ପାନୀୟ ଜଳଯୋଗାଣ ପାଇଁ ୯ଟି ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ‘ଜଳଜୀବନ ମିଶନ’ ଯୋଜନା ଅନ୍ତର୍ଗତ ୩ଟି ଜିଲ୍ଲା ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଜିଲ୍ଲାରେ ପାଇପ୍ ଯୋଗେ ପାନୀୟ ଜଳଯୋଗାଣ ନିମନ୍ତେ ୧୨୧୦.୦୪କୋଟି ଟଙ୍କାର ୯ଟି ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଏହି ପାନୀୟ ଜଳ ପ୍ରକଳ୍ପ ଦ୍ୱାରା ୯ଟି ବ୍ଲକର ୧୮୮ଟି ପଂଚାୟତର ୧୦୯୪ଟି ଗାଁର ପ୍ରାୟ ୧୦ଲକ୍ଷ ୧୯ହଜାର ୪୮୭ଜଣ ଲୋକ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ମୋଟ ୧୬ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏଥିରେ ପଂଚାୟତିରାଜ ବିଭାଗର ୩ଟି ପାନୀୟ ଜଳ ଯୋଗାଣ ଟେଣ୍ଡରକୁ ଚୂଡ଼ାନ୍ତ ମଞ୍ଜୁରୀ ରାଜ୍ୟ କ୍ୟାବିନେଟ୍ ଦେଇଛନ୍ତି ।
ଏଥିରେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଓ କଙ୍କଡ଼ାହାଡ଼ ସମେତ ମୋଟ ୪ଟି ବ୍ଲକର ୭୧ଟି ପଂଚାୟତର ୨୭୧ଟି ଗାଁରେ ବାସ କରୁଥିବା ୩ଲକ୍ଷ ୨୨ହଜାର ୨୦୪ଜଣ ଲୋକ ଉପକୃତ ହେବେ । ଏହି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ମୋଟ ୫୦୧ କୋଟି ୮୫ଲକ୍ଷ ଟଙ୍କାର ସର୍ବନିମ୍ନ ଟେଣ୍ଡର କୋହ୍ଲାପୁରସ୍ଥିତ ମେସର୍ସ ଲକ୍ଷ୍ମୀ ସିଭିଲ ଇଞ୍ଜିନିୟରିଂ ସର୍ଭିସ୍ ପ୍ରାଃ ଟେଣ୍ଡର ନେଇଛନ୍ତି । ଏହି ପ୍ରକଳ୍ପ କାର୍ୟ୍ୟକୁ ୨୪ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ୟ୍ୟ ହୋଇଛି ।
ରାଜ୍ୟ କ୍ୟାବିନେଟ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ, ରାଜନଗର ଓ ଗରଦପୁର ବ୍ଲକ ଅନ୍ତର୍ଗତ ମୋଟ ୭୬ଟି ପଂଚାୟତର ୫୨୨ଟି ଗାଁରେ ବସବାସ କରୁଥିବା ୪ଲକ୍ଷ ୩୫ହଜାର ୧୯୦ଜଣ ଲୋକଙ୍କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ନିମନ୍ତେ ୪୧୬.୫୭କୋଟି ଟଙ୍କାର ସର୍ବନିମ୍ନ ଟେଣ୍ଡରକୁ ଅନୁମୋଦନ କରିଛନ୍ତି । ଏହି ଟେଣ୍ଡର କାର୍ୟ୍ୟ କୋହ୍ଲାପୁରସ୍ଥିତ ଲକ୍ଷ୍ମୀ ସିଭିଲ ଇଞ୍ଜିନିୟରିଂ ସର୍ଭିସ୍ ନେଇଛି । ୨୪ମାସ ମଧ୍ୟରେ ପ୍ରକଳ୍ପ କାର୍ୟ୍ୟ ଶେଷ କରିବାକୁ ଲକ୍ଷ୍ୟଧାର୍ୟ୍ୟ ହୋଇଛି ।