ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ୧୮୦ ଦିନ ମହିଳା ସରକାରୀ କର୍ମଚାରୀଙ୍କ ମାତୃତ୍ୱ ଛୁଟି

ଭୁବନେଶ୍ୱର: ଦୀର୍ଘଦିନର ଦାବି ପୂରଣ ହୋଇଛି। ଦୂର ହୋଇଛି ସମସ୍ୟା। ୧୮୦ ଦିନ ହୋଇଛି ମହିଳା ସରକାରୀ କର୍ମଚାରୀଙ୍କ ମାତୃତ୍ୱ ଛୁଟି। କିନ୍ତୁ ମାତୃତ୍ୱ ଛୁଟି କେଉଁ ଅବଧି ଭିତରେ ନିଆଯାଇପାରିବ, ସେ ବିଷୟରେ କିଛିଟା ଦ୍ୱନ୍ଦ୍ୱ ଥିଲା। ଏବେ ସେହି ଦ୍ୱନ୍ଦ୍ୱ ଦୂର ହୋଇଛି ଏବଂ କେଉଁ ପରିସ୍ଥିତିରେ କିପରି ଛୁଟି ନେବେ ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ନିୟମ ସ୍ଥିରୀକୃତ କରାଯାଇଛି। ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଏହାଦ୍ୱାରା ମହିଳା ସରକାରୀ କର୍ମଚାରୀମାନେ ମାତୃତ୍ୱ କ୍ଷେତ୍ରରେ ଛୁଟି ପାଇବାରେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ ତାହା ଦୂର ହୋଇଛି। ଏହା ସହିତ, ଜଣେ ମହିଳା ସରକାରୀ କର୍ମଚାରୀ ଶିଶୁ ଜନ୍ମ ସମୟରେ ସରକାରୀ ସେବାରେ ନ ଥାଇ, ପରବର୍ତ୍ତୀ ସମୟରେ ସେବାରେ ଯୋଗଦେବା ପରେ, ମାତୃତ୍ୱ ଛୁଟି ଉପଲବ୍ଧ କରିବା ଉପରେ ମଧ୍ୟ ଦ୍ୱନ୍ଦ୍ୱ ଥିଲା। ସେ ସମସ୍ୟା ମଧ୍ୟ ଦୂର ହୋଇପାରିଛି। ଗର୍ଭପାତ, ଜନ୍ମିତ ଶିଶୁର ମୃତ୍ୟୁ ଓ ମୃତ ଶିଶୁ ଜନ୍ମ କ୍ଷେତ୍ରରେ ମଧ୍ୟ ଛୁଟିନେବାର ନିର୍ଦ୍ଦିଷ୍ଟ ନିୟମ କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନୂତନ ନିଷ୍ପତ୍ତି ଅନୁଯାୟୀ ସମ୍ଭାବ୍ୟ ପ୍ରସବ ତାରିଖର ତିନିମାସ ପୂର୍ବରୁ ଏବଂ ପ୍ରସବ ତାରିଖର ଛଅମାସ ମଧ୍ୟରେ, ଜଣେ ମହିଳା ସରକାରୀ କର୍ମଚାରୀ ୧୮୦ ଦିନର ମାତୃତ୍ୱ ଛୁଟି ନେଇପାରିବେ। କିନ୍ତୁ ଜଣେ ମହିଳା ସରକାରୀ କର୍ମଚାରୀ ଯିଏ ଶିଶୁ ଜନ୍ମ ସମୟରେ ସରକାରୀ ସେବାରେ ନଥିଲେ, ସେ ସରକାରୀ ସେବାରେ ଯୋଗଦେବା ପରେ, ତାଙ୍କର ଶିଶୁକୁ ଛଅମାସ ହେବା ପର୍ଯ୍ୟନ୍ତ ମାତୃତ୍ୱ ଛୁଟି ନେଇପାରିବେ। ଏହି କ୍ଷେତ୍ରରେ, ମାତୃତ୍ୱ ଛୁଟି ୧୮୦ଦିନରୁ କମ୍ ହେବ। ଉଦାହରଣ ସୂରୂପ ଜଣେ ମହିଳାଙ୍କ ପ୍ରସବ ତାରିଖ ହେଉଛି ୦୧.୦୪.୨୦୨୫ । ତାଙ୍କର ଶିଶୁକୁ ୨୭.୦୯.୨୦୨୫ରେ ଛଅମାସ ପୂର୍ଣ୍ଣହେବ। ଯଦି ସେ ୧୯.୦୬.୨୦୨୫ ତାରିଖରେ ସରକାରୀ ସେବାରେ ଯୋଗଦେଇ ମାତୃତ୍ୱ ଛୁଟି ପାଇଁ ଆବେଦନ କରନ୍ତି, ତେବେ ସେ ୨୦.୦୬.୨୦୨୫ରୁ ୨୭.୦୯.୨୦୨୫ ତାରିଖ ପର୍ଯ୍ୟନ୍ତ (ଅର୍ଥାତ୍ କେବଳ ୧୦୦ ଦିନ) ମାତୃତ୍ୱ ଛୁଟି ପାଇଁ ଯୋଗ୍ୟ ହେବେ। ଜଣେ ମହିଳା ସରକାରୀ କର୍ମଚାରୀ ମାତୃତ୍ୱ ଛୁଟିରେ ଥିବା ସମୟରେ ଯଦି ଗର୍ଭପାତ କିମ୍ବା ଜନ୍ମିତ ଶିଶୁର ମୃତ୍ୟୁ (ଜନ୍ମର ୨୮ ଦିନ ମଧ୍ୟରେ) କିମ୍ବା ମୃତ ଶିଶୁ ଜନ୍ମ (୨୮ସପ୍ତାହ କିମ୍ବା ତଦୁର୍ଦ୍ଧ୍ୱ ସମୟର ଗର୍ଭଧାରଣ ପରେ ଯଦି ନିର୍ଜୀବ ଶିଶୁର ଜନ୍ମହୁଏ) ହୁଏ, ତେବେ ତାଙ୍କର ମାତୃତ୍ୱ ଛୁଟିର ଅବଧି ସେହି ତାରିଖରୁ ୪୨ଦିନ ପର୍ଯ୍ୟନ୍ତ ରହିବ। କିନ୍ତୁ ଯଦି ଶିଶୁର ମୃତ୍ୟୁ ଜନ୍ମର ୨୯ଦିନରୁ ୧୨୦ଦିନ ମଧ୍ୟରେ ହୁଏ, ତେବେ ସମ୍ପୃକ୍ତ ମହିଳା ସରକାରୀ କର୍ମଚାରୀଙ୍କ ମାତୃତ୍ୱ ଛୁଟି ସେହି ଦୁର୍ଘଟଣା ଦିନଠାରୁ ୧୪ଦିନ ପର୍ଯ୍ୟନ୍ତ ରହିବ। ଯଦି ତାଙ୍କର ମାତୃତ୍ୱ ଛୁଟିର ଅବଧି ଶେଷ ହୋଇଯାଇଥିବ, ତେବେ ସେ ୧୪ଦିନର ସ୍ୱତନ୍ତ୍ର ମାତୃତ୍ୱ ଛୁଟି ପାଇବେ କିମ୍ବା ଯଦି ତାଙ୍କର ମାତୃତ୍ୱ ଛୁଟିର ଅବଧି ଦୁର୍ଘଟଣା ଦିନଠାରୁ ୧୪ ଦିନ ଭିତରେ ଶେଷ ହୋଇଯାଉଥିବ, ତେବେ ସେ ୧୪ଦିନରୁ ଯେତିକି ଦିନ ବଳକା ରହିଯାଉଥିବ, ସେତିକି ଦିନର ସ୍ୱତନ୍ତ୍ର ମାତୃତ୍ୱ ଛୁଟି ପାଇବେ। ଉଦାହରଣ-୧: ଜଣେ ମହିଳା ସରକାରୀ କର୍ମଚାରୀଙ୍କ ସମ୍ଭାବ୍ୟ ପ୍ରସବ ତାରିଖ (ଇଡିଡି) ହେଉଛି ୩୦.