିକରେ ସ୍ୱାସ୍ଥ୍ୟମିତ୍ରଙ୍କୁ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button