ଜାତୀୟ ପତାକାର ଅବମାନନା, କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

ଭୁବନେଶ୍ୱର: ଜାତୀୟ ପତାକାକୁ ସମ୍ମାନ କରିବା ଏବଂ ଜାତୀୟ ପତାକାର ମାନ ଓ ଗୌରବକୁ ରକ୍ଷା କରିବା ହେଉଛି ପ୍ରତ୍ୟେକ ଭାରତୀୟ ନାଗରିକଙ୍କର ପରମ କର୍ତବ୍ୟ । ଏହାହିଁ ଭାରତୀୟ ସମ୍ବିଧାନ ପ୍ରତି ଆମର ନିଷ୍ଠା । ସମ୍ବିଧାନର ଧାରା ୫୧-ଏ ରେ ଏହା ସିଧାସଳଖ କୁହାଯାଇଥିଲେ ମଧ୍ୟ ଗତ ୮ ତାରିଖ କଟକ ଇଣ୍ଡୋର ଷ୍ଟାଡିୟମରେ ପ୍ରଜାତନ୍ତ୍ରର ପ୍ରତିଷ୍ଠା ଉତ୍ସବରେ ଖୋଦ କେନ୍ଦ୍ର ଗୃହମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ସାଂସଦ ଓ ଉଭୟ ଦଳର ତୃଙ୍ଗ ନେତୃବୃନ୍ଦ ଉପସ୍ଥିତ ଥାଇ ମଧ୍ୟ ଭାରତର ଜାତୀୟ ପତାକାର ଅପବ୍ୟବହାର ହେବା ସହିତ ଜାତୀୟ ପତାକାକୁ ଅପମାନିତ କରାଯାଇଥିଲା ବୋଲି ଆଜି କଂଗ୍ରେସ ଭବନରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନଗୋ କହିଥିଲେ । ସ୍ୱାଧୀନତାର ୭୫ବର୍ଷ ପୂର୍ତିପାଳନ ଅବସରରେ ଖୋଦ ପ୍ରଧାନମନ୍ତ୍ରୀ ଘର ଘର ମେ ତ୍ରିରଙ୍ଗାର ଉଡ଼ିବାର ବାର୍ତା ଦେଉଥିଲା ବେଳେ ଖୋଦ କେନ୍ଦ୍ର ଗୃହମନ୍ତ୍ରୀ ଏବଂ ଶିକ୍ଷାମନ୍ତ୍ରୀଙ୍କ ସମ୍ମୁଖରେ ଜାତୀୟ ପତାକା କୁ ବ୍ୟାଗ କରି ଖାଦ୍ୟ ପୁଡ଼ିଆ ବୁହାଯାଉଥିଲା । ସଭା ଗୃହରେ ବହୁ ସ୍ଥାନରେ ଜାତୀୟ ପତାକା ତଳେ ପଡ଼ିରହିଥିବାର ଚିତ୍ର ସମସ୍ତ ସାମାଜିକ ଗଣମାଧ୍ୟମ ଓ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରଚାରିତ ହେଲାପରେ ମଧ୍ୟ ନା କେନ୍ଦ୍ର ସରକାର ନା ରାଜ୍ୟ ସରକାର କେହି ଏହା ବିରୋଧରେ ପଦୁଟିଏ ଉଚ୍ଚାରଣ କଲେ ନାହିଁ । ଏହା ଜାତୀୟ ପତାକା ସମ୍ମାନ ନିୟମ ୧୯୭୧ ଉପଧାରା-୨ କୁ ସଂପୂର୍ଣ୍ଣ ଉଲଙ୍ଘନ କରୁଥିଲା ବେଳେ କାହିଁକି ଖୋଦ ମୁଖ୍ୟମନ୍ତ୍ରୀ ସାଂସଦ ଓ କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ଧର୍ମେନ୍ଦ୍ର ପ୍ରଧାନ ଚୁପ ରହିଲେ । ଯେହେତୁ ଦୀର୍ଘ ୫୨ ବର୍ଷ ଧରି ଜାତୀୟ ପତାକାକୁ ଆରଏସଏସ ନିଜ କାର୍ଯ୍ୟାଳୟରେ ଉଡ଼ାଇ ନାହିଁ ସେ ଦୃଷ୍ଟିରୁ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ଓ ଧର୍ମେନ୍ଦ୍ର ପ୍ରଧାନ ଚୁପ ରହି ତାଙ୍କର ଇଛାକୁ ପୂରଣ କଲେକି? ପ୍ରଦେଶ କଂଗ୍ରେସ ରାଜ୍ୟ ସରକାରଙ୍କ ପାଖରେ ଦାବି କରୁଛି ଯେ ଯେଉଁମାନଙ୍କର ଫଟ୍ଟୋ ଜାତୀୟ ପତାକାକୁ ଅବମାନନା କରୁଥିବାର ଉତୋଳିତ ହୋଇଛି ଏବଂ ଯେଉଁ ପଦାଧିକାରୀ ଓ ନେତୃବୃନ୍ଦ ଜାତୀୟ ପତାକାକୁ ଖାଦ୍ୟ ପୁଡ଼ିଆ ବ୍ୟାଗ କରି ଦେଇଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ଗିରଫ କରି ଜେଲ ପଠାଯାଉ ତତ୍‌ସହିତ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନୀ କୁମାର ମହାନ୍ତି, ମନୋରଞ୍ଜନ ଦାଶ ଓ ସାମାଜିକ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଅଭିଷେକ ମହାନନ୍ଦ ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published.

Back to top button