୦୬.୨୦୨୫ ଏବଂ ସେ ଚିକିତ୍ସାଜନିତ ଜଟିଳତା ହେତୁ ଉପରୋକ୍ତ ଇଡିଡିର ତିନି ମାସ ପୂର୍ବରୁ ଯଥା ୦୧.୦୪.୨୦୨୫ ତାରିଖରୁ ମାତୃତ୍ୱ ଛୁଟି ନେଇଛନ୍ତି । ଯଦି ତାଙ୍କର ୦୧.୦୬.୨୦୨୫ ତାରିଖରେ ମୃତ ଶିଶୁ ଜନ୍ମ ହୁଏ, ତେବେ ସେହି ତାରିଖରୁ ୪୨ ଦିନ ପର୍ଯ୍ୟନ୍ତ ଅର୍ଥାତ୍ ୧୨.୦୭ ୨୦୨୫ ତାରିଖ ପର୍ଯ୍ୟନ୍ତ ସେ ମାତୃତ୍ୱ ଛୁଟି ନେଇପାରିବେ।ଉଦାହରଣ-୨: ଜଣେ ମହିଳା ସରକାରୀ କର୍ମଚାରୀଙ୍କ ପ୍ରସବ ତାରିଖ ହେଉଛି ୦୧.୦୪.୨୦୨୫। ଯଦି ୨୮.୦୪.୨୦୨୫ ତାରିଖରେ ତାଙ୍କର ଜନ୍ମିତ ଶିଶୁର ମୃତ୍ୟୁ ହୁଏ, ତେବେ ସେହି ତାରିଖରୁ ୪୨ ଦିନ ପର୍ଯ୍ୟନ୍ତ ଅର୍ଥାତ୍ ୦୮.୦୬.୨୦୨୫ ତାରିଖ ପର୍ଯ୍ୟନ୍ତ ସେ ମାତୃତ୍ୱ ଛୁଟି ନେଇପାରିବେ। ଉଦାହରଣ-୩: ଜଣେ ମହିଳା ସରକାରୀ କର୍ମଚାରୀଙ୍କ ପ୍ରସବ ତାରିଖ ହେଉଛି ୦୧.୦୪.୨୦୨୫। ଯଦି ୦୧.୦୫.୨୦୨୫ ତାରିଖରେ ତାଙ୍କର ଜନ୍ମିତ ଶିଶୁର ମୃତ୍ୟୁ ହୁଏ, (ଅର୍ଥାତ୍ ଜନ୍ମର ୨୮ଦିନ ପରେ ଶିଶୁର ମୃତ୍ୟୁ ହୁଏ) ତେବେ ସେହି ତାରିଖରୁ ୧୪ ପର୍ଯ୍ୟନ୍ତ ଅର୍ଥାତ୍ ୧୪.୦୫.୨୦୨୫ ତାରିଖ ପର୍ଯ୍ୟନ୍ତ ସେ ମାତୃତ୍ୱ ଛୁଟି ନେଇପାରିବେ। ଉଦାହରଣ-୪: ଜଣେ ମହିଳା ସରକାରୀ କର୍ମଚାରୀ ୩୧.୦୧.୨୦୨୫ ତାରିଖରୁ ମାତୃତ୍ୱ ଛୁଟି ନେଇଛନ୍ତି ଏବଂ ତାଙ୍କର ପ୍ରସବ ତାରିଖ ହେଉଛି ୦୧.୦୪.୨୦୨୫। ଯଦି ୨୯.୦୭.୨୦୨୫ ତାରିଖରେ ତାଙ୍କର ଜନ୍ମିତ ଶିଶୁର ମୃତ୍ୟୁ ହୁଏ, (ଅର୍ଥାତ୍, ଜନ୍ମର ୧୨୦ ଦିନରେ ଏବଂ ମାତୃତ୍ୱ ଛୁଟି ଅବଧିର ଶେଷ ଦିନରେ ) ତେବେ ସେହି ତାରିଖରୁ ୧୪ଦିନ ପର୍ଯ୍ୟନ୍ତ ଅର୍ଥାତ୍ ୧୨.୦୭.