୩ ମହିଳା ନକ୍ସଲ ଗିରଫ
ଭୁବନେଶ୍ବର: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଗୁଣ୍ଠାବେଡ଼ା ଜଙ୍ଗଲରୁ ୩ ଦୁର୍ଦ୍ଦାନ୍ତ ମହିଳା ନକ୍ସଲଙ୍କୁ ଓଡ଼ିଶା ପୁଲିସ ଗିରଫ କରିଛି। ଗିରଫ ନକ୍ସଲମାନେ ହେଉଛନ୍ତି ସ୍ୱପ୍ନା ଓରଫ ଚନ୍ଦ୍ରମା ଖିଲୋ, ବବିତା ଓରଫ କମଳା ଖିଲୋ ଓ ସୁନୀତା ଖିଲୋ। ସେମାନଙ୍କ ଘର ମାଲକାନଗିରି ଜିଲ୍ଲା ଯୋଡ଼ାମ୍ବ ଥାନା ଅନ୍ତର୍ଗତ ଧାକଡ଼ପଦର ଗାଁରେ ବୋଲି ଜଣାଯାଇଛି। ସମ୍ପୃକ୍ତ ୩ ଜଣଙ୍କ ମୁଣ୍ଡ ଉପରେ ମୋଟ୍ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ତେବେ ଗୁଇନ୍ଦା ରିପୋର୍ଟ ଆଧାରରେ ପୁଲିସ ସେମାନଙ୍କୁ ଗିରଫ କରିଛି। ପ୍ରକାଶ ଯେ ସ୍ୱପ୍ନା ୨୦୧୮ରେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ। ସେ ମାଲକାନଗିରିର ଗୁମ୍ମା ଅଞ୍ଚଳରେ କାର୍ଯ୍ୟ କରୁଥିଲେ। ତାଙ୍କ ମୁଣ୍ଡ ଉପରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ସେହିପରି ବବିତା୨୦୨୧ରେ ନକ୍ସଲ ସଂଗଠନରେ ସାମିଲ ହୋଇଥିବାବେଳେ ତାଙ୍କ ମୁଣ୍ଡରେ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ସୁନୀତା ଖିଲୋ ୨୦୨୧ରେ ନକ୍ସଲ ସଂଗଠନରେ ସାମିଲ ହୋଇଥିବାବେଳେ ତାଙ୍କ ମୁଣ୍ଡରେ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ନକ୍ସଲ ଓ ପୁଲିସ ମଧ୍ୟରେ ବିଭିନ୍ନ ସମୟରେ ହୋଇଥିବା ଗୁଳିବିନିମୟରୁ ୬ଟିରେ ସ୍ୱପ୍ନା ସାମିଲ ଥିଲେ। ସେହିପରି ଛତିଶଗଡ଼ର ସୁକମାରେ ଘଟିଥିବା ଏକ ଗୁଳି ବିନିମୟ ଘଟଣାରେ ମଧ୍ୟ ତାଙ୍କର ସମ୍ପୃକ୍ତି ଥିଲା। ବବିତା ଓ ସୁନୀତା ପୁଲିସ ସହିତ ହୋଇଥିବା ୩ଟି ଗୁଳିବିନିମୟ ଘଟଣାରେ ସାମିଲ ହୋଇଥିଲେ। ସେଥିରୁ ଦୁଇଟି ମାଲକାନଗିରିରେ ଘଟିଥିବା ବେଳେ ଗୋଟିଏ ଛତିଶଗଡ଼ର ସୁକମା ଜିଲ୍ଲାରେ ଘଟିଥିଲା। ପଚରାଉଚରା ବେଳେ ସେମାନେ ସୁରକ୍ଷାକର୍ମଚାରୀଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରୁଥିଲେ ବୋଲି କହିଛନ୍ତି।