ବିଭିନ୍ନ ଆର୍‌ଟିଓ ଅଧୀନରେ ଖୋଲିବ ୫୪ କ୍ୟାମ୍ପ ଅଫିସ୍‌

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜିଲା ମୁଖ୍ୟାଳୟରେ ଆର୍‌ଟିଓ(ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ) ଥିଲେ ମଧ୍ୟ ଲୋକଙ୍କ ସୁବିଧା ଦୃଷ୍ଟିରୁ ରାଜ୍ୟ ସରକାର ଆଉ ୫୪ ସ୍ଥାନରେ କ୍ୟାମ୍ପ ଅଫିସ(ଆର୍‌ଟିଓ) ଖୋଲିବାକୁ ଅନୁମତି ଦେଇଛନ୍ତି। ଏହି କ୍ୟାମ୍ପ ଅଫିସ୍‌ଗୁଡ଼ିକ ସମ୍ପୃକ୍ତ ଜିଲାଗୁଡିକରେ ଥିବା ଆର୍‌ଟିଓ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟ କରିବ। ଆର୍‌ଟିଓମାନେ ନିଜ ଅଞ୍ଚଳରେ ପ୍ରସ୍ତାବିତ କ୍ୟାମ୍ପ ଅଫିସରେ ବିଭିନ୍ନ ପରିବହନ ସେବା ଯୋଗାଇଦେବାକୁ ଉପସ୍ଥିତ ରହିବେ। ରାଜ୍ୟ ସଡ଼କ ଓ ପରିବହନ ବିଭାଗ ପକ୍ଷରୁ ରାଜ୍ୟ ପରିବହନ କମିଶନରଙ୍କୁ ଏହି ନୂଆ ୫୪ କ୍ୟାମ୍ପ ଅଫିସ ଖୋଲିବାକୁ ସରକାର ଅନୁମତି ଦେଇଥିବା ନେଇ ଜଣାପଡିଛି। ରାଜ୍ୟ ପରିବହନ କମିଶନର ଗତ ୨୩ ତାରିଖରେ ଏନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ଆଧାରକରି ରାଜ୍ୟ ସରକାର ଅନୁମତି ଦେଇଥିବା ଜଣାପଡ଼ିଛି। ଏ ସବୁ କ୍ୟାମ୍ପ ଅଫିସ୍‌ ସେହି ଜିଲାରେ ଥିବା ଆର୍‌ଟିଓ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟ କରିବ। ମିଳିଥିବା ସୂଚନା ମୁତାବକ, ଗଞ୍ଜାମ ଜିଲାରେ ୨ଟି ଆର୍‌ଟିଓ ଛତ୍ରପୁର ଓ ଭଞ୍ଜନଗରରେ ଥିବାବେଳେ କ୍ୟାମ୍ପ ଅଫିସ ଯଥାକ୍ରମେ ବ୍ରହ୍ମପୁର ଓ ଆସିକାରେ ଖୋଲିବ। ସେହିପରି କଳାହାଣ୍ଡିରେ ଆର୍‌ଟିଓ ଅଫିସ୍‌ ଥିବାବେଳେ ଧର୍ମଗଡ଼ କ୍ୟାମ୍ପ ଅଫିସ ଖୋଲିବ। ସେହିପରି ମୟୂରଭଞ୍ଜର ରାଇରଙ୍ଗପୁର ଆର୍‌ଟିଓ ଅଫିସ ଅଧୀନରେ କରଞ୍ଜିଆରେ କ୍ୟାମ୍ପ ଅଫିସ୍‌ ସ୍ଥାପନ ହେବ। ଏହିଭଳି ଆଉ କେତେକ ସ୍ଥାନରେ ମଧ୍ୟ କ୍ୟାମ୍ପ ଅଫିସ୍‌ ଖୋଲିବାକୁ ଥିବା ଜଣାପଡିଛି। କେବଳ ନୂଆପଡ଼ା ଜିଲା(ଆର୍‌ଟିଓ)କୁ ବାଦ୍‌ ଦେଲେ ଅନ୍ୟ ସବୁ ଜିଲାରେ ଏହି ନୂଆ କ୍ୟାମ୍ପ ଅଫିସ୍‌ ଖୋଲିବ ବୋଲି ଜଣାପଡ଼ିଛି।

Related Articles

Leave a Reply

Your email address will not be published.

Back to top button