ବିଶିଷ୍ଟ ଭାସ୍କର୍ଯ୍ୟ ଓ ଚିତ୍ରଶିଳ୍ପୀ ବ୍ରଜବନ୍ଧୁ ମିଶ୍ର ସମେତ ୫ ଜଣ ଶିଳ୍ପୀ ହେଲେ ସମ୍ବର୍ଦ୍ଧିତ

କଳାକ୍ଷେତ୍ରକୁ ପ୍ରସ୍ଫୁଟିତ କରିଥିବା ଶିଳ୍ପୀମାନେ ଆମର ଚିର ନମସ୍ୟ ଓ ପ୍ରଣମ୍ୟ-ସଂସ୍କୃତି ମନ୍ତ୍ରୀ ଶ୍ରୀ ପାତ୍ର
ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶାଙ୍କ ଦ୍ୱାରା ୨୦୨୨ ମସିହା ପାଇଁ ଚିତ୍ରକଳା ଓ ସ୍ଥାପତ୍ୟ କଳା କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନା ସହିତ ୪୦ ତମ ରାଜ୍ୟସ୍ତରୀୟ ଚାରୁକଳା ପୁରସ୍କାର ପ୍ରଦାନ ଉତ୍ସବ ଆଜି ଭୁବନେଶ୍ୱରସ୍ଥିତ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ଚିତ୍ରଶିଳ୍ପୀ ଓ ଭାସ୍କର୍ଯ୍ୟ ଶିଳ୍ପୀଙ୍କ ସମଗ୍ର ଜୀବନର ନିରବଚ୍ଛିନ୍ନ ସାଧନା ନିମନ୍ତେ ଏହି ପୁରସ୍କାର ଓ ସମ୍ବର୍ଦ୍ଧନା ୧୯୮୭ ମସିହାରୁ ପ୍ରଦାନ କରାଯାଇ ଆସୁଛି । ଧର୍ମପଦ ପୁରସ୍କୃତ ଶିଳ୍ପୀଙ୍କୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଏବଂ ସମ୍ବର୍ଦ୍ଧିତ ଶିଳ୍ପୀମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ସହ ତାମ୍ରଫଳକ ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଅଛି । ୯୪ ବର୍ଷୀୟ ଚିତ୍ରଶିଳ୍ପୀ ଶ୍ରୀ ବଂଶୀଧର ପ୍ରତିହାରୀ ୨୦୨୨ ମସିହା ପାଇଁ ଏହି ମର୍ଯ୍ୟାଦାଜନକ ଧର୍ମପଦ ପୁରସ୍କାର ଲାଭ କରିଛନ୍ତି । ଏଥି ସହ ବିଶିଷ୍ଟ ଭାସ୍କର୍ଯ୍ୟ ଓ ଚିତ୍ରଶିଳ୍ପୀ ବ୍ରଜବନ୍ଧୁ ମିଶ୍ର, ବିଶିଷ୍ଟ ତାଳପତ୍ର ଚିତ୍ରଶିଳ୍ପୀ ଲକ୍ଷ୍ମୀଧର ସୁବୁଦ୍ଧି, ବିଶିଷ୍ଟ ପାରମ୍ପରିକ ପଟ୍ଟଚିତ୍ର ଶିଳ୍ପୀ ଭ୍ରମରବର ନାୟକ, ଚିତ୍ରଶିଳ୍ପୀ ରମେଶ କୁମାର ବେହେରା ଓ ବିଶିଷ୍ଟ ପ୍ରସ୍ତର ଶିଳ୍ପୀ କେଶବ ଚନ୍ଦ୍ର ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ତତ୍ ସହିତ ମନୋନୀତ ୭ ଜଣ ଶିଳ୍ପୀଙ୍କୁ ପାରମ୍ପରିକ ଚିତ୍ରକଳା, ଭାସ୍କର୍ଯ୍ୟ କଳା, ମୁଦ୍ରଣ କଳା ଓ ଚିତ୍ରକଳା କ୍ଷେତ୍ରରେ ୪୦ ତମ ରାଜ୍ୟସ୍ତରୀୟ ଚାରୁକଳା ପୁରସ୍କାର ପ୍ରଦାନ କରାଯାଇଛି । ଭାସ୍କର୍ଯ୍ୟ କଳାରେ ଶିଳ୍ପୀ ପ୍ରତାପ ଚନ୍ଦ୍ର ଜେନା ଓ ଶିଳ୍ପୀ ଅଶାନ୍ତ ଦାସ, ମୁଦ୍ରଣ କଳାରେ ଶିଳ୍ପୀ ରବି ନାରାୟଣ ଗୁପ୍ତା ଓ ଶିଳ୍ପୀ ଟୁକୁନା ଡାକୁଆ, ପାରମ୍ପରିକ ଚିତ୍ରକଳାରେ ଶିଳ୍ପୀ ନିରଞ୍ଜନ ମୁଖି, ଚିତ୍ରକଳାରେ ଶିଳ୍ପୀ ଶୀତିକାନ୍ତ ସାମନ୍ତଶିଙ୍ଗାର ଓ ଶିଳ୍ପୀ ଅମିତ କୁମାର ଓଝାଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ସହ ତାମ୍ରଫଳକ ଓ ଉପଢୌକନ ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଛି । ସଂସ୍କୃତି ଭବନରେ ଅନୁଷ୍ଠିତ ଏହି ବର୍ଣ୍ଣାଢ୍ୟ ଉତ୍ସବରେ ମାନ୍ୟବର