ଫସଲ ବୀମା ପ୍ରଦାନ ପାଇଁ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ନିକଟରେ ରାଜ୍ୟ ସମବାୟ ମନ୍ତ୍ରୀଙ୍କ ଦାବି

ଭୁବନେଶ୍ୱର: ଫସଲ ବୀମା ପ୍ରଦାନ କ୍ଷେତ୍ରରେ କେନ୍ଦ୍ର ସରକାର ଯୁଦ୍ଧକାଳୀନ ଭିତ୍ତିରେ ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ସାକ୍ଷାତ କରି ଦୃଢ଼ ଦାବି କରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଚାଷୀଭାଇମାନଙ୍କ କଲ୍ୟାଣ ପାଇଁ ଓଡ଼ିଶା ସରକାର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମେତ ଅନ୍ୟ କେନ୍ଦ୍ରୀୟ କ୍ଷେତ୍ର ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରୁଛନ୍ତି । ଓଡ଼ିଶା ଏକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରାଜ୍ୟର ଚାଷୀଭାଇମାନଙ୍କ ପାଇଁ ବିପଦ ହ୍ରାସ କରିବାର ଏକ ପ୍ରମୁଖ କାର୍ଯ୍ୟକ୍ରମ । ଏନ୍‌ଡିଆରଏଫ୍ / ଏସ୍‌ଡିଆରଏଫ୍ ନିୟମ ଅନୁଯାୟୀ ଚାଷୀମାନଙ୍କୁ ଏହି ସହାୟତା ପ୍ରଦାନ କରାଯାଉଛି । ୨୦୧୬ ମସିହାରୁ ରାଜ୍ୟ ସରକାର ଏହି ଯୋଜନାକୁ ନିଷ୍ଠାପର ଭାବେ କାର୍ଯ୍ୟକାରୀ କରୁଛନ୍ତି । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ବୈଷୟିକ ହସ୍ତକ୍ଷେପ ଗ୍ରହଣ କରାଯାଉଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରିମିୟମ୍ ସବ୍‌ସିଡିର ଅର୍ଥରାଶି ପ୍ରତିବର୍ଷ ବଢ଼ୁଥିବା ସତ୍ତ୍ୱେ ବୀମା କମ୍ପାନୀଗୁଡ଼ିକୁ ପ୍ରିମିୟମ୍ ସବ୍‌ସିଡି ଅର୍ଥରାଶି ପ୍ରଦାନ କ୍ଷେତ୍ରରେ ରାଜ୍ୟ ସରକାର ସବୁବେଳେ ନିର୍ଦ୍ଧାରିତ ସମୟସୀମାକୁ ମାନି ଆସିଛନ୍ତି । ୨୦୨୧ ଖରିଫ୍ ଋତୁରେ ବୀମା କମ୍ପାନୀଗୁଡ଼ିକ ୨୬୩ଟି ବୀମା ୟୁନିଟ୍‌ରେ (ଗ୍ରାମ ପଞ୍ଚାୟତ/ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା) ଫସଲ କଟା ଉପରେ ଆପତ୍ତି ଉଠାଇ ଥିଲେ ଓ ଚାଷୀଭାଇମାନଙ୍କ ବୀମା ଦାବିକୁ ଅଟକାଇ ରଖିଥିଲେ । ରାଜ୍ୟସ୍ତରୀୟ କମିଟିର ହସ୍ତକ୍ଷେପ ପରେ କେବଳ ୩୮ଟି ବୀମା ୟୁନିଟ୍ ପାଇଁ ବୀମା ରାଶି ମଞ୍ଜୁର ହୋଇଥିଲା । ଯଦିଓ ରାଜ୍ୟ ସରକାର ସମସ୍ତ ବୀମା ୟୁନିଟ୍ ସମ୍ବନ୍ଧୀୟ ମାମଲାର ବିସ୍ତୃତ ବିଶ୍ଳେଷଣ କରିଥିଲେ ତଥାପି ଅବଶିଷ୍ଟ ୨୨୫ଟି ବୀମା ୟୁନିଟ୍ ସମ୍ବନ୍ଧୀୟ ବୀମା ରାଶି ପ୍ରଦାନକୁ ବୀମା କମ୍ପାନୀ ଅଟକାଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ବିରୁଦ୍ଧରେ କେନ୍ଦ୍ର ସରକାରଙ୍କ ବୈଷୟିକ ପରାମର୍ଶଦାତା କମିଟିକୁ ଲେଖିଥିଲେ । ଏହି ୨୨୫ଟି ମାମଲା