୨୦୨୫ତାରିଖ ପର୍ଯ୍ୟନ୍ତ ସେ ମାତୃତ୍ୱ ଛୁଟି ନେଇପାରିବେ। ଉଦାହରଣ-୫: ଜଣେ ମହିଳା ସରକାରୀ କର୍ମଚାରୀ ୦୭.୦୨.୨୦୨୫ ତାରିଖରୁ ୦୫.୦୮.୨୦୨୫ ତାରିଖ ପର୍ଯ୍ୟନ୍ତ (ଛଅ ମାସ) ମାତୃତ୍ୱ ଛୁଟି ନେଇଛନ୍ତି ଏବଂ ତାଙ୍କର ପ୍ରସବ ତାରିଖ ହେଉଛି ୦୧.୦୪.୨୦୨୫। ଯଦି ୨୯.୦୭.୨୦୨୫ ତାରିଖରେ ତାଙ୍କର ଜନ୍ମିତ ଶିଶୁର ମୃତ୍ୟୁ ହୁଏ, (ଅର୍ଥାତ୍ ଜନ୍ମର ୧୨୦ଦିନରେ ଏବଂ ମାତୃତ୍ୱ ଛୁଟି ଅବଧିର ୧୭୩ ଦିନରେ) ତେବେ ସେ ଦୁର୍ଘଟଣା ଦିନଠାରୁ ୧୪ଦିନ ପର୍ଯ୍ୟନ୍ତ ଅର୍ଥାତ୍ ୧୨.୦୮.୨୦୨୫ ତାରିଖ ପର୍ଯ୍ୟନ୍ତ ମାତୃତ୍ୱ ଛୁଟି ନେଇପାରିବେ। ଏହି କ୍ଷେତ୍ରରେ, ତାଙ୍କର ମାତୃତ୍ୱ ଛୁଟିର ଅବଧି ୧୮୭ ଦିନ (୦୭.୦୨.୨୦୨୫ଠାରୁ ୧୨.୦୮.୨୦୨୫ ପର୍ଯ୍ୟନ୍ତ) ହେବ। ଦୁଇଟିରୁ କମ୍ ଜୀବିତ ପିଲା ଥିବା ମହିଳା ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ଏହି ମାତୃତ୍ୱ ଛୁଟି ପ୍ରଦାନ କରାଯିବ। ଶିଶୁ ପ୍ରସବ ଯେକୌଣସି ସ୍ୱୀକୃତିପ୍ରାପ୍ତ ଚିକିତ୍ସାଳୟରେ ହେବା ଆବଶ୍ୟକ। ଯଦି ମାତୃତ୍ୱ ଛୁଟି ସମୟରେ ଜଣେ ମହିଳା ସରକାରୀ କର୍ମଚାରୀଙ୍କୁ ଉଚ୍ଚ ପଦବୀକୁ ପଦୋନ୍ନତି ଦିଆଯାଏ, ତେବେ ତାଙ୍କର ସେହି ଉଚ୍ଚ ପଦବୀରେ ଯୋଗଦାନ ରିପୋର୍ଟ ( ହାର୍ଡ କିମ୍ବା ସଫ୍ଟ କପି ) ଯେଉଁଦିନ ଉପଯୁକ୍ତ କର୍ତ୍ତୃପକ୍ଷ ପାଇବେ, ସେହିଦିନ ସେ ସେହି ଉଚ୍ଚ ପଦବୀରେ ଯୋଗଦେଲେ ବୋଲି ଧରାଯିବ। ସେ ତାଙ୍କର ମାତୃତ୍ୱ ଛୁଟିର ଅବଶିଷ୍ଟ ଅବଧି ନିରବଚ୍ଛିନ୍ନ ଭାବେ ନେଇପାରିବେ। ଜଣେ ମହିଳା ସରକାରୀ କର୍ମଚାରୀ ତାଙ୍କର ମାତୃତ୍ୱ ଛୁଟି ଏକକାଳୀନ ନିରବଚ୍ଛିନ୍ନ ଭାବେ ବା ବିଭିନ୍ନ ପର୍ଯ୍ୟାୟରେ ନେଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।