ବଡପରଦାରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ‘ବୋଉର ହାତ ବାକ୍ସ’

ଭୁବନେଶ୍ବର: ଭୁବନେଶ୍ବର ଠାରେ ଏକ ପଞ୍ଚତାରକା ହୋଟେଲରେ ଗତକାଲି  ନୂଆ ଚଳଚ୍ଚିତ୍ର ‘ବୋଉର ହାତ ବାକ୍ସ’ ର ଅଫିସିଆଲ୍ ଟ୍ରେଲର ରିଲିଜ୍ ହୋଇଥିଲା। ଏହି ଅବସରରେ ବରିଷ୍ଠ ପ୍ରଯୋଜକ ପ୍ରଦ୍ୟୁମ୍ନ ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର‌୍ୟ୍ୟକ୍ରମକୁ ପ୍ରଦୀପ ପ୍ରଯୋଳକ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ନିର୍ଦ୍ଦେଶକ ନାରାୟଣ ପତି,ବରିଷ୍ଠ ପ୍ରଯୋଜକ ସଚ୍ଚିକାନ୍ତ ଜେନା,ଶ୍ରୀଧର ମାର୍ଥା ,ବିନି ପଟ୍ଟନାୟକ, ସୂର୍ଯ୍ୟ ରଥ ଅଭିନେତ୍ରୀ ସୁଶ୍ରୀ ସବିତା ପ୍ରମୁଖ ଉପସ୍ଥିତ ଥିଲେ। ମୁକ୍ତିଲାଭ ପୂର୍ବରୁ ଏବେ ବେଶ ଚର୍ଚ୍ଚାରେ ଓଡିଆ ଚଳଚ୍ଚିତ୍ର ‘ବୋଉର ହାତ ବାକ୍ସ’ । ଗାଁରେ ଥିବା ପରିବାର ଓ ସହରରେ ରହୁଥିବା ପୁଅକୁ ନେଇ କାହାଣୀ ଗତିଶୀଳ ହୋଇଥିବା ଅନୁମାନ କରାଯାଉଥିବା ବେଳେ ‘ବୋଉର ହାତ ବାକ୍ସ’କୁ ଅତି ନିଖୁଣ ଭାବେ ନିର୍ଦ୍ଦେଶକ ଶ୍ରୀଯୁକ୍ତ ନାରାୟଣ ପତି ସଜାଇଛନ୍ତି । ଓଡିଆ ପରିବାରର ଶବ୍ଦ ଚାତୁରୀ ଏହି ସିନେମାରେ ଦେଖିବାକୁ ମିଳିଛି । ପରିବାର ଭିତରେ ଥିବା ସ୍ନେହ ଓ ସମ୍ପର୍କକୁ ବଡପରଦାରେ ଦେଖାଇଛନ୍ତି ନିର୍ଦ୍ଦେଶକ ଶ୍ରୀଯୁକ୍ତ ପତି । ଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିବାରେ ଲାଗିଛି । ସିନେମାରେ ବୋଉ ଭୂମିକାରେ ଅଭିନୟ କରିଛନ୍ତି ଲୋପାମୁଦ୍ରା ମିଶ୍ର । ସେ ପ୍ରଥମ ଥର ପାଇଁ ବଡ ପରଦାରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ପୂର୍ବରୁ ଯଦିଓ ସେ ବଡପରଦାରେ ଦେଖା ଦେଇଛନ୍ତି କିନ୍ତୁ ପ୍ରଥମ କରି ତାଙ୍କୁ ସିନେମାରେ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ । ଗାଁରେ ରହୁଥିବା ମା’ର, ମାଇଲ ମାଇଲ ଦୂର ସହରରେ ରହୁଥିବା ପୁଅ ପ୍ରତି ଥିବା ବାତ୍ସଲ୍ୟ ମମତା ଓ ଅନାବିଳ ପ୍ରେମକୁ ଅଭିନୟ ମାଧ୍ୟମରେ ଦର୍ଶାଯାଇଛି । ଯାହାକୁ ଅତି ସୁନ୍ଦର ଭାବେ ତୋଳି ଧରିଛନ୍ତି ଲୋପାମୁଦ୍ରା । ପରିବାର ପ୍ରତି ଦାୟିତ୍ୱ, ବୟସ୍କ ସ୍ୱାମୀଙ୍କ ପ୍ରତି କର୍ତ୍ତବ୍ୟ ଓ ଘର ଠାରୁ ଦୂରରେ ରହୁଥିବା ପୁଅ ପ୍ରତି ସମ୍ବେଦନଶୀଳତା କିଭଳି ରହିବା ଦରକାର ତାହା ସିନେମାରେ ଅଭିନୟ କରି ଦେଖାଇଛନ୍ତି ଲୋପାମୁଦ୍ରା । ବରିଷ୍ଠ ମଞ୍ଚ ଅଭିନେତା, ନିର୍ଦ୍ଦେଶକ ନାରାୟଣ ପତିଙ୍କ ନିର୍ଦ୍ଦେଶନାରେ ବୋଉ ଚରିତ୍ରର ନିଖୁଣ ଅଭିନୟ କରାଯାଇଛି । ଏକ ମଧ୍ୟବିତ୍ତ ପରିବାରରେ ବୋଉ ଚରିତ୍ର ଯେଭଳି ହୋଇଥାଏ ସିନେମାରେ ସେଭଳି ଦେଖାଇବାକୁ ଚେଷ୍ଟା କରି ସଫଳ ହୋଇଛନ୍ତି ନିର୍ଦ୍ଦେଶକ । ସ୍ନେହ ଦେବାରେ ଉଣା ନାହିଁ କି କିଛି ପାଇବାର ଆଶା ନାହିଁ । ପରିବାର ପାଇଁ ସନ୍ତୁଳି ହେଉଥିବା ଚରିତ୍ରଟି ହେଉଛି ବୋଉ । ଓଡିଆ ଘରମାନଙ୍କରେ ପିଲାମାନଙ୍କ ପାଇଁ ସବୁ ବୋଉ ମାନେ ହାତ ବାକ୍ସ ଗୋଟିଏ ଲେଖାଏଁ ରଖିଥାନ୍ତି । କିନ୍ତୁ ସେଥିରେ କଣ ଥାଏ ତାହା କାହାକୁ ବି ଜଣା ନଥାଏ । କେବେ ପିଲାଙ୍କୁ ଦେଖାଇ ଦେଇନଥିବା ସେ ହାତ ବାକ୍ସ ଭିତରେ ସତରେ କଣ ରହିଥାଏ ତାହା ଏହି ସିନେମାରେ ପୁଅ ଦେଖିପାରୁଛି କି ନାହିଁ ସିନେମା ମୁକ୍ତିଲାଭ ପରେ ଜଣାପଡିବ । ଦେହରେ ବେଶୀ ଦାମିକିଆ ଶାଢ଼ୀ ନାହିଁ କି ମୂଲ୍ୟବାନ ଅଳଙ୍କାର ବି ନାହିଁ । ବୟସ୍କଙ୍କ ଭଳି କପାଳ ଉପରକୁ ଥିବା କେଶ ଗୁଡିକ ହାଲୁକା ଧଳା ହୋଇଯାଇଛନ୍ତି । ଲାଲ ଟୋପା ସିନ୍ଦୂର ସହ ସୀନ୍ଥିରେ ସିନ୍ଦୂର ଝଟକୁଛି । ଗୁମସୁମ ମୁହଁ, ଗମ୍ଭୀର ଚେହେରା, ଅଳ୍ପହସ ସହ ଯେଉଁ ପୋଷ୍ଟରଟି ସାମ୍ନାକୁ ଆସିଛି ତାହା ହିଁ ବୁଝାଇ ଦେଇଛି ବୋଉ ଶବ୍ଦର ଅର୍ଥ କଣ? ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଗତ କିଛି ବର୍ଷ ଧରି ଓଡିଆ ସିନେମାରେ ପାରିବାରିକ କାହାଣୀକୁ ବିଶେଷ ଗୁରୁତ୍ୱ ଦିଆଯାଉନଥିବା ବେଳେ ନିର୍ଦ୍ଦେଶକ ନାରାୟଣ ପତି ଓ ନିର୍ମାତା ସଂଜୟ ଦାସ ପାରମ୍ପାରିକ ସିନେମା ଠୁ ଦୂରକୁ ଯାଇ ନୂଆ କିଛି କରିବାକୁ ପ୍ରୟାସ କରିଛନ୍ତି । ଚଳଚ୍ଚିତ୍ରର ପୋଷ୍ଟର ଓ ମ୍ୟୁଜିକ ରିଲିଜ ପୂର୍ବରୁ ହୋଇଥିବା ବେଳେ ଖୁବଶୀଘ୍ର ସିନେମାଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button