ସିସିଟିଭିର କବଜାରେ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ବର : ଜାନୁଆରି ଶେଷ ସପ୍ତାହରୁ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା। ତାରିଖ ସ୍ଥିର ହୋଇ ନ ଥିଲେ ମଧ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଯେଉଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ର ଭିତ୍ତିଭୂମି ସୁଦୃଢ଼ ନ ଥିବ ସେଠାରେ ଏଥର ପରୀକ୍ଷା କେନ୍ଦ୍ର ହେବ ନାହିଁ। ପରୀକ୍ଷା ପୂର୍ବରୁ କଲେଜଗୁଡ଼ିକର ଭିତ୍ତିଭୂମି ଯାଞ୍ଚ ହେବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୩ରୁ ୪ଟି ସ୍ବତନ୍ତ୍ର ଟିମ୍ ଗଠନ କରାଯିବ। ଟିମ୍‌ର ସଦସ୍ୟମାନେ ପ୍ରତିଦିନ କଲେଜକୁ ଗସ୍ତ କରିବେ। ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଲାବ‌ରୋଟାରି ରହିଛି କି ନାହିଁ, ସିସିଟିଭି କ୍ୟାମେରା ଲାଗିଛି କି ନାହିଁ, ଆଉ କ’ଣ ଆବଶ୍ୟକତା ରହିଛି, ତାହା ଉପରେ ଯାଞ୍ଚ କରିବେ। ସରକାରୀ, ଅନୁଦାନପ୍ରାପ୍ତ କଲେଜ ସମେତ ସେଲ୍ଫ-ଫାଇନାନ୍ସିଂ କଲେଜକୁ ଗସ୍ତ କରିବେ। ଯଦି କୌଣସି କଲେଜର ଭିତ୍ତିଭୂମି ଠିକ୍‌ ନଥିବ, ସେଠାରେ ପ୍ରାକ୍ଟିକାଲ ପରୀକ୍ଷା କେନ୍ଦ୍ର ହେବ ନାହିଁ। ସେଠାକାର ପରୀକ୍ଷାର୍ଥୀଙ୍କୁ ନିକଟସ୍ଥ କେନ୍ଦ୍ରକୁ ଯିବାକୁ ପଡ଼ିବ।
ପରୀକ୍ଷାକୁ ନଜରରେ ରଖି ଆସନ୍ତା ୩୦ ତାରିଖ ସୁଦ୍ଧା ସମସ୍ତ କଲେଜ କର୍ତ୍ତୃପକ୍ଷ ସିସିଟିଭି କ୍ୟାମେରାଗୁଡ଼ିକୁ ପ୍ରସ୍ତୁତ କରି ରଖିବାକୁ ଦିଆଯାଇଛି। ପୂର୍ବ ବର୍ଷଗୁଡ଼ିକରେ ଅଧିକାଂଶ କଲେଜରେ ସିସିଟିଭି ଲାଗିଥିଲା। ମାତ୍ର ତାହା ଅଚଳ ହୋଇଯାଇଥିବା ନଜରକୁ ଆସିଛି। ତେଣୁ ପରୀକ୍ଷା ପୂର୍ବରୁ ସିସିଟିଭି ସଜାଡ଼ିବାକୁ ପରାମର୍ଶ ଦିଆଯାଇଛି। ପରୀକ୍ଷା କେନ୍ଦ୍ର ହେଉଥିବା ଯେଉଁ କଲେଜ ଏପର୍ୟ୍ୟନ୍ତ ସିସିଟିଭି ଲଗାଇ ନାହାନ୍ତି, ସେମାନେ ଏ ଦିଗରେ ତୁରନ୍ତ ପଦକ୍ଷେପ ନିଅନ୍ତୁ। ପରୀକ୍ଷା କେନ୍ଦ୍ରର ରୁମ୍‌, ହଲ୍‌ ଓ ଲାବ‌ରୋଟାରିରେ ସିସିଟିଭି ରହିବା ବାଧ୍ୟତାମୂଳକ। ପରୀକ୍ଷାର ସୁପରିଚାଳନା ଲାଗି ରାଜ୍ୟରେ ପ୍ରତିଷ୍ଠା ହେବାକୁ ଥିବା ୨୦୦ରୁ ଅଧିକ ପରୀକ୍ଷା ପରିଚାଳନା ହବ୍‌(ଇଏମ୍‌ଏଚ୍‌)ରେ ସିସିଟିଭି ସଜାଡ଼ିବାକୁ ମଧ୍ୟ କୁହାଯାଇଛି। ସେଲ୍ଫ ଫାଇନାନ୍ସିଂ କଲେଜଗୁଡ଼ିକ ଯେତେଶୀଘ୍ର ସମ୍ଭବ ସିସିଟିଭି ଲଗାଇବା ନେଇ ସୁନିଶ୍ଚିତ କରିବେ ଏବଂ ସାମ୍‌ସ ଇ-ସ୍ପେସ୍‌ରେ ସିସିଟିଭି କ୍ୟାମେରା ଲିଙ୍କ୍‌ ରିପୋର୍ଟ ୩୦ ତାରିଖ ସୁଦ୍ଧା ଦାଖଲ କରିବାକୁ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Related Articles

Leave a Reply

Your email address will not be published.

Back to top button