ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପିତ: ଗ୍ରାମସଭା ଯୋଗ୍ୟ ବିବେଚିତ ୮.୫୯ ଲକ୍ଷ ହିତାଧିକାରୀ ବାଦ୍

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଥିବା ଗୃହଗୁଡ଼ିକରେ ମଞ୍ଜୁରୀ ଅଗ୍ରାଧିକାର ସଂଖ୍ୟାଗୁଡ଼ିକୁ ପାଳନ କରାଯାଇନାହିଁ । ସମସ୍ତ ୨୪ଟି ପରୀକ୍ଷା ଯାଞ୍ଚ ହୋଇଥିବା ପଞ୍ଚାୟତ ସମିତି(ପିଏସ୍‌)ଗୁଡ଼ିକରେ ଗୃହ ମଞ୍ଜୁର କରିବା ସମୟରେ ଦିଆଯାଇଥିବା ଅଗ୍ରାଧିକାର ସଂଖ୍ୟା ଉଲ୍ଲଙ୍ଘନ କରାଯାଇଛି । ଏପରିକି ସ୍ଥାୟୀ ଅପେକ୍ଷା ତାଲିକାରୁ ଗ୍ରାମସଭା ଦ୍ୱାରା ଯୋଗ୍ୟ ବିବେଚିତ ହୋଇଥିବା ୮.୫୯ ଲକ୍ଷ ହିତାଧିକାରୀଙ୍କୁ ବାଦ୍ ଦିଆଯାଇଛି । ସେହିପରି ସ୍ଥାୟୀ ୱେଟିଂ ଲିଷ୍ଟକୁ ୨୦୨୧ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟ ସରକାର ଚୂଡ଼ାନ୍ତ ନକରିବାରୁ ମଞ୍ଜୁରୀପ୍ରାପ୍ତ ୫.୨୭ଲକ୍ଷ ଘରକୁ ଫେରସ୍ତ କରିଥିଲେ । ମହାଲେଖାଗାର ନିୟନ୍ତ୍ରକ ତଥା ମହାଲେଖା ପରୀକ୍ଷକ ବା ସିଏଜି ତାଙ୍କ ରିପୋର୍ଟରେ ସ୍ପଷ୍ଟ କରିଛନ୍ତି ।
ମଙ୍ଗଳବାର ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ସାଧାରଣ ଓ ସାମାଜିକ କ୍ଷେତ୍ର ଉପରେ ୩ଟି ମହାଲେଖାଗାର ନିୟନ୍ତ୍ରକ ତଥା ମହାଲେଖା ପରୀକ୍ଷକ ବା ସିଏଜି ରିପୋର୍ଟ-୨୦୨୧ ଉପସ୍ଥାପିତ ହୋଇଛି । ପଞ୍ଚାୟତି ରାଜ ଅନୁଷ୍ଠାନ (ପିଆର୍‌ଆଇ) ଉପରେ ପର୍ଯ୍ୟବେକ୍ଷଣ ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣର କାର୍ଯ୍ୟକାରିତା ଉପରେ ପର୍ଯ୍ୟବେଶିତ ଅଡିଟ୍ ରିପେର୍ଟରେ ବ୍ୟାପକ ଅନୀୟମିତତା ସିଏଜି ଦର୍ଶାଇଛନ୍ତି । କଚ୍ଚା ଘରେ ରହୁଥିବା ହିତାଧିକାରୀଙ୍କୁ ୨୦୧୬ ଏପ୍ରିଲ ପହିଲାରୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) କାର୍ଯ୍ୟକାରୀ ହେଉଛି । ଏହି ପିଏମ୍‌ଆବାସ ଯୋଜନାର କାର୍ଯ୍ୟକାରିତାର କିପରି ହେଉଛି ତାହା ଉପରେ ସିଏଜି ଅଡିଟ୍ କରିଥିଲେ । ୨୦୧୬-୧୭ରୁ ୨୦୨୦-୨୧ ମଧ୍ୟରେ ୮ଟି ଜିଲ୍ଲା ଯଥା ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କଳାହାଣ୍ଡି, ମୟୂରଭଞ୍ଜ, ନୂଆପଡ଼ା ଓ ସୋନପୁରରେ ଅଡ଼ିଟ୍ ହେଲା । ପ୍ରତି ଜିଲ୍ଲା ଓ ବ୍ଲକ୍‌ରୁ ୩ଟି ଲେଖାଏଁ ଗ୍ରାମପଞ୍ଚାୟତରେ ଏହି ଅଡିଟ୍ ହୋଇଥିଲା । ଏହି ପିଏମ୍‌ଆବାସ ଯୋଜନାର ହିତାଧିକାରୀ ଚୟନ ନିମନ୍ତେ କେନ୍ଦ୍ର ସରକାର ସାମାଜିକ ଆର୍ôଥକ ଓ ଜାତି ଜନଗଣନା(ଏସଇସିସି-୨୦୧୧ ତାଲିକା)ର ତଥ୍ୟ ଓ ଗ୍ରାମସଭାରେ ସ୍ଥାୟୀ ୱେଟିଂ ଲିଷ୍ଟର ଚୂଡ଼ାନ୍ତ ସହିତ ଯୋଗ୍ୟ ହିତାଧିକାରୀମାନଙ୍କ ଚିହ୍ନଟ କରିବାକୁ ରାଜ୍ୟ ସରକାରଙ୍କୁ କହିଥିଲେ । ତେବେ ଗ୍ରାମସଭା ଦ୍ୱାରା ଚିହ୍ନଟ ହୋଇଥିବା ୮.୫୯ଲକ୍ଷ ହିତାଧିକାରୀଙ୍କୁ ଅନିୟମିତ ଭାବେ ରାଜ୍ୟ ସରକାର ସ୍ଥାୟୀ ୱେଟିଂ ଲିଷ୍ଟରୁ ବାଦ୍ ଦେଲେ ଓ ସେମାନେ ଯୋଜନାରୁ ବଂଚିତ ହୋଇଥିଲେ । ସିଏଜି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଥିବା ଗୃହ ବଣ୍ଟନ ନେଇ ହୋଇଥିବା ଜାଲିଆତି କାର୍ଯ୍ୟ ନିର୍ଦ୍ଦେଶ ଜାରି କରାଯାଇଥିଲା । ଅଥଚ ଅଣ ହିତାଧିକାରୀଙ୍କୁ ଦେୟ ପ୍ରଦାନ କରାଯାଇଥିଲା । ୦.୪୧ ଲକ୍ଷ ଗୃହକୁ ମଞ୍ଜୁର କରାଯାଇ ନଥିବାରୁ ରାଜ୍ୟକୁ ୨୯୫ କୋଟି ଟଙ୍କାର ପରିହାର୍ଯ୍ୟ ଆର୍ôଥକ ବୋଝ ବହନ କରିବାକୁ ପଡ଼ିବ । ଅସମ୍ପୂର୍ଣ ଘରଗୁଡ଼ିକ ଆୱାସ୍‌ଫ୍ଟରେ ସଂପୂର୍ଣ ହୋଇଯାଇଥିବା ଦର୍ଶାଯାଇଥିଲା, ବ୍ୟବସାୟିକ ଉଦ୍ଦେଶ୍ୟରେ ତଥା । ବଡ଼ ଆକାରରେ ଘର ନିର୍ମାଣ କରାଯିବାର ମଧ୍ୟ ପରିଲକ୍ଷିତ ହୋଇଥିଲା । ସିଏଜି ପୁଣି କହିଛନ୍ତି ଯେ, ଧାର୍ଯ୍ୟ ସମୟ ସୀମା ଭିତରେ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାରେ ରାଜ୍ୟ ବିଫଳ ହେବାରୁ ୧୨.୨୫ଲକ୍ଷ ହିତାଧିକାରୀ ସ୍ଥାୟୀ ୱେଟିଂ ଲିଷ୍ଟରେ ସାମିଲ ହୋଇପାରିଲେ ନାହିଁ । ଯୋଜନାରୁ ବଂଚିତ ବି ହେଲେ । ପିଏମ୍‌ଆବାସ ଯୋଜନା ପାଇଁ ଉଦ୍ଦିଷ୍ଟ ମାନଦଣ୍ଡକୁ ଉଲ୍ଲଘଂନ କରି ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ଆବଂଟନ ହୋଇଛି । ଯଦିଓ ଗ୍ରାମସଭା ୨୭.୪୫ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିଥିଲା କିନ୍ତୁ ରାଜ୍ୟ ସ୍ଥାୟୀ ୱେଟିଂ ଲିଷ୍ଟରେ ୨୦୨୧ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ୧୮.୮୬ଲକ୍ଷ ହିତାଧିକାରୀ ଥିଲେ, ତେଣୁ ୮.୫୯ଲକ୍ଷ ହିତାଧିକାରୀ ବାଦ୍ ପଡ଼ିଲେ । ତେଣୁ ନିୟମାନୁସାରେ ତାହା ହୋଇନାହିଁ ବୋଲି ସିଏଜି ତାଙ୍କ ତଥ୍ୟ ସମ୍ବଳିତ ରିପୋର୍ଟରେ କ୍ଷୋଭ ପ୍ରକାଶ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button