୩୧ରେ ଓଟିଇଟି: ସ୍ୱତନ୍ତ୍ର ଓଟିଇଟିରେ ଫେଲ୍ ଶିକ୍ଷକ ଦେଇପାରିବେ ପରୀକ୍ଷା

କଟକ : ସ୍ପେସାଲ୍ ଓଟିଇଟି ପରୀକ୍ଷାରେ ଫେଲ୍ ଶିକ୍ଷକମାନଙ୍କୁ ବୋର୍ଡ କର୍ତ୍ତୃପକ୍ଷ ଏକ ସୁଯୋଗ ଦେଇଛନ୍ତି । ଆସନ୍ତା ୩୧ ତାରିଖରେ ହେବାକୁ ଥିବା ଓଟିଇଟିରେ ସେମାନେ ପରୀକ୍ଷା ଦେଇପାରିବେ । ଏମାନେ ଅନ୍ୟ ସାଧାରଣ ପରୀକ୍ଷାର୍ଥୀଙ୍କ ସହ ମିଶି ଓଟିଇଟି ପରୀକ୍ଷା ଦେବେ । ଏଥିଲାଗି ଆଜି ଅର୍ଥାତ ୧୬ ତାରିଖରୁ ୧୮ ତାରିଖ ପର୍ୟ୍ୟନ୍ତ ସମ୍ପୃକ୍ତ ଶିକ୍ଷକମାନେ ଅଫ୍ଲାଇନ୍ରେ ବୋର୍ଡ କାର୍ୟ୍ୟାଳୟରେ ଫର୍ମ ପୂରଣ କରିବାକୁ କୁହାଯାଇଛି । ଫଳରେ ଫେଲ୍ ହୋଇଥିବା ଶହ ଶହ ଶିକ୍ଷକ ଆଜି ବୋର୍ଡ କାର୍ୟ୍ୟାଳୟରେ ପହଞ୍ଚି ଫର୍ମ ପୂରଣ କରିଛନ୍ତି । ସୂଚନାଯୋଗ୍ୟ, ଓଟିଇଟି ପରୀକ୍ଷାରେ ବାରମ୍ବାର ଫେଲ୍ ହେଉଥିବା ଶିକ୍ଷକଙ୍କ ଲାଗି ଗତ ଅଗଷ୍ଟ ୨୯ରେ ସ୍ପେସାଲ୍ ଓଟିଇଟି ହୋଇଥିଲା । ଏହି ଫଳ ପ୍ରକାଶନରେ ବିଭ୍ରାଟକୁ ନେଇ ସ୍ପେସାଲ ଓଟିଇଟି ଦେଇଥିବା ଶିକ୍ଷକମାନେ ବୋର୍ଡ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଜାରି ରଖିଥିଲେ । ଗ୍ରେସ୍ ମାର୍କ ଦାବି କରିଥିଲେ । ତେଣୁ ଫେଲ୍ ଶିକ୍ଷକମାନଙ୍କୁ ବୋର୍ଡ ପକ୍ଷରୁ ୩୧ ତାରିଖରେ ହେବାକୁ ଥିବା ଓଟିଇଟି ପରୀକ୍ଷାରେ ସୁଯୋଗ ଦିଆଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି ।