୩୦ତମ ଇଟିକିଲି ମିଟିକିଲି ଉତ୍ସବ ଉଦ୍‌ଘାଟିତ: ପ୍ରତିଭା ପ୍ରଦର୍ଶନକଲେ କୁନି ଛାତ୍ରଛାତ୍ରୀ

ଭୁବନେଶ୍ୱର: ପିଲାଙ୍କ ଅନୁଷ୍ଠାନ ଇଟିକିଲି ମିଟିକିଲିର ୩୦ତମ ଉତ୍ସବ ଅବସରରେ ତିନିଦିନିଆ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆଜି ସ୍ଥାନୀୟ ରୟାଲ ହାୟର ସେକେଣ୍ଡାରୀ ସ୍କୁଲ ଅଫ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି ଅଡ଼ିଟୋରିଅମ୍‌ଠାରେ ଉଦ୍‌ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ପିଲାଙ୍କ ଭିତରେ ଲୁଚି ରହିଥିବା ପ୍ରତିଭାକୁ ଉପଯୁକ୍ତ ମଞ୍ଚରେ ସୁଯୋଗ ଦେଇ ଲୋକଲୋଚନକୁ ଆଣିବା ନିମନ୍ତେ ଦୀର୍ଘ ତିରିଶ ବର୍ଷ ଧରି ଇଟିକିଲି ମିଟିକିଲି ଯେଉଁ ପ୍ରଚେଷ୍ଟା ଜାରି ରଖିଛି, ତାହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। ଅନୁଷ୍ଠାନର ସଭାପତି ଶରତ କୁମାର ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ରେଡ଼ିଓ ଆଉଟ୍‌ରିଚ୍‌ର ପ୍ରତିଷ୍ଠାତା ସୁବ୍ରତ କୁମାର ପତି, ରୟାଲ କଲେଜର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ବିଷ୍ଣୁମୋହନ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ପିଲାମାନଙ୍କ ପ୍ରତିଭା ବିକଶିତ ହେଲେ ଆମ ରାଜ୍ୟର ସାହିତ୍ୟ, ନୃତ୍ୟ, ସଂଗୀତ, କଳା ଇତ୍ୟାଦି ଭବିଷ୍ୟତରେ ଅଧିକରୁ ଅଧିକ ସମୃଦ୍ଧ ହୋଇପାରିବ ବୋଲି ବକ୍ତବ୍ୟରେ କହିଥିଲେ। ଅନୁଷ୍ଠାନର ସଚିବ ଶରତ କୁମାର ନାୟକ ନିଜ ବକ୍ତବ୍ୟରେ ଅଭିଭାବକମାନଙ୍କ ସହଯୋଗ ଓ ପିଲାମାନଙ୍କ ସମ୍ପୃକ୍ତି ଯୋଗୁ ଦୀର୍ଘବର୍ଷ ହେଲା ସମସ୍ତ କାର୍ଯ୍ୟକ୍ରମ ସୁଚାରୁରୂପେ ଅନୁଷ୍ଠିତ ହୋଇଆସୁଛି ବୋଲି ମତପ୍ରକାଶ କରିଥିଲେ। ଏହାପରେ ଆୟୋଜିତ ହୋଇଥିଲା ମୁଁ ବି ଜଣେ ପାଠକ, ଓଡ଼ିଆ ସମ୍ବାଦପାଠ ଓ ଓଡ଼ିଆ କବିତା ଆବୃତ୍ତି ପ୍ରତିଯୋଗିତା। ଏହି କାର୍ଯ୍ୟକ୍ରମରେ କ୍ୟୁଟି କିଡ୍‌ସ୍ ପ୍ରି-ସ୍କୁଲ୍‌ର ଅଧ୍ୟକ୍ଷା ସଂଯୁକ୍ତା ପଣ୍ଡା, ଶିଶୁ ସାହିତ୍ୟିକା ଶରତ କୁମାରୀ ମିଶ୍ର, ନିତିଦିନର ସହ-ସମ୍ପାଦକ ହିମାଂଶୁ ଶେଖର ପ୍ରଧାନ, କବି-ସାହିତ୍ୟିକା ପ୍ରତିସ୍ୱନୀ ମହାନ୍ତି ପ୍ରମୁଖ ବିଚାରକ ଭାବେ ଯୋଗଦାନ କରି ଯୋଗ୍ୟ ଶିଶୁପ୍ରତିଭାମାନଙ୍କୁ ଚୟନ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଅପରାହ୍ଣରୁ ରାତ୍ରି ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ଓଡ଼ିଶୀ ଓ ଲେକନୃତ୍ୟର ମନଛୁଆଁ କାର୍ଯ୍ୟକ୍ରମ ନାଦମ୍ବିକା। ଅନୁଷ୍ଠାନର ଉପ-ସଭାପତି ଚିତ୍ତ ମହାପାତ୍ରଙ୍କ ପୌରୋହିତ୍ୟରେ ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ତଥା ଶିଳ୍ପ ବିଶେଷଜ୍ଞ ଡକ୍ଟର ସଚିକାନ୍ତ କର ଓ କ୍ଷୁଦ୍ରଶିଳ୍ପ ପରାମର୍ଶଦାତା ପ୍ରବାସ ଚନ୍ଦ୍ର ନାୟକ ପ୍ରମୁଖ ଅତିଥି ଭାବରେ ଯୋଗଦାନ କରିଥିଲେ। ଏହି ନୃତ୍ୟ ପ୍ରତିଯୋଗିତାରେ ଓଡ଼ିଶୀ ନୃତ୍ୟଗୁରୁ ପୀତାମ୍ବର ବିଶ୍ୱାଳ, ଓଡ଼ିଶୀ ନୃତ୍ୟଶିଳ୍ପୀ ପ୍ରିୟଙ୍କା ମିଶ୍ର ଓ ଶୈଳଜା ନନ୍ଦିନୀ ବେହେରା ପ୍ରମୁଖ ବିଚାରକ ଭାବରେ ଉପସ୍ଥିତ ରହି କୃତୀ ନୃତ୍ୟଶିଳ୍ପୀମାନଙ୍କୁ ଚୟନ କରିଥିଲେ। ଆଜିର ସମସ୍ତ ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଦୁଇଶହରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ସାଂସ୍କୃତିକ ସମ୍ପାଦିକା ଅନିତା ରଥ, ସଦସ୍ୟ ରଜନୀକାନ୍ତ ରାଉତ, ଜୟପ୍ରକାଶ ମିଶ୍ର, ସବିତା ତ୍ରିପାଠୀ, ପ୍ରବୀଣା ପରିଡ଼ା, ପ୍ରିୟଦର୍ଶୀ ସୌମ୍ୟକାନ୍ତ ପ୍ରମୁଖ ପରିଚାଳନା କରିଥିଲେ। ଏହି ସ୍ଥାନରେ ଆଜି ରବିବାର ଦ୍ୱିତୀୟ ଦିବସ କାର୍ଯ୍ୟକ୍ରମରେ ସକାଳ ଦଶଟାରୁ ରାତ୍ର ଦଶଟା ପର୍ଯ୍ୟନ୍ତ କଣ୍ଠ ସଙ୍ଗୀତ, ସଙ୍ଗୀତଭିତ୍ତିକ ନୃତ୍ୟ ସହ ଅନ୍ୟାନ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ସଚିବ ଶ୍ରୀ ନାୟକ ପ୍ରକାଶ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button