ରାଜ୍ୟରେ ନିଯୁକ୍ତ ହେବେ ୪୦ ହଜାର ଶିକ୍ଷକ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ନିଯୁକ୍ତ ହେବେ ୪୦ ହଜାର ଶିକ୍ଷକ । ଏ ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେହିପରି ବିଭାଗୀୟ ୱେବସାଇଟରେ ମଧ୍ୟ ଟୁଇଟ୍‌ କରାଯାଇଛି । ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡିକରେ ଖାଲି ପଡିଥିବା ପଦବୀ ପୂରଣ କରିବା ପାଇଁ ନିୟୋଜିତ ହେବେ ୨୦ ହଜାର କନିଷ୍ଠ ଶିକ୍ଷକ । ଏହା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି । ସେହିପରି ରାଜ୍ୟରେ ୭୫୪୦ ସରକାରୀ ମାଧ୍ୟମିକ ଶିକ୍ଷକ ନିଯୁକ୍ତ ପାଇଁ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ୍‌ ବିଜ୍ଞପ୍ତି ପ୍ରକାଶ କରି ସାରିଛି । ରାଜ୍ୟରେ ଥିବା ସରକାରୀ ମାଧ୍ୟମିକ ବିଦ୍ୟାଳୟଗୁଡିକରେ ଶିକ୍ଷକ ଅଭାବ ଦୂର କରିବା ପାଇଁ ୬୦୨୫ ଏଲଟିଆର ଶିକ୍ଷକ ପଦବୀ ସୃଷ୍ଟି କରାଯାଇଛି । ଏହି ଶିକ୍ଷକମାନେ ଛୁଟି ଓ ପ୍ରଶିକ୍ଷଣ ପାଇଁ ସଂରକ୍ଷିତ ରହିବେ । ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ୍‌ ମାଧ୍ୟମରେ ଏହି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯାଇଛି । ମାଧ୍ୟମିକ ବିଦ୍ୟାଳୟ ସହ ଜିଲ୍ଲା ଏବଂ ବ୍ଲକ୍‌ ଶିକ୍ଷାଧିକାରୀଙ୍କ କାର୍ୟ୍ୟାଳୟ ପାଇଁ ମୋଟ ୧୭୯୯ କନିଷ୍ଠ ସହାୟକ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକରେ ୨୦୬୪ ଶିକ୍ଷକଙ୍କୁ ନିଯୁକ୍ତ କରିବାକୁ ସଭିସ୍‌ ସିଲେକ୍ସନ୍‌ ବୋର୍ଡ ମାଧ୍ୟମରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଅପରପକ୍ଷେ ଓଡ଼ିଶା ଲୋକସେବା ଆୟୋଗ ବା ଓପିଏସସି ଦ୍ୱାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକରେ ୩୩୫ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ୧୫୦ ଜଣ ପୋଷ୍ଟ୍‌ ଗ୍ରାଜୁଏଟ୍‌ ଟିଚର୍‌(ପିଜିଟି) ନିଯୁକ୍ତି ସରିଥିବା ବେଳେ ଆହୁରି ୩୬୭ ଜଣଙ୍କୁ ନିଯୁକ୍ତ କରାଯିବ । ପୂର୍ଣ୍ଣ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକରେ ୧୫୪୩ ପିଜିଟି ନିଯୁକ୍ତି ପାଇଁ ବିଭାଗ ନିଷ୍ପତ୍ତି କରିଛି ବୋଲି ମନ୍ତ୍ରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି । ତେବେ ପ୍ରଥମ ପର୍ୟ୍ୟାୟରେ ୫୫୫ ପିଜିଟି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଯାହା ସର୍ଭିସ୍‌ ସିଲେକ୍ସନ୍‌ ବୋର୍ଡ କରୁଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଡିଆଇଆଇଟି ଓ ବିଆଇଇଟିରେ ୧୨୦ ଶିକ୍ଷକ-ପ୍ରଶିକ୍ଷକ ପଦବୀ ପୂରଣ ହେବ । ଯାହା ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ୍‌ ବିଜ୍ଞପ୍ତି ପ୍ରକାଶ କରିସାରିଛି ।

Related Articles

Leave a Reply

Your email address will not be published.

Back to top button