ନବ ଦାସଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାସୁମନ

ଭୁବନେଶ୍ବର : ଆଜି ସ୍ବର୍ଗତ ନବକିଶୋର ଦାସଙ୍କ ଦ୍ବାଦଶ କ୍ରିୟା ।  ଝାରସୁଗୁଡ଼ା ସରବାହାଲ ହାଇସ୍କୁଲ୍ ପଡ଼ିଆରେ ସ୍ୱର୍ଗତଃ ମନ୍ତ୍ରୀ ନବ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଛି। ସ୍ମୃତିସଭାରେ ପହଞ୍ଚି ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇବା ସହ ନବଦାସଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଝାରସୁଗୁଡା ସରବାହାଲ ହାଇସ୍କୁଲ ପଡିଆରେ ଆଜି ସୃଷ୍ଟି ହୋଇଥିଲା ଭାବବିହ୍ୱଳ ପରିବେଶ। ଏଥିରେ ବିଭିନ୍ନ ରାଜନୈତିକ ଦଳର ନେତା, ନବ ଦାସଙ୍କ ସମର୍ଥକଙ୍କ ସମେତ ପ୍ରମୁଖ ବ୍ୟକ୍ତି ଯୋଗ ଦେଇଥିଲେ ।  ଶ୍ରଦ୍ଧାଞ୍ଜଳି ସଭାରେ ଷ୍ଟେଜ ଉପରେ ଭାଷଣ ଦେବାବେଳେ ବାପାଙ୍କୁ ମନେ ପକାଇ ନବଙ୍କ କାନ୍ଦି ପକାଇଥିଲେ ଝିଅ ଦୀପାଳି । କାନ୍ଦି କାନ୍ଦି ସେ କହିଥିଲେ, ‘ମୁଁ କେବେ ଭାବି ନଥିଲି ମୋ ବାପାଙ୍କ ନାଁ ପୂର୍ବରୁ ସ୍ୱର୍ଗତଃ ଲଗାଇବାକୁ ପଡ଼ିବ। ହେଲେ ଆଜି ଲଗାଇବାକୁ ପଡ଼ୁଛି। ଯେତେବେଳେ ବି ମୁଁ ଷ୍ଟେଜ୍‌କୁ ଆସୁଥିଲି କିଛି କହିବା ପାଇଁ, ପଛରେ ବାପା ବସି ମୋ ଭାଷଣ ଶୁଣୁଥିଲେ ଆଉ କହୁଥିଲେ, ଦୀପାଳି ତୁ ଭଲ କହୁଛୁ। ହେଲେ ଆଜି ସେ ମୋ ପାଖରେ ନାହାନ୍ତି। କିନ୍ତୁ ମୁଁ ଜାଣିଛି ଆଜିବି ସେ ମୋ ପଛ ଆଡ଼େ ଛିଡ଼ା ହୋଇଛନ୍ତି। ଆଜି ବି ମୁଁ ଯାହା କହିବି ସବୁ ସେ ଶୁଣୁଛନ୍ତି। ଆଉ ସବୁବେଳେ ବାପା ମୋ ସହ ଅଛନ୍ତି।’ ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ସଚିବ ଭି.କେ.ପାଣ୍ଡିଆନ୍ ମଧ୍ୟ ସ୍ମୃତିସଭାରେ ଯୋଗ ଦେଇଛନ୍ତି। ବିଧାୟକ ଶାରଦା ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ‌ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ, ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଗଣଶିକ୍ଷା ମନ୍ତ୍ରୀ ସମୀର‌ ଦାସ, ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ସହ ବହୁ ନେତା, ମନ୍ତ୍ରୀ ଏବଂ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ।

Related Articles

Leave a Reply

Your email address will not be published.

Back to top button