ରାଜ୍ୟ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶିଳ୍ପୀମାନଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରିଥିଲେ ଓ ଏହି ଅବସରରେ ମନ୍ତ୍ରୀ ପାତ୍ର କହିଥିଲେ ଯେ, ଶିଳ୍ପୀମାନେ ସେମାନଙ୍କର ସାଧନା ଓ ସମର୍ପଣ ଭାବ ନେଇ କଳାକ୍ଷେତ୍ରକୁ ପ୍ରସ୍ଫୁଟିତ କରିଛନ୍ତି । ସେମାନେ ଆମର ଚିର ନମସ୍ୟ, ପ୍ରଣମ୍ୟ । କିମ୍ବଦନ୍ତୀ ଅନୁସାରେ ଉତ୍କର୍ଷ କଳା ଯୋଗୁଁ ଆମ ରାଜ୍ୟ ଉତ୍କଳ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ବିଶ୍ୱ ପ୍ରସିଦ୍ଧ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର, କୋଣାର୍କ ମନ୍ଦିର ଏହାର ସାକ୍ଷୀ । ସେହିପରି ବିଦେଶରେ କାମ୍ବୋଡିଆ, ଇନ୍ଦୋନେସିଆର ବାଲିଦ୍ୱୀପରେ କଳାର ଆଲେଖ୍ୟ ରହିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଓଡିଶାର ସବୁ ପ୍ରାନ୍ତରରେ କଳାର ବିକାଶ ହେଉ, ଚାହାଁନ୍ତି । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, କଳା ଓ ସଂସ୍କୃତିର ବିକାଶ ପାଇଁ ନିରନ୍ତର ଉଦ୍ୟମ କରିଆସୁଛି । ଏଥିପାଇଁ ଅର୍ଥର କୌଣସି ଅଭାବ ରହିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିଥିଲେ । ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଯୋଗଦେଇ କହିଲେ ଯେ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶିଳ୍ପୀମାନଙ୍କୁ ଆଜି ସମ୍ମାନିତ କରି ଗର୍ବିତ । ସମ୍ବର୍ଦ୍ଧିତ ଶିଳ୍ପୀମାନଙ୍କ ସାଧନା ଏବଂ ଉତ୍କର୍ଷ ସମସ୍ତଙ୍କର ଅନୁକରଣୀୟ ହେବା ସଙ୍ଗେ ସଙ୍ଗେ ଆଗାମୀ ପିଢି ପାଇଁ ଶିଳ୍ପୀମାନେ ମାର୍ଗଦର୍ଶକ ହୋଇ ରହିବେ ବୋଲି ଶ୍ରୀ ସାହୁ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ବିଭାଗର ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ରଂଜନ କୁମାର ଦାସ ମଞ୍ଚାସୀନ ଥିବା ବେଳେ ଓଡ଼ିଶା ଲଳିତ କଳା ଏକାଡେମୀର ସଚିବ ପଞ୍ଚାନନ ସାମଲ ସ୍ୱାଗତ ଭାଷଣ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ମନସ୍ୱିନୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଶିଷ୍ଟ ଉପସ୍ଥାପକ ଡଃ. ମୃତ୍ୟୃଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ସମସ୍ତ ଅଧିକାରୀ, ବିଭିନ୍ନ ଶାଖାର କର୍ତ୍ତୃପକ୍ଷ ଏବଂ ଅଧିକାରୀ, ବହୁ ସଂଖ୍ୟାରେ ଚିତ୍ରଶିଳ୍ପୀ, ଭାସ୍କର୍ଯ୍ୟ ଶିଳ୍ପୀ,ମୁଦ୍ରଣ ଶିଳ୍ପୀ ଓ କଳାକୁ ଭଲପାଉଥିବା ଜନସାଧାରଣ ଉପସ୍ଥିତ ରହି ସମ୍ବର୍ଦ୍ଧିତ ଶିଳ୍ପୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

Related Articles

Leave a Reply

Your email address will not be published.

Back to top button