ପ୍ରଥମ ଦିନରେ ୬୦ ହଜାର ଘର କାର୍ଯ୍ୟାଦେଶ

ଭୁବନେଶ୍ୱର: ସତୁରି ଦଶକରୁ ଆଜି ପର୍ଯ୍ୟନ୍ତ ଘର ଖଣ୍ଡିଏ ପାଇବା ଗରିବ ଓ ସାଧାରଣ ଲୋକଙ୍କ ପାଇଁ ବଡ଼ ସମସ୍ୟା ହୋଇରହିଛି। ଆଜି ମଧ୍ୟ ଅନେକଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ବି ନାହିଁ। ଏ ସମସ୍ୟାର ସମାଧାନ ହେବ ଏବଂ ସମସ୍ତଙ୍କୁ ପକ୍କା ଘର ମିଳିବ। ଅନ୍ତ୍ୟୋଦୟ ଗୃହ ଯୋଜନାରେ ସବୁଠାରୁ ଗରିବ ଓ ଅସହାୟ ଲୋକଙ୍କ ପାଇଁ ଘର ଦିଆଯିବ। ରବିବାର କଳାହାଣ୍ଡିର ଭବାନୀପାଟଣାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଯୋଜନା ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାର ପାଇଁ ସମ୍ମାନର ସହ ବଞ୍ଚିବାକୁ ଆଶା ଓ ଭରସା ଯୋଗାଇଦେବ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ୨୦୧୮ ମସିହାରେ ସମସ୍ତଙ୍କୁ ପକ୍କାଘର ଯୋଗାଇଦେଇ ଏହି ସମସ୍ୟାର ସମାଧାନ ପାଇଁ ଘୋଷଣା କରିଥିଲେ। ସେଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ସହରୀ ଓ ଗ୍ରାମୀଣ ଆଦି ଯୋଜନା କାର୍ଯ୍ୟକାରୀ ହେଉଛି। ଏହାକୁ ଆହୁରି ଜୋରଦାର କରାଯାଇ ଓଡ଼ିଶାରେ ଆମେ ଆରମ୍ଭ କରିଛୁ ଅନ୍ତ୍ୟୋଦୟ ଗୃହ ଯୋଜନା। ଏହା ଦ୍ୱାରା ସମସ୍ତଙ୍କ ପାଇଁ ଘର ସୁନିଶ୍ଚିତ କରାଯାଇପାରିବ। ଆଜି ପ୍ରଥମ ଦିନରେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ୬୦ ହଜାର ଘର ପାଇଁ କାର୍ଯ୍ୟାଦେଶ ଦିଆଯାଇଛି। ଆଗାମୀ ୩ ବର୍ଷରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଘର ନିର୍ମାଣ କରାଯିବାର ଲକ୍ଷ୍ୟ ରଖାଯାଇଛି। ଚଳିତବର୍ଷ ଏହି ଯୋଜନା ପାଇଁ ୨,୬୦୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଥିବା ବେଳେ ଆଗାମୀ ୩ବର୍ଷରେ ଏଥିପାଇଁ ୭,୫୫୦କୋଟି ଟଙ୍କା ବିନିଯୋଗ କରାଯିବ। ସୂଚନାଯୋଗ୍ୟ, ବିଜୁ ପକ୍କା ଘର ଯୋଜନାରେ ୧୦ବର୍ଷରେ ବହୁତ କମ୍ ଘର ନିର୍ମାଣ ହୋଇଛି। ଏହି ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ଦିଆଯିବା ସହିତ ଏଥିରେ ଅନ୍ୟାନ୍ୟ ଯୋଜନାର ସମନ୍ୱୟ କରାଯାଇ ବିଭିନ୍ନ ଆବଶ୍ୟକୀୟ ସୁବିଧା ଦିଆଯିବ। ସ୍ୱଚ୍ଛ ଭାରତ ମିଶନରୁ ଶୌଚାଳୟ, ଉଜ୍ଜ୍ୱଳା ଯୋଜନାରୁ ରନ୍ଧନ ଗ୍ୟାସ, ଜଳ ଜୀବନ ମିଶନରୁ ସ୍ୱଚ୍ଛ ପାନୀୟଜଳ, ସୌଭାଗ୍ୟ ଯୋଜନାରୁ ବିଦ୍ୟୁତ ସଂଯୋଗ ଆଦି ଯୋଗାଇ ଦିଆଯିବ। ଜୀବନଯାପନ ପାଇଁ ସବୁ ଆବଶ୍ୟକୀୟ ସୁବିଧା ଦିଆଯିବ। କେବଳ ସେତିକି ନୁହେଁ, ଏହି ଯୋଜନାରେ ହିତାଧିକାରୀମାନଙ୍କୁ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୯୦ରୁ ୯୫ ଦିନ ପର୍ଯ୍ୟନ୍ତ ଅଣକୁଶଳୀ ଶ୍ରମିକ ଭାବରେ ପାରିଶ୍ରମିକ ସହ କାମ ଯୋଗାଇ ଦିଆଯିବ। ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ଯୋଜନାରେ ସମାଜରେ ସବୁଠାରୁ ଅଧିକ ଗରିବ ଓ ଅସହାୟ ଲୋକମାନେ ଉପକୃତ ହେବେ। ଭିନ୍ନକ୍ଷମ, ବିଧବା, କର୍କଟ ଭଳି ଅନ୍ୟାନ୍ୟ ଗୁରୁତର ରୋଗରେ ପୀଡ଼ିତ ପରିବାର, ଶହୀଦ ପରିବାର, ଘରପୋଡ଼ି, ହାତୀ ଉପଦ୍ରବ ତଥା ବନ୍ୟା ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟରେ ଭୀଷଣ ଭାବେ ପ୍ରଭାବିତ ହୋଇଥିବା ପରିବାରଙ୍କୁ ଅଗ୍ରାଧିକାର ଭିତ୍ତିରେ ଗୃହ ମଞ୍ଜୁର କରାଯିବ। ଏହା ସହିତ କର୍କଟ, କୁଷ୍ଠ, କିଡ୍‌ନୀ ରୋଗ, ଲିଭର୍ ସିରୋସିସ୍‌, ଥାଲାସେମିଆ ଅଥବା ଏଚ୍‌ଆଇଭି ପରି ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ପରିବାର ଏବଂ ଅନାଥ, ନିରାଶ୍ରୟଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ତୁରନ୍ତ ଗୃହ ଯୋଗାଇ ଦିଆଯିବା ସହ ଜଙ୍ଗଲ ଅଧିକାର ଆଇନ ହିତାଧିକାରୀ, ମୁକ୍ତ ଗୋତି ଶ୍ରମିକ, ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର କ୍ରୀଡାବିତ୍‌ମାନେ ମଧ୍ୟ ଏହି ଯୋଜନାରେ ଉପକୃତ ହୋଇପାରିବେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅଧିକ ଲୋକଙ୍କୁ ଘର ଦେବା ପାଇଁ ଏହି ଯୋଜନାରେ ‘ପରିବାର’ ଓ ‘ପକ୍କା ଘର’ର ସଂଜ୍ଞାକୁ ମଧ୍ୟ ସରଳ କରାଯାଇଛି। ଆଜବେସଟସ୍‌, ଟିଣ ଓ ଟାଇଲ୍ ଛାତଘରକୁ କଚ୍ଚାଘର ରୂପେ ବିବେଚନା କରାଯାଇଛି। କେବଳ ସିମେଣ୍ଟ ଯୋଡ଼େଇ କାନ୍ଥ ସହିତ ଆର୍‌ସିସି ଛାତକୁ ପକ୍କାଘରର ମାନ୍ୟତା ପ୍ରଦାନ କରାଯାଉଛି। ପରିବାରର ସଂଜ୍ଞାକୁ ମଧ୍ୟ ସରଳ କରାଯାଇ ଯୋଜନାରେ ପରିବାରର ଅର୍ଥ ସ୍ୱାମୀ, ସ୍ତ୍ରୀ, ନିର୍ଭରଶୀଳ ପିତାମାତା ଓ ସନ୍ତାନଙ୍କୁ ବୁଝାଉଛି ବୋଲି ସେ କହିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ହୋଇଥିବା ଅଗ୍ରଗତି ବିଷୟରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଯୋଜନାରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୩ ଲକ୍ଷରୁ ଅଧିକ ଘର ନିର୍ମାଣ ହୋଇସାରିଥିବା ବେଳେ ୪ ଲକ୍ଷ ଘର ନିର୍ମାଣାଧୀନ ଅଛି। ଏହା ସହିତ ଜାନୁଆରୀ ୨୪ ତାରିଖରୁ ସର୍ଭେ ଆରମ୍ଭ ହେଇ ଏଥିରେ ଆହୁରି ୨୬ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଘର ଯୋଗାଇଦେବା ପାଇଁ ତାଲିକାଭୁକ୍ତ କରାଯାଇଛି। ଅନ୍ତ୍ୟୋଦୟ ଗୃହ ଯୋଜନା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ), ପିଏମ୍ ଜନମନ ଓ ଅନ୍ୟାନ୍ୟ ସରକାରୀ ଗ୍ରାମୀଣ ଗୃହ ଯୋଜନାରେ ଯେଉଁ ହିତାଧିକାରୀମାନେ ପ୍ରଥମ କିସ୍ତି ପାଇବାର ୪ମାସ ମଧ୍ୟରେ ଘର ନିର୍ମାଣ ସମ୍ପୂର୍ଣ୍ଣ କରୁଛନ୍ତି ସେମାନଙ୍କୁ ୨୦ ହଜାର ଟଙ୍କା ଏବଂ ୬ ମାସରେ ଘର ସମ୍ପୂର୍ଣ୍ଣ କଲେ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମଧ୍ୟ ଦିଆଯାଉଛି। କଳାହାଣ୍ଡିର ସମୃଦ୍ଧ ଇତିହାସ, ସଂସ୍କୃତି ଓ ଉନ୍ନତ କୃଷି ପ୍ରଣାଳୀ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଉତ୍କୃଷ୍ଟ କଳା ଓ ସ୍ୱଚ୍ଛ ହୃଦୟର ଅଞ୍ଚଳ ହେଉଛି କଳାହାଣ୍ଡି। କଳାହାଣ୍ଡି ଅଞ୍ଚଳବାସୀଙ୍କ ଦାବି ଅନୁଯାୟୀ ଇନ୍ଦ୍ରାବତୀ ବହୁମୁଖୀ ଜଳ ପ୍ରକଳ୍ପର ବାମ ପାର୍ଶ୍ୱ କେନାଲ୍‌ର କଂକ୍ରିଟ୍ ଲାଇନିଂ କାର?୍ୟ୍ୟ ଖୁବ୍ ଶୀଘ୍ର ଶେଷହେବ। ଭବିଷ୍ୟତରେ ଆଉ ଯେପରି କେହି ଦାନ ମାଝୀ ପରି ଅବହେଳାର ଶିକାର ନ ହୁଅନ୍ତି, ସେଥିପାଇଁ ଆମ ସରକାର ୧୦୯ ଆମ୍ବୁଲାନ୍ସ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଆମ ସରକାର ହେଉଛି ଲୋକଙ୍କ ସରକାର। ଆଗାମୀ ଦିନରେ ସରକାର ଯିବେ ଲୋକଙ୍କ ପାଖକୁ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ଭବାନୀପାଟଣାରେ ହେବ ଓ ସମ୍ବଲପୁରରେ ମଧ୍ୟ ହେବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବର୍ଗର ୧୦ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲାରେ ୬୧୭.୫୧ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ୨୨୩.୬୬ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିବା ବେଳେ ୩୯୩.୮୫ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଛି। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ, ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ, କଳାହାଣ୍ଡି ସାଂସଦ ମାଳବିକା ଦେବୀ, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଜୋଶୀ ଓ କଳାହାଣ୍ଡି ଜିଲ୍ଲା ପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ପ୍ରମୁଖ ନିଜର ଅଭିଭାଷଣ ରଖିଥିଲେ। ଆଭାଷୀ ଜରିଆରେ ସମସ୍ତ ୩୦ ଜିଲ୍ଲାର ସଦର ମହକୁମାରୁ ସାଂସଦ, ମନ୍ତ୍ରୀ, ବିଧାୟକଗଣ, ଏବଂ ସମସ୍ତ ୩୧୪ ବ୍ଲକରୁ ପଞ୍ଚାୟତିରାଜ ସଦସ୍ୟଗଣ ଏହି କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲେ। ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ କମିଶନର ତଥା ଶାସନ ସଚିବ ଗିରୀଶ ଏସ୍‌. ଏନ୍ ସ୍ୱାଗତ ଭାଷଣ ଦେଇଥିଲେ ଓ କଳାହାଣ୍ଡି ଜିଲ୍ଲାପାଳ ସଚ୍ଚିନ ପାୱାର ଧନ୍ୟବାଦ ଅର୍ପଣ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button