ବିକୃତ ଗଣେଶ ମୂର୍ତ୍ତି ତିଆରି ସଂପର୍କିତ ମାମଲା ହସ୍ତକ୍ଷେପ କରିବାକୁ ମନାକଲେ ହାଇକୋର୍ଟ

ଭୁବନେଶ୍ବର: ବିକୃତ ଗଣେଶ ମୂର୍ତ୍ତି ତିଆରିକୁ ନେଇ କଟକରେ ପୁଲିସ ଓ କାରିଗରକୁ ନେଇ ଚାଲିଥିବା ବିବାଦର ଅବସାନ ଘଟିଛି । ପୂଜାକୁ ଆଉ ୪୮ ଘଣ୍ଟା ବାକି ଥିବା ବେଳେ ଏସଂପର୍କିତ ମାମଲାରେ ହସ୍ତକ୍ଷେପ କରିବାକୁ ମାନ୍ୟବର ହାଇକୋର୍ଟ ମନାକରିଦେଇଛନ୍ତି । ଚିରାଚରିତ ମୂର୍ତ୍ତିକୁ ବାଦ ଦେଇ ବିକୃତ ମୂର୍ତ୍ତି ନିର୍ମାଣ ହୋଇପାରିବ ନାହିଁ । ହିନ୍ଦୁ ଭାବାବେଗକୁ ଆଘାତ ଦେବା ଭଳି ମୂର୍ତ୍ତି ରାଜ୍ୟର କୌଣସି ପୂଜା ମଣ୍ଡପରେ ପୂଜା ହୋଇ ପାରିବ ନାହିଁ ବୋଲି ମୁଖ୍ୟ ବିଚାରପତି ଡକ୍ଟର ଏସ୍‌.ମୁରଲୀଧର ଓ ବିଚାରପତି ଚିତ୍ତ ରଞ୍ଜନ ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ହିନ୍ଦୁ ଆଇନ ଅନୁଯାୟୀ ଏଭଳି ମୂର୍ତ୍ତି ନିର୍ମାଣ ଓ ପୂଜା ଆଇନ ସମ୍ମତ ନୁହେଁ । ଏଭଳି ମୂର୍ତ୍ତି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି । ପୁଲିସକୁ ଏଭଳି ମୂର୍ତ୍ତି ନିର୍ମାଣ ଓ ପୂଜାମଣ୍ଡପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ମୂର୍ତ୍ତି କାରୀଗରଙ୍କୁ ନେଇ ପୁରୀଘାଟ ଥାନା ଅଧିକାରୀ ଆଲୋଚନା କରିବେ । ପରବର୍ତ୍ତୀ ସମୟରେ ଯେପରି ଏଭଳି କୌଣସି ବିକୃତ ମୂର୍ତ୍ତି ନିର୍ମାଣ ନକରିବେ,ସେନେଇ ସେମାନଙ୍କୁ ଉପଦେଶ ଦେବେ ବୋଲି ଖଣ୍ଡପୀଠ କହିଛନ୍ତି । ବିକୃତ ମୂର୍ତ୍ତି ନିର୍ମାଣ ନେଇ ଆବଶ୍ୟକ ନିଷ୍ପତ୍ତି ଓ ପଦକ୍ଷେପ ପୁଲିସ୍ ପ୍ରଶାସନ ନେବ ବୋଲି ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି । ସୁତରାଂ କାରୀଗରମାନେ ପୂଜା କମିଟିର ବରାଦ ଅନୁଯାୟୀ ତିଆରି କରିଥିବା ବିକୃତ ମୂର୍ତ୍ତି ମଣ୍ଡପରେ ପୂଜା ପାଇପାରିବ ନାହିଁ । ହାଇକୋର୍ଟଙ୍କ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେବା ପରେ ପୁଲିସ ପୁର୍ବରୁ ବିକୃତ ମୂର୍ତ୍ତି ପୂଜା ଉପରେ କରିଥିବା ତାଗିଦ୍ ଏବେ କାଏମ ରହିଛି । ସୂଚନାଯୋଗ୍ୟ କଟକରେ ବିକୃତ ଗଣେଶ ମୂର୍ତ୍ତି ନିର୍ମାଣ ପ୍ରସ୍ତୁତିକୁ ନେଇ ବିବାଦ ଦେଖା ଦେଇଥିଲା । ବିକୃତ ମୂର୍ତ୍ତି ଯୋଗୁ ହିନ୍ଦୁ ତଥା ଅଗଣିତ ଭକ୍ତଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଉଛି ବୋଲି ଅଭିଯୋଗ ଉଠିବା ପରେ କୁମ୍ଭାରସାହିରେ ତିଆରି ହୋଇଥିବା ବିକୃତ ମୂର୍ତ୍ତିକୁ ପୂଜା ପେଣ୍ଡାଲକୁ ପଠାଇବାକୁ ବାରଣ କରିଥିଲା ପୁଲିସ୍ । ଏହାଛଡା କେତେକ ମୂର୍ତ୍ତି କାରିଗରଙ୍କୁ ଥାନାକୁ ଡାକି ମଧ୍ୟ ତାଗିଦ୍ କରିଥିଲା । ତେବେ ପୁଲିସର ଏତାଦୃଶ ବାରଣକୁ ଚାଲେଞ୍ଜ କରି କଟକ କୁମ୍ଭାରସାହିା ଜଣେ ମୂର୍ତ୍ତି କାରିଗର ନାରାୟଣ ମୁଦୁଲି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେ ତାଙ୍କ ପିଟିସନରେ ଦର୍ଶାଇଥିଲେ ଯେ ପୂଜା କମିଟିର ବରାଦ ଅନୁଯାୟୀ କାରିଗରମାନେ ମୂର୍ତ୍ତି ତିଆରି କରନ୍ତି । ଏହି ପରମ୍ପରା କଟକରେ ଦୀର୍ଘବର୍ଷ ହେଲା ଚାଲିଛି । ହଠାତ୍ ଏହି ମୂର୍ତ୍ତିକୁ ବାରଣ କରାଗଲେ ବହୁ କାରିଗର ଆର୍ôଥକ କ୍ଷତିର ସମ୍ମୁଖୀନ ହେବେ । ଏଣୁ ତିଆରି ହୋଇଥିବା ମୂର୍ତ୍ତିକୁ ପୂଜା ମଣ୍ଡପରେ ପୂଜା କରିବା ଲାଗି ନିଆଯାଉ ବୋଲି ସେ ଅଦାଲତଙ୍କୁ ପ୍ରର୍ଥନା କରିଥିଲେ । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଉଭୟ ମୂର୍ତ୍ତି କାରିଗର ଓ କ୍ଲବଗୁଡ଼ିକୁ କଟକ ଡିସିପି ପିନାକ ମିଶ୍ର ସଚେତନ ହେବାକୁ ଅପିଲ କରିଛନ୍ତି । ସେ କହିଛନ୍ତି ଯେ, ପୁଲିସ ପକ୍ଷରୁ ସରକାରୀ ଓକିଲଙ୍କ ଜରିଆରେ ଉପୁଜିଥିବା ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଅଦାଲତଙ୍କୁ ଅବଗତ କରାଯାଇଥିଲା । ପୁଲିସ ସବୁବେଳେ ଏଭଳି ମୂର୍ତ୍ତି ନିର୍ମାଣ ନ କରିବାକୁ ଅନୁରୋଧ କରିଆସିଛି । କୌଣସି ସ୍ଥାନରେ ଏଭଳି ମୂର୍ତ୍ତି ନିର୍ମାଣ ହେଉଥିଲେ କିମ୍ବା ମଣ୍ଡପରେ ବସୁଥିଲେ, ଯଦି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏ ତେବେ ତାଙ୍କ ବିରୋଧରେ ପଦକ୍ଷେପ ନିଆଯିବ । ଧାର୍ମିକ ଭାବନାରେ ଆଘାତ ପହଞ୍ଚାଇବା ଭଳି କାର୍ଯ୍ୟକୁ ଗ୍ରହଣ କରାଯିବନି ବୋଲି ଶ୍ରୀ ମିଶ୍ର କହିଛନ୍ତି । ଅଦାଲତଙ୍କ ଏହି ନିର୍ଦ୍ଦେଶ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ହେଉଥିବା ଗଣେଶଙ୍କ ବିକୃତ ତଥା ବିଦ୍ରୁପ ମୂର୍ତ୍ତି କରିଥିବା ସଂଗଠନ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button