କ୍ୟାବିନେଟ୍: ଦିଲ୍ଲୀ ମେଟ୍ରୋକୁ ଦିଆଗଲା ଭୁବନେଶ୍ୱର ମେଟ୍ରୋ ନିର୍ମାଣ ଦାୟିତ୍ୱ

ଭୁବନେଶ୍ୱର: ଦିଲ୍ଲୀ ମେଟ୍ରୋ ରେଳ ନିଗମକୁ ଭୁବନେଶ୍ୱରରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ ନିର୍ମାଣ ଦାୟିତ୍ୱ ନ୍ୟସ୍ତ ହୋଇଛି । ଭୁବନେଶ୍ୱର ମେଟ୍ରୋ ରେଳ ନିଗମ ତତ୍ତ୍ୱାବଧାନରେ ଏହି ନିର୍ମାଣ କାର୍ୟ୍ୟ ହେବ । ଏଥିପାଇଁ ଦିଲ୍ଲୀ ମେଟ୍ରୋ ରେଳ ନିଗମକୁ ୩୨୬.୫୬ କୋଟି ଟଙ୍କାର ଫି’ ଦିଆଯିବ । ରାଜ୍ୟ କ୍ୟାବିନେଟ୍ ଆଜି ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହି ପ୍ରସ୍ତାବ ସମେତ ୧୧ଟି ବିଭାଗର ମୋଟ ୧୨ ପ୍ରସ୍ତାବକୁ କ୍ୟାବିନେଟ୍ ଆଜି ମଞ୍ଜୁରୀ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ରାଜ୍ୟ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ୟ୍ୟାୟ କାର୍ୟ୍ୟ ଭୁବନେଶ୍ୱର ବିମାନ ବନ୍ଦରଠାରୁ ତ୍ରିଶୁଳିଆ ପର୍ୟ୍ୟନ୍ତ ନିର୍ମାଣ ନିମନ୍ତେ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଦିଲ୍ଲୀ ମେଟ୍ରୋ ରେଳ ନିଗମକୁ ଟର୍ଣ୍ଣ କି କନ୍ସଲଟାଣ୍ଟ ଭାବେ ନିଯୁକ୍ତି ଦିଆଯାଇଛି । ପ୍ରଥମ ପର୍ୟ୍ୟାୟରେ ଏହି ପ୍ରକଳ୍ପ ପାଇଁ ମୋଟ ୫୯୨୯.୩୮କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ପ୍ରଥମ ପର୍ୟ୍ୟାୟର କାର୍ୟ୍ୟକୁ ୪ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ପର୍ୟ୍ୟନ୍ତ ୨୬କିମି ଦ୍ୱରତ୍ୱ ମଧ୍ୟରେ ମୋଟ ୨୦ଟି ମେଟ୍ରୋ ଷ୍ଟେସନ ନିର୍ମାଣ କରାଯିବ । ଅତ୍ୟାଧୁନିକ ରେଳ କୋଚ୍ ବ୍ୟବହାର କରାଯିବ । ଅତ୍ୟାଧୁନିକ ଟିକେଟ୍ ବ୍ୟବସ୍ଥା ଓ ସିଗନାଲ ବ୍ୟବହାର ହେବ । ଇଲିଭେଟେଡ୍ ଭାୟଡକ୍ଟ ଉପରେ ସମସ୍ତ ମେଟ୍ରୋ ଧାରଣା ଓ ଷ୍ଟେସନ ରହିବ ।

Related Articles

Leave a Reply

Your email address will not be published.

Back to top button