ହାଇକୋର୍ଟରେ ଏବେ ଅର୍ଚ୍ଚନା ମାମଲା, ପୁଲିସ୍ ବଦଳରେ ଇଡି ଦ୍ୱାରା ତଦନ୍ତ କରାଯିବାକୁ ନିବେଦନ

ଭୁବନେଶ୍ୱର: ହାଇକୋର୍ଟରେ ପହଞ୍ଚିଲା ବହୁର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ମାମଲା । ଅର୍ଚ୍ଚନା ନାଗଙ୍କ ଘଟଣାକୁ ନେଇ ଏବେ ସାରାରାଜ୍ୟ ହୁଲସ୍ତୁଲ ହେବାରେ ଲାଗିଛି । ବିଭିନ୍ନ ମହଲରେ କେବଳ ଗୋଟିଏ ଚର୍ଚ୍ଚା ଅର୍ଚ୍ଚନା ନାଗ । ତେବେ ଏହି ମାମଲା ଏବେ ହାଇକୋର୍ଟରେ ପହଞ୍ଚିଛି । ଅର୍ଚ୍ଚନାଙ୍କ ମାମଲାରେ ପୁଲିସର ନିରବତା ଦେଖିବାକୁ ମିଳିଥିବା ଅଭିଯୋଗ ହେବା ସହ ପୁଲିସ ବଦଳରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ତଦନ୍ତ କରାଯିବା ପାଇଁ ନିବେଦନ କରାଯାଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ଅର୍ଚ୍ଚନାଙ୍କ ଗିରଫଦାରୀଙ୍କୁ ୧୦ଦିନରୁ ଊର୍ଦ୍ଧ୍ୱ ସମୟ ବିତିଥିଲେ ବି ତାଙ୍କୁ ରିମାଣ୍ଡରେ ନ ଆଣିବା; ଅଧିକ ପଚରା ଉଚରା ନକରିବା ତଦନ୍ତରେ ଶିଥିଳତାକୁ ପ୍ରମାଣିତ କରୁଛି ବୋଲି ଅଭିଯୋଗ ଉଠିଛି । ଏହି ମାମଲାରେ ବହୁ ବଡ଼ବଡ଼ିଆ ସମ୍ପୃକ୍ତ ଥିବା ଅଭିଯୋଗ ହେବା ପରେ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ପୁଲିସ ପଛଘୁଞ୍ଚା ଦେଉଥିବା ଅଭିଯୋଗ ହୋଇଛି । ତେଣୁ ପୁଲିସ ତଦନ୍ତରେ ଶିଥିଳତା ପରିଲକ୍ଷିତ ହେବାରୁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏ ନେଇ ଆଜି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ପରିଷଦର ଜଗତସିଂହପୁର ଜିଲ୍ଲା ସଭାପତିଙ୍କ ପକ୍ଷରୁ ଏନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଏପରିକି କମିଶନରେଟ ପୁଲିସ୍ ଏହି ହାଇ ପ୍ରୋଫାଇଲ ସେକ୍ସ ସ୍କାଣ୍ଡାଲର ତଦନ୍ତ ଦିଗକୁ ବାଟବଣା କରୁଥିବାରୁ ଇଡି ଦ୍ୱାରା ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯିବାକୁ ଆବେଦନରେ ଉଲ୍ଲେଖ ହୋଇଛି । ଅର୍ଚ୍ଚନାଙ୍କ ବ୍ଲାକମେଲ କାର୍ଯ, ସେକ୍ସ ରାକେଟ୍ ଘଟଣା ପଦାକୁ ଆସିବା ପରେ ତାଙ୍କ ଆୟ ବର୍ହିଭୁତ ସମ୍ପତ୍ତି ରହିଥିବା ଜଣାପଡ଼ିଛି । ବଡ଼ ବଡ଼ ବଙ୍ଗଳା, ଦାମୀ କାର୍ ତଥା କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି । ମନି ଲଣ୍ଡରିଂ ଘଟଣା ବି ସାମନାକୁ ଆସିଛି । ଏଥିରେ କେନ୍ଦ୍ର, ରାଜ୍ୟ ସରକାର, ଇଡି ମୁଖ୍ୟ, ଡିଜିପି ଓଡ଼ିଶା, ଭୁବନେଶ୍ୱରର ଖଣ୍ଡଗିରି ଥାନାର ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି । ଏଥିରେ ୨୫ ନେତା ସାମିଲ ଥିବା କୁହାଯାଉଥିବା ବେଳେ ସେଥରେ ୧୮ ବିଧାୟକ ସାମିଲ ଥିବା ମଧ୍ୟ ଚର୍ଚ୍ଚାକୁ ଆସିଛି । ଏଥିରେ ବହୁ ତୁଙ୍ଗ ନେତା ତଥା ବଡ଼ ବଡ଼ିଆ ଅଧିକାରୀ ସାମିଲ ଥିବାରୁ ରାଜ୍ୟ ପୁଲିସ୍ ଏହାର ନିରପେକ୍ଷ ତଦନ୍ତ କରିବା ସନ୍ଦେହ ଘେରରେ ରହିଥିବା ପରିଷଦ ପକ୍ଷରୁ କୁହାଯାଇଛି । ତେଣୁ ଏହି ସବୁକୁ ଇଡି ତଦନ୍ତ ପରସରଭୁକ୍ତ କରିବାକୁ ହାଇକୋର୍ଟରେ ମାମଲା ଦାଏର ହୋଇଛି ।
