ରେଳବାଇରେ ଚାକିରି କରାଇଦେବା ନାଁରେ ଠକେଇ ଅଭିଯୋଗ

ଭୁବନେଶ୍ବର : ରେଳବାଇରେ ଚାକିରି ଦେବା ନାଁରେ ଜଗତସିଂହପୁରର ଜଣେ ଯୁବତୀ ସୋରଡ଼ା ଥାନା ଗୋବିନ୍ଦପୁର ଅଞ୍ଚଳର ଜଣେ ଯୁବକଙ୍କ ଠାରୁ ଟଙ୍କା ଠକି ନେଇଥିବା ନେଇ ଟାଉନ୍ ଥାନାରେ ଅଭିଯୋଗ ହୋଇଥିଲା । ଯୁବତୀ ଜଣଙ୍କ ତାଙ୍କ ନିକଟରୁ ମୋଟ ସାଢ଼େ ୭ଲକ୍ଷ ଟଙ୍କା ଦେଇଥିବା ନେଇ ସେ ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାକୁ ନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଯୁବତୀଙ୍କୁ ଆଜି ଟାଉନ ଥାନା ପୁଲିସ କୌଶଳକ୍ରମେ ପୁଲିସ ଇଂଜିନିୟରିଂ ସ୍କୁଲ ଛକରୁ କାବୁ କରିଛି । ଯୁବତୀ ଜଣଙ୍କ ଜଗତସିଂହପୁରର ଜେଏମ୍‌ଏସ୍‌. ପ୍ରଭା(୨୮) ହୋଇଥିବା ବେଳେ ସେ ବର୍ତ୍ତମାନ ବ୍ରହ୍ମପୁରସ୍ଥିତ ଶରଧାବାଲିରେ ରହୁଥିବା ପୁଲିସ କହିଛି । ତାଙ୍କ ନିକଟରୁ ଅନେକ ଜାଲ୍ କାଗଜପତ୍ର ଜବତ କରିବା ସହ ମୋବାଇଲ୍‌, ସ୍କୁଟି ସହ ତିନିଟି ଡାଏରୀ ଜବତ କରାଯାଇଥିବାବେଳେ ଠକ ଯୁବତୀଙ୍କୁ କୋର୍ଟଚାଲାଣ କରାଯାଇଛି । ସୂଚନାଯୋଗ୍ୟ ଯେ ସୋରଡ଼ା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଏସ୍‌.ହିତେଶ ପାତ୍ର ରେଳବାଇରେ ଚାକିରି ପାଇଁ ଇଛୁକ ଥିଲେ । ଏନେଇ ଗତ ଜୁନ୍ ମାସରେ ସାଙ୍ଗ କାର୍ତ୍ତିକ ସାହୁଙ୍କ ଜରିଆରେ ଅଭିଯୁକ୍ତ ମହିଳା ସହ ଫୋନ୍ ଯୋଗେ ହିତେଶ ପ୍ରଥମେ କଥା ହୋଇଥିଲେ । ରେଳବାଇର ଗ୍ରୁପ୍‌-ସି ଚାକିରି ପାଇଁ ୧୧ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଯୁବତୀ ଜଣଙ୍କ ତାଙ୍କୁ କହିଥିଲେ । ଏଥିସହ ପ୍ରଥମେ ଅଢ଼େଇ ଲକ୍ଷ ଟଙ୍କା ଆଣି ଦେବାକୁ କହିଥିଲା । ତାଙ୍କ କହିବା ମୁତାବକ ହିତେଶ ବ୍ରହ୍ମପୁର ଆସି ଟାଉନ ଥାନା ଅନ୍ତର୍ଗତ ଗାନ୍ଧିନଗର ସାଇ କମ୍ପେ୍ଲକ୍ସ ନିକଟରେ ଅଭିଯୁକ୍ତ ଯୁବତୀଙ୍କୁ ଭେଟି ପ୍ରଥମେ ଅଢ଼େଇ ଲକ୍ଷ ଟଙ୍କା ଦେଇଥିଲେ । ପରବର୍ତ୍ତୀ ସମୟରେ ଆଉ ଦୁଇ ଥର ଅନ୍‌ଲାଇନ୍ ମାଧ୍ୟମରେ ଅଢ଼େଇ ଲକ୍ଷ ଟଙ୍କା ଲେଖାଏଁ ଏଭଳି ମୋଟ୍ ୭ ଲକ୍ଷ ଟଙ୍କା ହିତେଶ ଉକ୍ତ ଠକ ଯୁବତୀଙ୍କୁ ଦେଇଥିଲେ । ଏହାର କିଛି ଦିନ ପରେ ଅଭିଯୁକ୍ତ ଯୁବତୀ ଏସ୍‌.ହିତେଶଙ୍କୁ ଜାଲ୍ ଅଫର୍‌ଲେଟର୍‌, ଆଇଡି କାର୍ଡ଼, ଆପଏଣ୍ଟମେଣ୍ଟ ଲେଟର୍‌, ଆଟେଣ୍ଡାନ୍ସ କାର୍ଡ଼ ଆଦି ଦେଇ ବଳକା ସାଢ଼େ ତିନିଲକ୍ଷ ଟଙ୍କା ମାଗିଥିଲେ । ତେବେ ପରେ ହିତେଶ୍ ଠକାମିର ଶିକାର ହୋଇଥିବା ଜାଣିବା ପରେ ଏ ନେଇ ବ୍ରହ୍ମପୁର ଟାଉନ୍ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ଆଧାରରେ ପୁଲିସ କେସ ନଂ ୬/୨୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ବଳକା ଟଙ୍କା ଦେବା ପାଇଁ କୌଶଳକ୍ରମେ ପୁଲିସ ହିତେଶଙ୍କ ଜରିଆରେ ଯୁବତୀ ପ୍ରଭାଙ୍କୁ ଡକାଇଥିଲା । ଏହା ପରେ ଯୁବତୀ ଜଣଙ୍କ ଇଂଜିନିୟରିଂ ସ୍କୁଲ ଛକକୁ ଟଙ୍କା ନେବାକୁ ଆସିଥିଲେ । ଏହି ସମୟରେ ପୁଲିସ ତା’କୁ କାବୁ କରି ଘଟଣା ସମ୍ପର୍କରେ ପଚରାଉଚରା କରିଥିଲା । ଗିରଫ ଠକ ଯୁବତୀଙ୍କ ନିକଟରୁ ଜବତ ଡାଏରୀରେ ଚାକିରି ଦେବାପାଇଁ କାହା ଠାରୁ କେତେ ଟଙ୍କା ଆଦାୟ ହୋଇଛି ତାହା ଲେଖାଯାଇଥିବା ନେଇ ପୁଲିସ ସୂଚନା ଦେଇଛି । ଏହି ଘଟଣାରେ ପୁଲିସ ଯୁବତୀଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ।

Related Articles

Leave a Reply

Your email address will not be published.

Back to top button