ଏଥର ନୂଆ ରୂପରେ ବାଲିଯାତ୍ରା

ଆରମ୍ଭ ହେଲା ପ୍ରସ୍ତୁତି

ଭୁବନେଶ୍ବର: କଟକର ଐତିହାସିକ ବାଲିଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆସନ୍ତା ନଭେମ୍ବର ୮ ତାରିଖରେ ବାଲିଯାତ୍ରା ଆରମ୍ଭ ହେବ । ତେବେ ବାଲିଯାତ୍ରାକୁ ଜାତୀୟସ୍ତର ଉତ୍ସବର ମାନ୍ୟତା ଦେବା ନିମନ୍ତେ ପ୍ରଶାସନ ଏବେ ଅଣ୍ଟା ଭିଡ଼ିଛି । ଏଥିପାଇଁ ପ୍ରଶାସନ ବଦ୍ଧପରିକର ବୋଲି ଆଜି ଆୟୋଜିତ ପ୍ରଥମ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି କଟକ ଉନ୍ନୟନ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଅନିଲ କୁମାର ସାମଲ ସୂଚନା ଦେଇଛନ୍ତି । ବାଲିଯାତ୍ରା ଜନିତ ଆବଶ୍ୟକୀୟ ସମସ୍ତ ନିର୍ମାଣକାର୍ଯ୍ୟ ଯଥା, ବିଭିନ୍ନ ରାସ୍ତାଘାଟ, ମଞ୍ଚ ପ୍ରସ୍ତୁତି ଇତ୍ୟାଦି ପୂର୍ତ୍ତ ବିଭାଗ ଦ୍ୱାରା କରାଯିବା ସହ ଜଳ ଯୋଗାଣ ନିମନ୍ତେ ଆବଶ୍ୟକ ହେଉଥିବା ପାଇପ୍ ଲାଇନ ବିଛାଇବା ନିମନ୍ତେ ଜନସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱ ନିର୍ବାହ କରିବାକୁ ଶ୍ରୀ ସାମଲ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଯୋଗଦେଇ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଡଃ.ସୁରେଶ ଚନ୍ଦ୍ର ଦଳାଇ ବାଲିଯାତ୍ରାରେ ଆବଶ୍ୟକ ହେଉଥିବା ପାଣ୍ଠି ଯୋଗାଣ ବାବଦରେ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବା ସହ ବିଭିନ୍ନ ବୃହତ ବ୍ୟବସାୟିକ ପ୍ରତିଷ୍ଠାନଠାରୁ ପୃଷ୍ଟପୋଷକତା ନିମନ୍ତେ ଅନୁରୋଧ କରାଯିବ ବୋଲି ପ୍ରକାଶ କରିଥିଲେ । ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ବାଲିଯାତ୍ରାକୁ ଆକର୍ଷଣୀୟ ସହ ସରସ ସୁନ୍ଦର କରିବା ନିମନ୍ତେ ରାଜ୍ୟର ବିଭିନ୍ନ ଅଞ୍ଚଳର କଳାକାର ଓ ଦଳମାନଙ୍କୁ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ବିଭାଗ ପକ୍ଷରୁ ପ୍ରେରଣ କରାଯିବ । ଏଥି ସହିତ ବାଲିଯାତ୍ରା ଉତ୍ସବ ଆୟୋଜନ ନିମନ୍ତେ ରାଜ୍ୟ ସଂସ୍କୃତି ବିଭାଗ ୨୦ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିବେ ବୋଲି ସେ ସୂଚନା ଦେଇଥିଲେ ।

ଶନିବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆହୁତ ବୈଠକରେ ଯୋଗଦେଇ କଟକ ଜିଲ୍ଲାପାଳ ଡଃ. ଭବାନୀ ଶଙ୍କର ଚୟନୀ କହିଲେ ଯେ ଯାନ ରହଣିସ୍ଥଳ ସମେତ ପ୍ରାୟ ୧୦୦ ଏକର ପରିମିତ ନିର୍ଦ୍ଧାରିତ ସ୍ଥାନରେ ବାଲିଯାତ୍ରା ଅନୁଷ୍ଠିତ ହେବ । କୋଭିଡ୍ ମହାମାରୀ ହେତୁ ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ବାଲିଯାତ୍ରା ଅନୁଷ୍ଠିତ ହେଉଥିବାରୁ ପ୍ରବଳ ଜନସମାଗମ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ । ବିଗତ ବର୍ଷ ମାନଙ୍କରେ ପ୍ରାୟ ୫୦ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବାଲିଯାତ୍ରା ଦେଖିବାକୁ ଆସିଥାନ୍ତି । ଏଥର ଏହି ସଂଖ୍ୟା ଆଶାତୀତ ଭାବରେ ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି । ବାଲିଯାତ୍ରାରେ ଏକ କମିଟି ମାଧ୍ୟମରେ ବ୍ୟବସାୟିକ ଅନୁଷ୍ଠାନ, ବିଭିନ୍ନ ବେସରକାରୀ ଓ ସରାକାରୀ ପ୍ରତିଷ୍ଠାନ ଗୁଡିକୁ ନିର୍ଦ୍ଧାରିତ ମୂଲ୍ୟରେ ଷ୍ଟଲ ନିର୍ମାଣ ନିମନ୍ତେ ଜାଗା ଆବଣ୍ଟନ କରାଯିବ । ବାଲିଯାତ୍ରାର ଆନୁଷଙ୍ଗିକ ଆବଶ୍ୟକତା ଯଥା ବିଦ୍ୟୁତ ସେବା, ବିଶୁଦ୍ଧ ଜଳ ଯୋଗାଣ, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟ ଓ ପରିମଳ ସେବା, ବିଶେଷ କରି ଅତିଥି ଓ କଳାକାରମାନଙ୍କ ନିମନ୍ତେ ପରିବହନ ବ୍ୟବସ୍ଥା, ଖାଦ୍ୟ ପଦାର୍ଥର ସୁରକ୍ଷା, ଯାନବାହନ ରହଣି ସ୍ଥଳ ଆବଣ୍ଟନ, ଆଇନ ଶୃଙ୍ଖଳା, ଯାନବାହନ ନିୟନ୍ତ୍ରଣ, ଗଣମାଧ୍ୟମ ସହ ସମନ୍ୱୟ ଓ ଯାତ୍ରାର ପ୍ରଚାର ପ୍ରସାର ସମ୍ବନ୍ଧରେ ବିସ୍ତ୍ରୃତ ଆଲୋଚନା ହୋଇଥିଲା ।
ବୈଠକରେ ଯୋଗଦେଇ ସିଏମ୍‌ସି କମିଶନର ନିଖିଲ ପୱନ କଲ୍ୟାଣ ପରିମଳ ଓ ସଫେଇ ବ୍ୟବସ୍ଥା, ଅସ୍ଥାୟୀ ଶୌଚାଳୟ ଏବଂ ଆଲୋକ ସଜ୍ଜୀକରଣ ବ୍ୟବସ୍ଥା ବାବଦର ସମସ୍ତ ଦାୟିତ୍ୱ କଟକ ମହାନଗର ନିଗମ ନିର୍ବାହ କରିବ ବୋଲି ସୂଚନା ଦେଇଥିଲେ । ସେହିଭଳି କଟକ ଡିସିପି ପିନାକ ମିଶ୍ର କହିଲେ ଯେ ଆଇନଶୃଙ୍ଖଳା, ସହରରେ ଯାନବାହନ ନିୟନ୍ତ୍ରଣ, ବାଲିଯାତ୍ରା ପଡିଆରେ ଭିଡ ନିୟନ୍ତ୍ରଣ ଆଦି ଆନୁଷଙ୍ଗିକ ବ୍ୟବସ୍ଥା କଟକ କମିଶନରେଟ ପୁଲିସ ପକ୍ଷରୁ ସୂଚାରୁ ରୂପେ କରାଯିବ ବୋଲି ପ୍ରକାଶ କରିଥିଲେ । ବାଲିଯାତ୍ରା କାର୍ଯ୍ୟକ୍ରମ ସଞ୍ଛାଳନ ନିମନ୍ତେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଅମ୍ବର କୁମାର କରଙ୍କୁ ନୋଡାଲ ଅଧିକାରୀ ଭାବେ ଚୟନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ପ୍ରଶାସନ),ବିଜୟ କୁମାର ଖଣ୍ଡାୟତରାୟ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ), ପୂର୍ଣ୍ଣଚନ୍ଦ୍ର ମିଶ୍ର, କଟକ ସଦର ଉପ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ,ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ମାଝି,ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published.

Back to top button