ବିଶ୍ୱକପ୍ ପାଇଁ ରାଉରକେଲାରେ ୫-ଜି ସେବା

ଭୁବନେଶ୍ୱର : ସିଲଭର୍ ସିଟି କଟକ ଓ ସ୍ମାଟ୍ ସିଟି ଭୁବନେଶ୍ୱର ପରେ ଏବେ ଷ୍ଟିଲ୍ ସିଟି ରାଉରକେଲାରେ ୫-ଜି ସେବା ଆରମ୍ଭ ହୋଇଛି । ହକି ବିଶ୍ୱକପ୍‌-୨୦୨୩କୁ ଦୃଷ୍ଟିରେ ରଖି ରାଉରକେଲାର ନୂଆ ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ମଧ୍ୟ ୫ଜି ସେବା ମିଳିବ । ଏୟାରଟେଲ୍ ୫ଜି ଯୋଗାଇ ଦେବ । ଫଳରେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ତିନିଟି ସହରରେ ୫ଜି ସେବା ଉପଲବ୍ଧ ହୋଇଛି । ଉଲ୍ଲେଖନୀୟ ଯେ, ଗତ ଜାନୁଆରୀ ୫ ଗୁର୍ରୁବାର କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତରେ କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉକ୍ତ ସେବାକୁ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସେ ଓଡ଼ିଶାର ଗ୍ରାମୀଣ ଅଞ୍ଚଳ ମାଲକାନଗିରି, ରାୟଗଡା, କୋରାପୁଟ, କନ୍ଧମାଳ, ନବରଙ୍ଗପୁର, ନୂଆପଡ଼ା ଓ କଳହାଣ୍ଡି ଜିଲ୍ଲାରେ ୧୦୦ଟି ୪ଜି ମୋବାଇଲ ଟାୱାରର ମଧ୍ୟ ଲୋକାର୍ପଣ କରିଥିଲେ । କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ, ଲୋକଙ୍କୁ ଆଉ କଲ୍ ଡ୍ରପ୍‌ର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ସମାଜର ନିମ୍ନ ଶ୍ରେଣୀରେ ଥିବା ଲୋକଙ୍କ ମଧ୍ୟରେ ଯୋଗାଯୋଗ ସ୍ଥାପନକୁ ସୁଦୃଢ଼ ଓ ଡିଜିଟାଲ ଦୂରତ୍ୱକୁ ହ୍ରାସ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଶ୍ରୁତିବଦ୍ଧ । ମୋଦୀଙ୍କ ପ୍ରଚେଷ୍ଟା ଯୋଗୁଁ ଭାରତ ନେଟ୍ ଦ୍ୱାରା ଓଡ଼ିଶା ସମେତ ସମଗ୍ର ଦେଶରେ ପ୍ରାୟ ଅଧିକାଂଶ ଗ୍ରାମକୁ ଉଚ୍ଚ କ୍ଷମତା ସମ୍ପନ୍ନ ଅପ୍ଟିକାଲ ଫାଇଭର୍ ସଂଯୋଗ କରାଯାଉଛି । ଟେଲିକମ୍ ଭିତ୍ତିଭୂମିକୁ ସୁଦୃଢ଼ ପାଇଁ ସବୁ ପଞ୍ଚାୟତରେ ୫,୦୦୦ରୁ ଉର୍ଦ୍ଧ୍ୱ କୋଟି ଟଙ୍କା ପୁଞ୍ଜିନିବେଶ ହୋଇଛି । ଏବେ ରାଜ୍ୟରେ ୫-ଜି ସେବା ଦ୍ୱାରା ଟେଲିକମ୍ ଏବଂ ଇଣ୍ଟରନେଟ୍ ଗ୍ରାହକମାନେ ଅତି ଉନ୍ନତମାନର ସେବା ପାଇବେ ବୋଲି ସେ ପ୍ରକାଶ କରିଥିଲେ ।

Related Articles

Leave a Reply

Your email address will not be published.

Back to top button