ଆୟୁଷ୍ମାନକୁ ନେଇ ବିଜେପିକୁ ଟାର୍ଗେଟ କଲା ବିଜେଡି

ଭୁବନେଶ୍ୱର: କେନ୍ଦ୍ର ବଜେଟରେ ଆୟୁଷ୍ମାନ ଯୋଜନା ବାବଦକୁ ୭୨୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଯାହାକୁ ନେଇ ରାଜ୍ୟ ବିଜେପିକୁ ଟାର୍ଗେଟ କରିଛି ବିଜେଡି । ବଜେଟରେ ଆୟୁଷ୍ମାନ ପାଇଁ ବ୍ୟୟବରାଦ ହୋଇଥିବା ଅର୍ଥକୁ ଯଦି ୨୮ ରାଜ୍ୟ ଓ ୮ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଭାଗ କରାଯାଏ ତେବେ ଓଡ଼ିଶା ଭାଗରେ ମାତ୍ର ୨୦୦ କୋଟି ଟଙ୍କା ପଡ଼ିବ । କିନ୍ତୁ ଓଡ଼ିଶାରେ ବିଏସକେୱାଇରେ ୬୦୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର । ଅର୍ଥାତ୍ ପ୍ରତି ଜିଲ୍ଲା ଭାଗରେ ୨୦୦ କୋଟି ଟଙ୍କା ପଡୁଛି । ଯଦି ଓଡ଼ିଶା ଆୟୁଷ୍ମାନ ଯୋଜନାରେ ସାମିଲ ହୋଇଥାଆନ୍ତା ତେବେ ମାତ୍ର ପୂରା ରାଜ୍ୟ ପାଇଁ ୨୦୦ କୋଟି ପାଇଥାନ୍ତା । କିନ୍ତୁ ବିଏସକେୱାଇରେ ଓଡ଼ିଶାର ପ୍ରତି ଜିଲ୍ଲାରେ ପ୍ରାୟ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି । ତେଣୁ ଯଦି ଆୟୁଷ୍ମାନ ଭାରତରେ ଓଡ଼ିଶା ସାମିଲ ହେବ ତେବେ ସେଥିରୁ ମିଳୁଥିବା ଅର୍ଥ ଓଡ଼ିଶାର ଗୋଟିଏ ଜିଲ୍ଲା ପାଇଁ ହେଉଥିବା ଖର୍ଚ୍ଚରେ ସରିଯିବ । ଏଭଳି ସ୍ଥଳେ ଅନ୍ୟ ୨୯ ଜିଲ୍ଲା କଣ କରିବେ ବୋଲି ପ୍ରଶ୍ନ କରିଛି ବିଜେଡି । ଏହାସହ ବିଜେଡି ପକ୍ଷରୁ କୁହାଯାଇଛି ଯେ, ଓଡ଼ିଶାର ସ୍ୱାସ୍ଥ୍ୟ ବଜେଟ୍ ୨ ଗୁଣା ହୋଇ ୧୨ ହଜାର କୋଟି ଟଙ୍କାରେ ପହଂଚିଛି । ବିଏସକେୱାଇ ଯୋଜନାରେ ୫୦୦ ଘରୋଇ ହସ୍ପିଟାଲକୁ ଅନୁବନ୍ଧିତ କରାଯାଇଛି । ବିଏସକେୱାଇ ଯୋଜନାରେ ପରିବାରର ଅନ୍ୟ ସଦସ୍ୟଙ୍କ ଲାଗି ୫ଲକ୍ଷ ଟଙ୍କା ରଖାଯାଇଥିବା ବେଳେ ମହିଳାଙ୍କ ପାଇଁ ଅତିରିକ୍ତ ୫ଲକ୍ଷ ଟଙ୍କା ରଖାଯାଇଛି । ତେଣୁ ବିଜେପି ରାଜ୍ୟରେ ଆଉ ଆୟୁଷ୍ମାନ ଯୋଜନା କଥା ନଉଠାନ୍ତୁ । ଲୋକଙ୍କୁ ଭୁଆଁ ବୁଲାଇବା ବନ୍ଦ କରନ୍ତୁ ବୋଲି ବିଜେଡ଼ି କହିଛି ।

Related Articles

Leave a Reply

Your email address will not be published.

Back to top button