ମଧ୍ୟରୁ ବୈଷୟିକ ପରାମର୍ଶଦାତା କମିଟି ୧୮୯ଟି ମାମଲାର ଶୁଣାଣି ଗତ ନଭେମ୍ବର ୩ ତାରିଖ ଦିନ କରିଛି ଓ ଚୂଡ଼ାନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଏହି ବୈଠକରେ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ରାଜ୍ୟର ଅନେକ ଚାଷୀଙ୍କ ସମସ୍ୟାର ସମାଧାନ କରୁନାହିଁ । ଫସଲ ବୀମା କମ୍ପାନୀର ମନମାନିକୁ କେନ୍ଦ୍ର ସରକାର ଗ୍ରହଣ କରିବା କ୍ଷୋଭର ବିଷୟ ବୋଲି ମନ୍ତ୍ରୀ ଶ୍ରୀ ନାୟକ ଆଲୋଚନା ସମୟରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ତୋମାରଙ୍କୁ ଜଣାଇଥିଲେ । ବୀମା ରାଶି ପାଇବାରେ ଅହେତୁକ ବିଳମ୍ବ ଚାଷୀମାନଙ୍କ ଚାଷକାର୍ଯ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି । ବିଶେଷକରି କୋଭିଡ୍‌-୧୯ ମହାମାରୀର ଆର୍ôଥକ ଦୁରବସ୍ଥାରୁ ମୁକୁଳିବା ପାଇଁ ଚାଷୀକୁଳ ପ୍ରୟାସ କରୁଥିବା ବେଳେ ବୀମା କମ୍ପାନୀମାନଙ୍କ ଏତାଦୃଶ ଚାଷୀ ବିରୋଧୀ ପଦକ୍ଷେପ ଅନେକ ଜିଲ୍ଲାରେ କ୍ରମାଗତ ଭାବେ ଆଇନ ଶୃଂଖଳା ପରିସ୍ଥିତି ସୃଷ୍ଟି କରୁଛି । ୨୦୨୨ ଖରିଫ୍ ସମୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରାଜ୍ୟର ଚାଷୀମାନଙ୍କ ପଞ୍ଜିକରଣ ସଂଖ୍ୟାରେ ହ୍ରାସ ଘଟିଛି । ଖରିଫ ୨୦୨୧ ସମୟରେ ୧୦ ଲକ୍ଷ ୫୦ ହଜାର ହେକଫର ଚାଷ ଜମି ପାଇଁ ୧୨ ଲକ୍ଷ ୨୯ ହଜାର ଚାଷୀ ନାମ ପଞ୍ଜିକୃତ କରିଥିବାବେଳେ ୨୦୨୨ ଖରିଫ ସମୟରେ ୯ ଲକ୍ଷ ୫୮ ହଜାର ଚାଷ ଜମି ପାଇଁ ୧୧ ଲକ୍ଷ ୪୯ ହଜାର ଚାଷୀ ନାମ ପଞ୍ଜିକରଣ କରିଛନ୍ତି । ବୈଷୟିକ ପରାମର୍ଶଦାତା କମିଟି ବୈଠକରେ ଅଂଶଗ୍ରହଣ କରି ରାଜ୍ୟ ସରକାର ମହଲାନୋବିସ୍ ଜାତୀୟ ଶସ୍ୟ ଅମଳ ପୂର୍ବାନୁମାନ କେନ୍ଦ୍ର ଦ୍ୱାରା ଗ୍ରହଣ କରାଯାଇଥିବା ଅମଳର ଆକଳନ ପଦ୍ଧତି ସମ୍ବନ୍ଧରେ ନିର୍ଦ୍ଦିର୍ଷ୍ଟ କିଛି ପ୍ରସ୍ତାବ ଦେଇଛନ୍ତି । ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଦୃଷ୍ଟିକୋଣକୁ ବିଚାର କରି ରାଜ୍ୟର ଚାଷୀଭାଇମାନଙ୍କ ବୀମା ରାଶି ତୁରନ୍ତ ପ୍ରଦାନ କରିବାକୁ ବୈଷୟିକ ପରାମର୍ଶଦାତା କମିଟିକୁ ନିର୍ଦ୍ଦେଶ ଦେବାକୁ ରାଜ୍ୟ ସମବାୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ସାକ୍ଷାତ କରି ଦୃଢ଼ ଦାବି ଜଣାଇଛନ୍ତି । ସାକ୍ଷାତ ଆଲୋଚନା ସମୟରେ ରାଜ୍ୟ ସମବାୟ ମନ୍ତ୍ରୀ ଶ୍ରୀ ନାୟକଙ୍କ ସହ ସମବାୟ ସଚିବ ଶ୍ରୀ ସଂଜୀବ ଚଢା ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published.

Back to top button