ଭୁୁବନେଶ୍ୱରରେ ବିଜୁ ବାବୁଙ୍କ ଡାକୋଟା ବିମାନ

ଭୁୁବନେଶ୍ୱର: ଓଡ଼ିଶା ରାଜନୀତିର ପ୍ରବାଦ ପୁରୁଷ ତଥା ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକଙ୍କ ଜୀବନ ଓ ସ୍ମୃତି ସହ ଜଡିତ ଡାକୋଟା ବିମାନ । ଡାକୋଟା ବିମାନକୁ ପଶ୍ଚିମବଙ୍ଗରୁ ଓଡ଼ିଶା ଫେରାଇ ଆଣିବାକୁ ଦୀର୍ଘ ବର୍ଷ ହେଲା ପ୍ରୟାସ ଚାଲିଥିଲା । ତେବେ ଓଡିଶାରେ ପହଞ୍ଚିଛି ବିଜୁ ବାବୁଙ୍କ ଅତି ପ୍ରିୟ ଡାକୋଟା ବିମାନ । କୋଲକାତାରୁ ୩ଟି ଟ୍ରେଲରରେ ବୋଝେଇ ହୋଇ ବାହାରିଥିବା ଡାକୋଟା ବିମାନ ଆଜି ଭୋରରୁ ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲ ଗେଟ୍ ନିକଟରେ ପହଞ୍ଚିଥିଲା। ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୧୦ଟା ବେଳେ କୋଲକାତାସ୍ଥିତ ସୁଭାସ ବୋଷ ଆନ୍ତର୍ଜାତିକ ବିମାନବନ୍ଦରୁ ଓଡ଼ିଶା ଅଭିମୁଖେ ବାହାରିଥିବା ଡାକୋଟା ବିମାନ ଆଜି ଭୋରରୁ ଓଡିଶାରେ ପ୍ରବେଶ କରିଥିଲା । ଜାତୀୟ ରାଜପଥ ଦେଇ ୩ଟି ଟ୍ରେଲରରେ ବିମାନର ସମସ୍ତ ଅଂଶ ବୋଝେଇ ହୋଇ ଭୁବନେଶ୍ୱର ଆସିଛି । ଏହାକୁ ଆସନ୍ତାକାଲିଠୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଅନଲୋଡ୍ କରାଯାଇ ଇଞ୍ଜିନିୟରମାନଙ୍କ ସହାୟତାରେ ପୁଣିଥରେ ପୂର୍ଣ୍ଣାଙ୍ଗ ବିମାନ କରାଯିବ । ଏହି କାର୍ଯ୍ୟକୁ ଡକୋଟା ବିମାନ ସ୍ଥାନାନ୍ତର ପାଇଁ ଟେଣ୍ଡର ନେଇଥିବା ସଂସ୍ଥା ଦ୍ୱାରା ଇଞ୍ଜିନିୟର ଓ ଟେକନିସିଆନମାନଙ୍କୁ ନିଯୁକ୍ତି ଦିଆଯାଇଛି। ଏହି କାର୍ଯ୍ୟ ପ୍ରାୟ ୧୦ରୁ ୧୫ଦିନ ଧରି ଚାଲିବ। ବିଜୁବାବୁଙ୍କ ସ୍ମୃତି ସହ ଜଡ଼ିତ ଏହି ଐତିହାସିକ ବିମାନକୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ରଖିବା ପାଇଁ ବିମାନ ବନ୍ଦର ପ୍ରାଧିକରଣ ପ୍ରାୟ ୧.୧ଏକର ଜମି ଦେଇଛନ୍ତି । ଯେଉଁଠାରେ ଏହି ବିମାନକୁ ସର୍ବସାଧାରଣଙ୍କ ନିମନ୍ତେ ପ୍ରଦର୍ଶନ କରାଯିବ । ୨୦୧୭ ମସିହାରେ ରାଜ୍ୟ ସରକାର ଏହି ଡକୋଟା ବିମାନକୁ ଓଡ଼ିଶା ଫେରାଇ ଆଣିବା ପାଇଁ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିଲେ। କେନ୍ଦ୍ର ସରକାରଙ୍କ ସହଯୋଗରେ ଏହି ପ୍ରକ୍ରିୟା ସହଜ ହୋଇପାରିଥିଲା । କୋଭିଡ୍ ମହାମାରୀ ଯୋଗୁ ଏହି ବିମାନ ସ୍ଥାନାନ୍ତର ପ୍ରକ୍ରିୟା ସ୍ଥଗିତ ରହିଥିଲା। ଏହି ଡକୋଟା ବିମାନର ଲମ୍ବ ପ୍ରାୟ ୬୪.୮ ଫୁଟ ହୋଇଥିବାବେଳେ ଏହାର ଡେଣାକୁ ମିଶାଇଲେ ଏହା ପ୍ରାୟ ୯୫ ଫୁଟ ହେବ।
ପ୍ରକାଶଥାଉକି ୧୯୪୭ ମସିହାରେ ପାକିସ୍ତାନୀ ଶତ୍ରୁ ବଳୟ ଭିତରେ ପଶି ଶ୍ରୀନଗରରେ ଭାରତୀୟ ସେନାଙ୍କୁ ଏୟାଲିଫ୍ଟ କରିବା ହେଉ କି ସେନା ପାଇଁ ଗୋଳାବାରୁଦ ଓ ଔଷଧ ପରିବହନ, ଅଥବା ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀଙ୍କୁ ଡଚ୍ଙ୍କ କବଳରୁ ଉଦ୍ଧାର, ଏ ସମସ୍ତ ଦୁଃସାହସିକ ଅଭିଯାନରେ ଦୁର୍ଦ୍ଦଶ ପାଇଲଟ୍ ବିଜୁ ପଟ୍ଟନାୟକଙ୍କ ସାଥୀ ଥିଲା ଡାକୋଟା ବିମାନ । ସେହି ବିମାନ କୋଲକାତାର ନେତାଜୀ ବିମାନ ବନ୍ଦରରେ ଡମ୍ପିଂୟାର୍ଡରେ ଖତ ଖାଉଥିବା ବେଳେ ତାହାକୁ ଓଡିଶା ଫେରାଇ ଆଣିବାକୁ ଦୀର୍ଘ ଦିନ ହେବ ଉଦ୍ୟମ ଆରମ୍ଭ ହୋଇଥିଲା । ୧୯୯୭ରେ ବିଜୁ ବାବୁଙ୍କ ଦେହାନ୍ତ ପରେ ଡାକୋଟା ଓଡିଶା ଫେରିବା ପରେ ଅନିଶ୍ଚିତନା ଦେଖାଦେଇଥିଲା । ଏହାକୁ ଫେରାଇ ଆଣିବା ନିମନ୍ତେ ରାଜ୍ୟ ସରକାର ପ୍ରାୟ ୨ ବର୍ଷ ପୂର୍ବେ ଏକ କମିଟି ଗଠନ କରିଥିଲେ ।