କୃଷି ଓଡିଶା-୨୦୨୩, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ବରମୁଣ୍ଡା ପଡିଆଠାରେ ରାଜ୍ୟସ୍ତରୀୟ ବାର୍ଷିକ କୃଷି ମହୋତ୍ସବ ‘କୃଷି ଓଡିଶା’ ଉଦ୍‌ଘାଟନ କରିଛନ୍ତି  । ଏହି ଅବସରରେ ଉପସ୍ଥିତ କୃଷକ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଫାର୍ମ ମେକାନାଇଜେସନ ଓ ଫସଲ ବିବିଧତା ଉପରେ ଗୁରୁତ୍ୱ ଆରୋପ କରି ଚାଷୀ ମାନଙ୍କୁ ନୂଆ ନୂଆ ଟେକ୍‌ନୋଲୋଜିର ବ୍ୟବହାର କରିବା ସହିତ ଅଧିକ ପରିମାଣରେ ଅଣଧାନ ଅର୍ଥକରୀ ଫସଲ ଚାଷ କରିବା ପାଇଁ ପରାମର୍ଶ ଦେଇଛନ୍ତି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ କୃଷି ଓଡିଶା-୨୦୨୩ ଆଜି ଠାରୁ ୧୮ ତାରିଖ ପର୍ୟ୍ୟନ୍ତ ଚାଲିବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଟେକନୋଲୋଜି ହେଉଛି ବିକାଶର ଆଧାର ।   କୃଷି କ୍ଷେତ୍ରରେ ମଧ୍ୟ ଟେକ୍‌ନୋଲୋଜିର ବହୁତ ଆବଶ୍ୟକତା ରହିଛି  । ଏ ବର୍ଷ ମେଳାରେ କୃଷି କ୍ଷେତ୍ରରେ ନୂଆ ଟେକ୍‌ନୋଲୋଜିର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଥିବାରୁ ସେ ଖୁସି ପ୍ରକାଶ କରିଥିଲେ  । ଚାଷୀମାନେ ସମସ୍ତେ ନୂଆ ନୂଆ ଟେକ୍‌ନୋଲୋଜି ବିଷୟରେ ଜାଣିବେ, ବ୍ୟବହାର କରିବେ ଏବଂ କୃଷି କ୍ଷେତ୍ରରେ ସଫଳ ହୋଇ ନିଜର ଓ ନିଜ ରାଜ୍ୟର ଉନ୍ନତିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ କୃଷି ଓ କୃଷକମାନଙ୍କ ଉନ୍ନତି ମୋ ସରକାରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟକ୍ରମ ।

କୃଷି କ୍ଷେତ୍ରରେ ଓଡିଶା ଆଜି ଏକ ଆଗୁଆ ରାଜ୍ୟ ହୋଇପାରିଛି । ଖାଦ୍ୟରେ ଅଭାବ ଥିବା ଏକ ରାଜ୍ୟରୁ ଆଜି ଆମେ ଖାଦ୍ୟଶସ୍ୟରେ ଏକ ବଳକା ରାଜ୍ୟ ହୋଇ ସାରା ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଚାଉଳ ଯୋଗାଇ ପାରୁଛୁ ବୋଲି ସେ କହିଥିଲେ  । କାଳିଆ ଯୋଜନା ଦ୍ୱାରା ଚାଷୀ ମାନଙ୍କୁ ରୋଜଗାର ସୁରକ୍ଷା ମିଳିପାରିଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ଫାର୍ମ ମେକାନାଇଜେସନ ଉପରେ ଗୁରୁତ୍ୱ ଦିଆଯାଇ ଫସଲ ଉତ୍ପାଦକତା ବଢାଇବା ପାଇଁ ଉଦ୍ୟମ ଜାରି ରହିଛି  । ପଣସ ମିଶନ, ଛତୁ ମିଶନ ଆଦି ସ୍ୱତନ୍ତ୍ର ମିଶନ ଜରିଆରେ ଚାଷୀଙ୍କ ରୋଜଗାର ସହିତ ପୁଷ୍ଟି ନିରାପତ୍ତା ପାଇଁ ମଧ୍ୟ ଗୁରୁତ୍ୱ ଦିଆଯାଉଛି  । ଆମର ମିଲେଟ ମିଶନ ଆଜି ସାରା ଦେଶ ଓ ବିଶ୍ୱର ଦୃଷ୍ଟି ଆକର୍ଷଣ କରିପାରିଛି ବୋଲି ମତଦେଇ ସେ କହିଥିଲେ ଯେ ଏହା ଆମର ମିଶନ ଶକ୍ତି ମା ମାନଙ୍କର ରୋଜଗାର ବଢାଇବାରେ ମଧ୍ୟ ସହାୟକ ହୋଇପାରିଛି । ‘କୃଷି ଓଡିଶା’ରେ ଉପସ୍ଥିତ ଥିବା WFP, IFAD ଏବଂ FAO ପରି ସଂସ୍ଥାର ପ୍ରତିନିଧି ମାନଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ କୃଷି କ୍ଷେତ୍ରରେ ସେମାନଙ୍କ ନିରନ୍ତର ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ  ।

ଏହି ଅବସରରେ କୃଷିମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିଜର ଅଭିଭାଷଣ ରଖି କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ କୃଷି ବିଭାଗ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଛି  । କୃଷକ ମାନଙ୍କ ଆୟବୃଦ୍ଧିରେ କୃଷି ଆନୁସଂଗିକ କାର୍ୟ୍ୟକ୍ରମ ଉପରେ ଗୁରୁତ୍ୱ ଦିଆଯାଇ ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡିଶା ମାଛ, ମାଂସ, ଅଣ୍ଡା ଓ ଦୁଗ୍‌ଧ ଉତ୍ପାଦନରେ ସ୍ୱାବଲମ୍ବୀ ହୋଇପାରିବା ସହିତ ଚାଷୀ ମାନଙ୍କ ରୋଜଗାର ମଧ୍ୟ ବୃଦ୍ଧି କରାଯାଇପାରିଛି  ବୋଲି ସେ କହିଥିଲେ  । ଓଡିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍‌ଚୀ,  ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ପ୍ରମୁଖ ବିଭାଗୀୟ କାର୍ୟ୍ୟକ୍ରମ ଉପରେ ଆଲୋକପାତ କରିଥିଲେ  । କୃଷି ଓ କୃଷକ ସଶକ୍ତିକରଣ ବିକାଶ ପ୍ରମୁଖ ସଚିବ ଡଃ ଅରବିନ୍ଦ ପାଢୀ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Related Articles

Leave a Reply

Your email address will not be published.

Back to top button