ପ୍ରତି ବର୍ଷ ୬୦ ଦିନ ବିଧାନସଭା ବସିବାର ନିୟମ: ବସିଛି ୨୭ ଦିନ, ବସିବ ୩୩ ଦିନ

ଭୁବନେଶ୍ୱର: ପ୍ରତି କ୍ୟାଲେଣ୍ଡର ବର୍ଷରେ ୬୦ ଦିନ ବିଧାନସଭାର ବୈଠକ ବସିବାର ନିୟମ ରହିଛି । ହେଲେ ୨୦୨୨ରେ ବସିଛି ୨୭ ଦିନ । ଆହୁରି ୩୩ ଦିନ ଗୃହ ବସିବାକୁ ବାକି ରହିଛି । ତେଣୁ ଷୋଡ଼ଶ ବିଧାନସଭାର ଏକାଦଶ ଅଧିବେଶନରେ ସେହି ବାକି ଥିବା ଅବଧି ପୂରଣ କରାଯିବ । ଏହି ସୂଚନା ଦେଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଶୁକ୍ରବାର ବିଧାନସଭାରେ ଏନେଇ ଜରୁରୀ ବୈଠକ ବସିଥିଲା । ଏଥିରେ ଅଧ୍ୟକ୍ଷତା କରିଥିବା ଶ୍ରୀ ଆରୁଖ ଗଣମାଧ୍ୟମକୁ କହିଛନ୍ତି ଯେ, ଚଳିତ ଶୀତ ଅଧିବେଶନ ନଭେମ୍ବର ୨୪ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାରି ମଧ୍ୟରେ ୩୩ଟି କାର୍ଯ୍ୟଦିବସ ରହିଛି । ଏନେଇ ବିଧାସଭା ପକ୍ଷରୁ ବିଜ୍ଞପ୍ତି ବି ପ୍ରକାଶ ପାଇଛି । ତେବେ ଗୃହ ପରିଚାଳନା କିପରି ସୁରୁଖୁରୁରେ ସମ୍ପନ୍ନ ହେବ ସେଥିପାଇଁ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସର୍ବଦଳୀୟ ବୈଠକ ଡକାଯିବ । ଉକ୍ତ ବୈଠକର ନିଷ୍ପତ୍ତି ଅନୁଯାୟୀ ଶୀତ ଅଧିବେଶନ ପାଇଁ ମାର୍ଗଦର୍ଶିକା ଜାରି ହେବ । ଗୃହ କେତେ ସମୟ ଚାଲିବ, ମୂଲତବୀ ଆଲୋଚନାର ସମୟ ନିର୍ଘଣ୍ଟ ଓ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବି ନିଷ୍ପତ୍ତି ନିଆଯିବ । ତେବେ ବିଧାନସଭା ଅଧିବେଶନର କାର୍ଯ୍ୟନିର୍ଘଣ୍ଟ ବାବଦରେ ପ୍ରକାଶିତ ବିଜ୍ଞପ୍ତିକୁ ଗୃହର ସମସ୍ତ ସଦସ୍ୟ, ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ, ସମସ୍ତ ସରକାରୀ ବିଭାଗ, ଆଡ୍‌ଭୋକେଟ୍ ଜେନେରାଲ୍‌, ଲୋକସଭା ସଚିବାଳୟର ସେକ୍ରେଟାରୀ ଜେନେରାଲ୍‌, ଭାରତ ନିର୍ବାଚନ ଆୟୋଗଙ୍କ ସଚିବ, କେନ୍ଦ୍ର ଆଇନ୍ ମନ୍ତ୍ରଣାଳୟ ଏବଂ ଅନ୍ୟ ସଂପୃକ୍ତ କାର୍ଯ୍ୟାଳୟଙ୍କୁ ଅବଗତ କରିଦିଆଯାଇଛି ବୋଲି ବାଚସ୍ପତି ସ୍ପଷ୍ଟ କରିଛନ୍ତି । ଉଲ୍ଲେଖନୀୟ ଯେ, ଚଳିତ ଶୀତ ଅଧିବେଶରେ ମୋଟ୍ ୩୩ଟି କାର୍ଯ୍ୟଦିବସ ରହିଛି । ସେଥିମଧ୍ୟରେ ୨୭ଟି ସରକାରୀ କାର୍ଯ୍ୟଦିବସ ଓ ୬ଟି ବେସରକାରୀ ସଭ୍ୟଙ୍କ କାର୍ଯ୍ୟଦିବସ ଅନ୍ତର୍ଭୁକ୍ତ । ପ୍ରଥମ ଦିବସରେ ଦିବଂଗତ ଦୁଇ ସଦସ୍ୟ ସ୍ୱର୍ଗତ ବିଷ୍ଣୁଚରଣ ସେଠୀ ଓ ସ୍ୱର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ସମେତ ଅନ୍ୟ ଦିବଂଗତ ପୂର୍ବତନ ସଦସ୍ୟଙ୍କ ବିୟୋଗରେ ଶୋକପ୍ରସ୍ତାବ ଆଗତ ହେବ । ୨୦୨୨-୨୩ ଆର୍ôଥକ ବର୍ଷ ପାଇଁ ଅତିରିକ୍ତ ବ୍ୟୟ ତାଲିକା ଉପସ୍ଥାପିତ ହେବ । ନଭେମ୍ବର ୩୦ ଓ ଡିସେମ୍ବର ୧ ରେ ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ । ଡିସେମ୍ବର ୨ରେ ବ୍ୟୟ ମଞ୍ଜୁରୀ ବିଲ ଆଗତ ହୋଇ ପାରିତ ହେବ ।

Related Articles

Leave a Reply

Your email address will not be published.

Back to top button