୧୫ ଦିନ ବିତିଗଲା ମିଳିଲାନି ନ୍ୟାୟ, ଦିଲ୍ଲୀ ଏମ୍ସରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା

ଭୁବନେଶ୍ୱର: ବହୁଚର୍ଚ୍ଚିତ ବଳଙ୍ଗା ପୀଡ଼ିତାଙ୍କ ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀ ଏମ୍ସରେ ଶନିବାର ମୃତ୍ୟୁ ଘଟିଛି। ଯେଉଁ ଶନିବାର ସେ ଜଳିଯାଇଥିଲେ ସଂଯୋଗ ବଶତଃ ସେହି ଶନିବାରରେ ସେ ଆଖି ବୁଜିଛନ୍ତି। ଆସନ୍ତାକାଲି ଏମ୍ସରେ ତାଙ୍କର ଶବ ବ୍ୟବଚ୍ଛେଦ ପରେ ମୃତଦେହ ଓଡ଼ିଶା ଆସିବ ବୋଲି ସୂଚନା ମିଳିଛି। ଏହି ଘଟଣାରେ ଜିଲ୍ଲା ପୁଲିସ, କ୍ରାଇମ୍ବ୍ରାଞ୍ଚ୍. ସ୍ପେଶାଲ୍ ବ୍ରାଞ୍ଚ୍, ଜିଲ୍ଲା ଡଗ୍ ସ୍କ୍ୱାଡ୍ ଓ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଜାରି ରଖିଥିବା ବେଳେ ଆଜକୁ ୧୫ ଦିନ ବିତିଥିଲା ବେଳେ ଏ ପର୍ଯ୍ୟନ୍ତ ପୀଡ଼ିତାକୁ ନ୍ୟାୟ ମିଳିପାରିନାହିଁ କି ଘଟଣା ଉପରୁ ପରଦା ହଟିପାରିନାହିଁ।
ତେବେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। ଏନେଇ ସାମାଜିକ ଗଣମାଧ୍ୟମରେ ଟୁଇଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ବଳଙ୍ଗା ଘଟଣାରେ ପୀଡ଼ିତା ଝିଅଟିର ମୃତ୍ୟୁ ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ। ସରକାରଙ୍କ ସମସ୍ତ ପ୍ରୟାସ ଏବଂ ଏମ୍ସ ଦିଲ୍ଲୀରେ ବିଶେଷଜ୍ଞ ଡାକ୍ତରୀ ଦଳଙ୍କ ଅହୋରାତ୍ର ଚେଷ୍ଟା ସତ୍ତ୍ୱେ ତାଙ୍କ ଜୀବନ ରକ୍ଷା କରାଯାଇ ପାରିଲା ନାହିଁ। ମୁଁ ଝିଅଟିର ଅମର ଆତ୍ମାର ସଦ୍ଗତି କାମନା କରୁଛି ଏବଂ ଏହି ଅପୂରଣୀୟ କ୍ଷତିକୁ ସହିବା ପାଇଁ ତାଙ୍କ ପରିବାରକୁ ଶକ୍ତି ମିଳୁ ବୋଲି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି।
ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଏକ ଅଭାବନୀୟ ତଥା ଦୁର୍ଭାଗ୍ୟଜନକ ଅଘଟଣ ପରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ବଳଙ୍ଗା ପୀଡ଼ିତାଙ୍କ ପରଲୋକ ଘଟିଛି। ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଏ ଦୁଃଖଦ ପରିସ୍ଥିତିରେ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି। ଡାକ୍ତରୀ ଦଳ ଏବଂ ସରକାରଙ୍କ ସମସ୍ତ ପ୍ରକାର ଚେଷ୍ଟା ସତ୍ତ୍ୱେ ବଞ୍ଚାଇ ପାରିନଥିବାରୁ ଆମେ ଅତ୍ୟନ୍ତ ଦୁଃଖିତ। ଅନ୍ୟପକ୍ଷରେ ବଳଙ୍ଗା ନାବାଳିକାଙ୍କୁ ଜାଳିଦେବା ଘଟଣାରେ ଓଡ଼ିଶା ପୁଲିସ ଏକ ବଡ଼ ଖୁଲାସା କରିଛି। ଏନେଇ ଓଡ଼ିଶା ପୁଲିସର ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲ୍ (ଅକ୍ଟୟସଗ୍ଦଷବପକ୍ଟ୍ରକ୍ଟକ୍ଷସମର) ମାଧ୍ୟମରେ ସୂଚନା ଦିଆଯାଇଛି। ବଳଙ୍ଗା ଘଟଣାରେ ପୀଡ଼ିତା ଝିଅଙ୍କ ମୃତ୍ୟୁ ଖବର ଶୁଣି ଆମେ ଅତ୍ୟନ୍ତ ଦୁଃଖିତ। ଏହି ଘଟଣାରେ ପୁଲିସ ପକ୍ଷରୁ ତଦନ୍ତ ନିଷ୍ଠାର ସହ କରାଯାଇଛି। ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତ ଅନୁଯାୟୀ ଏହି ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନଥିବା ସ୍ପଷ୍ଟ ହୋଇଛି। ଏଣୁ ସମସ୍ତଙ୍କୁ ଅନୁରୋଧ,ଏହି ଦୁଃଖଦ ମୁହୂର୍ତ୍ତରେ ଏ ସମ୍ବନ୍ଧୀୟ କୌଣସି ସମ୍ବେଦନଶୀଳ ମନ୍ତବ୍ୟ ନ ଦିଅନ୍ତୁ। ସୂଚନଯୋଗ୍ୟ, ବଳଙ୍ଗା ଥାନା ବାଇଆବରର ନାବାଳିକା ଜଣକ ଗତମାସ ୧୯ ତାରିଖ ଦିନ ପୂର୍ବାହ୍ଣରେ ନିଜ ସାଙ୍ଗ ଘରକୁ କୌଣସି କାମରେ ଯାଉଥିଲା ବେଳେ ଦୁର୍ବୃତ୍ତମାନେ ତାଙ୍କ ଅପହରଣ କରି ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲେ। ସେଠାରେ ଅତ୍ୟନ୍ତ ନିର୍ଦ୍ଦୟ ଓ ବର୍ବରୋଚିତ ଭାବେ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା। ଶରୀରର ୭୫ ପ୍ରତିଶତ ପୋଡ଼ି ଯାଇଥିବାରୁ ତାଙ୍କୁ ଜୁଲାଇ ୨୨ ତାରିଖ ଦିନ ଏମ୍ସ ଦିଲ୍ଲୀକୁ ସ୍ଥାନାନ୍ତରିତ କରାଯାଇଥିଲା। ଏଥିପାଇଁ ଏମ୍ସ ଭୁବନେଶ୍ୱରରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ କରିଡର୍ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଥିବା ବେଳେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଏକାଧିକ ଥର ବୟାନ ରେକର୍ଡ କରାଯାଇଥିଲା। ତେବେ ଆଜି ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତା ଆଖି ବୁଜି ଦେଇଛନ୍ତି। ଏ ଖବର ପ୍ରସାରିତ ହେବା ପରେ ବଳଙ୍ଗା ଅଞ୍ଚଳରେ ଏକ ବଡ଼ ଦୁଖର ଛାୟା ଖେଳି ଯାଇଛି। ଅଞ୍ଚଳବାସୀ ମର୍ମାହତ ହେବା ସହ କ୍ଷୋଭର ସହିତ ପ୍ରକାଶ କରିଛନ୍ତି ଯେ ୧୫ ଦିନ ବିତିଗଲା ଅଥଚ ଘଟଣା ଉପରୁ ପରଦା ହଟି ପାରିଲା ନାହିଁ। ଅନ୍ୟପକ୍ଷରେ ଏହି ସମ୍ବେଦନଶୀଳ ଘଟଣା ନେଇ ରାଜ୍ୟ ସରକାର ଖୁବ୍ ତତ୍ପରତା ପ୍ରକାଶ କରିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଦିଲ୍ଲୀ ଯାଇ ଏମ୍ସରେ ପୀଡ଼ିତାଙ୍କୁ ଭେଟିଥିଲେ ଓ ପରିବାର ଲୋକଙ୍କ ସହିତ କଥା ହୋଇଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଥିଲେ। ସେ ପରିବାର ଲୋକଙ୍କ ସହିତ କଥାହୋଇ ରାଜ୍ୟ ସରକାର ସମସ୍ତ ପ୍ରକାରର ସହଯୋଗର ହାତ ବଢ଼ାଇବେ ବୋଲି କହିଥିଲେ।