ପ୍ରାପ୍ତ ସୂଚନା ଅନୁଯାୟୀ, କଳାହାଣ୍ଡିର କେସିଙ୍ଗାର ଏକ ଗାଁରୁ ଆସି ଅର୍ଚ୍ଚନା ରାଜଧାନୀରେ ରାଜୁତି କରୁଥିଲେ । ଏପରିକି ଭୁବନେଶ୍ୱରର ମଞ୍ଚେଶ୍ୱର ଓ ସତ୍ୟ ବିହାରରେ ତାଙ୍କର ୨ଟି ବିଳାସପୂର୍ଣ୍ଣ ଘର ରହିଛି । ଆଗଧାଡ଼ିର ରାଜନୈତିକ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ଏମଏଲଏ, ଏମପି, ବିଲଡର, ସୁନା ବ୍ୟବସାୟୀ ପ୍ରମୁଖ ଅର୍ଚ୍ଚନାଙ୍କ ରାଜ ଉଆସରେ ଭିଡ଼ ଜମାଉଥିଲେ । ରାତି ବଢ଼ିଲେ ସେଠାରେ ଆସର ଜମୁଥିବା ବେଳେ ଅର୍ଚ୍ଚନା ନିଜ ଗୁପ୍ତ କ୍ୟାମେରାରେ ଏହାକୁ ରେକର୍ଡ କରି ରଖୁଥିଲେ । ଏହି କାମରେ ବହୁ ଯୁବତୀଙ୍କୁ ନିୟୋଜିତ କରି ପରେ ଏହି ଅଶ୍ଳୀଳ ଭିଡ଼ିଓ ଦେଖାଇ ତଥା ଦୁଷ୍କର୍ମ ମାମଲା କରିବାର ଧମକ ଦେଇ ବଡ଼ବଡ଼ିଆଙ୍କୁ ମନ ଇଚ୍ଛା ଲୁଟୁଥିଲେ । କାହାଠୁ ଦାମିକିଆ ଗାଡ଼ି ତ କାହାଠୁ ସୁନା, ହୀରା ଅଳଙ୍କାର, ୩ ଲକ୍ଷର ଭ୍ୟାନିଟି ବ୍ୟାଗ୍ ତ କାହାଠୁ ଆଣୁଥିଲା ଦାମୀ ଘରସଜ୍ଜା ଆସବାବପତ୍ର । ଅନ୍ୟମାନଙ୍କୁ ଧମକାଇ ମାଲେମାଲ ହେଉଥିବା ଅର୍ଚ୍ଚନା ନାଗ ଶେଷରେ ନିଜ ଜାଲରେ ନିଜେ ଛନ୍ଦି ହୋଇଯାଇଥିବା କୁହାଯାଉଛି । ତାଙ୍କ ନାଁରେ ଭୁବନେଶ୍ୱରର ଖଣ୍ଡଗିରି ଓ ନୟାପଲ୍ଲୀ ଥାନାରେ ଦୁଇଟି ଏତଲା ହୋଇଥିଲା । ସିନେ ପ୍ରଯୋଜକ ଅକ୍ଷୟ ପରିଜା ନିଜେ ବ୍ଲାକମେଲିଂର ଶିକାର ହୋଇଥିବା ଅଭିଯୋଗ ଆଣି ସେପ୍ଟେମ୍ବର ୩୦ ତାରିଖରେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଜଣେ ଯୁବତୀଙ୍କ ଜରିଆରେ ଅର୍ଚ୍ଚନା ନାଗ ତାଙ୍କୁ ବ୍ଲାକମେଲ୍ କରୁଥିବା ସେ ଅଭିଯୋଗ ଆଣିଥିଲେ । ଏପରିକି ତାଙ୍କୁ ଏକ ତାରକା ହୋଟେଲକୁ ଡାକି ୩ କୋଟି ଟଙ୍କା ମାଗିଥିବା ନିଜ ଅଭିଯୋଗପତ୍ରରେ ଉଲ୍ଲେଖ କରିଥିଲେ । ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁରେ ଅଭିଯୋଗ ଆଣିଥିବା ଯୁବତୀ ଅକ୍ଟୋବର ୨ତାରିଖରେ ଖଣ୍ଡଗିରି ଥାନାରେ ଅର୍ଚ୍ଚନା ନାଗଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଏପରିକି ଅର୍ଚ୍ଚନା ନାଗ କିଛି ଆପତ୍ତିଜନକ ଭିଡିଓ ରଖି ତାଙ୍କୁ ବ୍ଲାକମେଲ କରୁଥିବା ଅଭିଯୋଗ ଆଣିଥିଲେ । ସମ୍ପୃକ୍ତ ଅଭିଯୋଗକାରୀ ମହିଳାଙ୍କ ଏତଲା ଆଧାରରେ ଅର୍ଚ୍ଚନାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗିରଫଦାରୀକୁ ୧୦ଦିନ ବିତି ଯାଇଥିଲେ ମଧ୍ୟ ତାଙ୍କ ବିରୋଧରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ତେଣୁ ଏନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି ।

Related Articles

Leave a Reply

Your email address will not be published.

Back to top button