ସ୍ୱତନ୍ତ୍ର ଟ୍ରେନରେ ଦିଲ୍ଲୀ ଗଲା ‘ଅମୃତ କଳସ’, ଦିଲ୍ଲୀରେ ସ୍ଥାପନ ହେବ ‘ଅମୃତ ବାଟିକା’

ଭୁବନେଶ୍ୱର : ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଶହୀଦ ବୀର ଓ ଯବାନ’ ମାନଙ୍କୁ ସମ୍ମାନ ଜଣାଇ ‘ମାଟିକୁ ନମନ୍‌–ବୀରଙ୍କୁ ବନ୍ଦନ୍‌’ ପରିପ୍ରେକ୍ଷୀରେ ଗତ ଅଗଷ୍ଟ ୯ତାରିଖରେ “ମୋ ମାଟି, ମୋ ଦେଶ” ରାଷ୍ଟ୍ରୀୟ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଦେଶର ପ୍ରତି ଗାଁ, ପଂଚାୟତ, ବ୍ଲକ, ସହର, ନଗର, ପୌରପାଳିକା ଅଂଚଳରେ ବୀର ସ୍ୱାଧୀନତା ସଂଗ୍ରାମୀ ଓ ଯବାନଙ୍କ ବଳିଦାନ ସ୍ମୃତିରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଥିଲା। ଓଡ଼ିଶାରେ ମଧ୍ୟ ସହିଦ ଓ ବଳିଦାନ ଦେଇଥିବା ବୀରମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ “ମୋ ମାଟି ମୋ ଦେଶ” ଆୟୋଜିତ ହୋଇଛି। ରାଜ୍ୟର ୩୧୪ ବ୍ଲକ ଅନ୍ତର୍ଗତ ୨୭୨୦ ପଂଚାୟତର ୧୩୧୨୮ ଗାଁରୁ ସଂଗୃହିତ ହୋଇଥିବା ପବିତ୍ର ମାଟି ଗତ କାଲି ଭୁବନେଶ୍ୱରରେ ପହଂଚିବା ପରେ ଆଜି ଏକ ଭବ୍ୟ ଶୋଭାଯାତ୍ରାରେ ରେଳଷ୍ଟେସନକୁ ଅଣାଯାଇଥିଲା। ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଷଡଙ୍ଗୀ, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରମୁଖଙ୍କ ସମେତ ପାର୍ଟିର ବହୁ କାର୍ଯ୍ୟକର୍ତା ସାମିଲ ହୋଇଥିଲେ। ‘ମୋ ମାଟି, ମୋ ଦେଶ’ ଅମୃତ କଳସ ଯାତ୍ରାର ଶୁଭାରମ୍ଭ ପାଇଁ ବିଶାଳ ଶୋଭାଯାତ୍ରା ସରିଛି। ଦେଶର ଅଖଣ୍ଡତା, ଏକତା, ରାଷ୍ଟ୍ରୀୟ ଭାବନା, ଚେତନା, ରାଷ୍ଟ୍ରଭକ୍ତି, ଜାତୀୟତାବାଦକୁ ଆହୁରି ଉଜିବିତ୍ କରିବା ଓ ପ୍ରେରଣାର କେନ୍ଦ୍ରବିନ୍ଦୁ ପାଲଟିବା ପାଇଁ ସହିଦ ସ୍ମୃତି ପାଖରେ “ଅମୃତ ବାଟିକା” ଭବ୍ୟଢଙ୍ଗରେ ନିର୍ମାଣ କରାଯିବ। ଏହି ‘ଅମୃତ ବାଟିକା’ ଭବିଷ୍ୟତ ପୀଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ହେବ।ଆସନ୍ତା ୩୧ତାରିଖରେ ଦେଶର ପ୍ରାୟ ୭୫୦୦ରୁ ଉର୍ଦ୍ଧ୍ୱ ସ୍ଥାନରୁ ସଂଗୃହୀତ ହୋଇ ଆସିଥିବା କଳସରୁ ମାଟିକୁ ଏକାଠି କରାଯାଇ ଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ ନିକଟରେ ‘ଅମୃତ ବାଟିକା’ର ସ୍ଥାପନା କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ଓଡିଶାରେ ‘ମୋ ମାଟି, ମୋ ଦେଶ’ ଅଭିଯାନକୁ ସଫଳ କରିଥିବା ମାଆ, ଭଉଣୀ, ଯୁବକ ଯୁବତୀ ଓ ଓଡ଼ିଶାବାସୀଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ, ଦେଶର ବୀରମାନଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ଉତ୍ସର୍ଗୀଗୃତ ଭାବନା ପାଇଁ ଏହା ସଫଳ ହୋଇଛି। ଏହିପରି କଳସ ଶୋଭାଯାତ୍ରାରେ କାର୍ଯ୍ୟକର୍ତା, ମାତୃଶକ୍ତି ଓ ଯୁବବର୍ଗ ସାମିଲ ହୋଇ ମାଟି କଳସକୁ ଶ୍ରଦ୍ଧା ଓ ସମ୍ମାନ ଜଣାଇଥିବାରୁ ଶ୍ରୀ ସାମଲ ଧନ୍ୟବାଦ ଜଣାଇଛନ୍ତି।

Related Articles

Leave a Reply

Your email address will not be published.

Back to top button