ସୂର୍ଯ୍ୟବଂଶୀଙ୍କ ମୁଣ୍ଡରେ ଧାମନଗର ‘ମୁକୁଟ’

ଭୁବନେଶ୍ୱର: ସବୁ କଳ୍ପନା, ଆକଳନ ଓ ପୂର୍ବାନୁମାନର ଘଟିଛି ଅନ୍ତ । ସ୍ୱାଭିମାନୀ ଧାମନଗରବାସୀ ବାପା ଛେଉଣ୍ଡ ପୁଅ ସୂର୍ଯ୍ୟବଂଶୀ ସୂରଜ୍‌ଙ୍କ ମୁଣ୍ଡରେ ପିନ୍ଧାଇଛନ୍ତି ବିଜୟୀ ମୁକୁଟ । ଇଭିଏମ୍‌ରେ ଲଗାଇଛନ୍ତି ଅସଲ ମୋହର । ସବୁ ଚେଷ୍ଟା ସତ୍ତ୍ୱେ ଶାସକ ବିଜେଡିର ରଣନୀତି ମାରିଛି ଫେଲ୍ । ବାଜି ମାରିନେଇଛି ବିଜେପି । ଫଳରେ ବିଜେପି ପ୍ରାର୍ଥୀ ତଥା ଦିବଂଗତ ବିଧାୟକ ବିଷ୍ଣୁଚରଣ ସେଠୀଙ୍କ ପୁଅ ସୂରଜ୍ ତାଙ୍କର ନିକଟତମ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୯,୮୮୧ ଖଣ୍ଡ ଭୋଟ୍‌ରେ ହରାଇଛନ୍ତି । ବିଜୟୀ ହେବା ପରେ ସୂରଜଙ୍କୁ ଭଦ୍ରକ ଜିଲ୍ଲା ପ୍ରଶାସନ ବିଜୟ ପ୍ରମାଣପତ୍ର ପ୍ରଦାନ କରିଛନ୍ତି ।
ଭାରତର ନିର୍ବାଚନ କମିଶନଙ୍କ ପୂର୍ବ ବିଜ୍ଞପ୍ତି ଅନୁସାରେ ସକାଳ ୮ରେ ଭୋଟ୍‌ଗଣନା କାର୍ଯ୍ୟ ଭଦ୍ରକସ୍ଥିତ ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣନା ପରେ ଇଭିଏମ୍ ଭୋଟ୍‌ଗଣନା କରାଯାଇଥିଲା । ସମୁଦାୟ ୧୪ଗୋଟି ଟେବୁଲରେ ଇଭିଏମ୍ ଭୋଟ୍‌ଗଣନା ପାଇଁ ବ୍ୟବସ୍ଥା କରାଯାଇଥିବାବେଳେ ପୋଷ୍ଟାଲ ବାଲାଟ ଗଣତି ପାଇଁ ରିଟର୍ଣ୍ଣିଂ ଅଧିକାରୀଙ୍କ ପାଖରେ ଅନ୍ୟ ଗୋଟିଏ ଟେବୁଲର ବ୍ୟବସ୍ଥା ହୋଇଥିଲା । ଭୋଟ୍‌ଗ୍ରହଣ ପରେ ୨୫୨ଟି ବୁଥ୍‌ରୁ ଫେରିଥିବା ଇଭିଏମ୍ ଭୋଟ୍‌ଗୁଡ଼ିକୁ ସମୁଦାୟ ୧୮ଟି ରାଉଣ୍ଡ୍‌ରେ ଗଣତି କରାଯିବାସହ ଶେଷରେ ଭିଭିପ୍ୟାଟ୍ ସ୍ଲିପ୍‌ଗୁଡ଼ିକୁ ଗଣତି ହୋଇଥିଲା । ଆରମ୍ଭରୁ ବିଜେପି ପ୍ରାର୍ଥୀ ସୂରଜଙ୍କ ଦବ୍‌ଦବା ରହିଥିଲା । ସେ ପ୍ରଥମ ରାଉଣ୍ଡ୍‌ରେ ବିଜେଡି ପ୍ରାର୍ଥୀ ଅବନ୍ତିଙ୍କ ଠାରୁ ପ୍ରାୟ ୬୨୦ ଭୋଟ୍‌ରେ ଆଗୁଆ ଥିଲେ । ପରେ ୩ୟ ରାଉଣ୍ଡ ଶେଷରେ ବିଜେପି ୨ ହଜାର ଭୋଟ୍‌ରେ ଆଗୁଆ ଥିଲାବେଳେ ୬ଷ୍ଠ ରାଉଣ୍ଡ ଶେଷରେ ବିଜେପି ୪୨୦୦, ୮ମ ରାଉଣ୍ଡ ଶେଷରେ ୫୯୦୦, ୧୦ମ ରାଉଣ୍ଡ ଶେଷରେ ୪୮୪୫, ଦ୍ୱାଦଶ ରାଉଣ୍ଡ ଶେଷରେ ୬୨୧୪, ଚତୁର୍ଦ୍ଦଶ ରାଉଣ୍ଡ ଶେଷରେ ୭୬୬୧, ୧୬ତମ ରାଉଣ୍ଡ ଶେଷରେ ୭୯୭୨ ଭୋଟ୍‌ରେ ଆଗ୍ରୁଆ ଥିଲେ । ଶେଷ ରାଉଣ୍ଡ୍ ତଥା ୧୮ତମ ରାଉଣ୍ଡ୍‌ରେ ବିଜେପି ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ଠାରୁ ୯,୮୮୧ ଭୋଟ୍‌ରେ ଆଗୁଆ ଥ।।ଇ ବିଜୟୀ ହୋଇଛନ୍ତି । ବିଜେଡିର ବିଦ୍ରୋହୀ ତଥା ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ୮,୧୫୩ ଭୋଟ୍ ପାଇ ତୃତୀୟ ସ୍ଥାନରେ ଥିବାବେଳେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କ ଅମାନତ୍ ଉଡ଼ିଯାଇଛି । ସେ ମାତ୍ର ୩,୫୬୧ ଖଣ୍ଡ ଭୋଟ୍ ପାଇଛନ୍ତି । ତେବେ ଅନ୍ୟତମ ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସ ୪୯୭ ଖଣ୍ଡ ଭୋଟ୍ ପାଇ ସନ୍ତୁଷ୍ଟ ଥିବାବେଳେ ନୋଟାରେ ପଡ଼ିଛି ୬୫୦ ଭୋଟ୍ । ବିଜେପି ପ୍ରାର୍ଥୀ ସର୍ଯ୍ୟବଂଶୀ ସର୍ବାଧିକ ୨୬୧ ପୋଷ୍ଟାଲ ଭୋଟ୍ ପାଇଥିବାବେଳେ ବିଜେଡି ପ୍ରାର୍ଥୀ ଅବନ୍ତି ୧୮୨, କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ୨୮ ଓ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ୩୧ଟି ପୋଷ୍ଟାଲ ଭୋଟ୍ ପାଇଥିଲେ । ସୂରଜ୍‌ଙ୍କ ପିତା ତଥା ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ ବିଧାୟକ ଥିବାବେଳେ ଅକାଳ ବିୟୋଗ କାରଣରୁ ଧାମନଗରରେ ଉପନିର୍ବାଚନ ହୋଇଥିଲା । ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ସ୍ୱର୍ଗତ ବିଷ୍ଣୁ ବାବୁ ୮୦,୧୧୧ ଭୋଟ୍ ପାଇଥିଲାବେଳେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ପାଇଥିଲେ ୭୫, ୪୮୬ ଭୋଟ୍ । ଅର୍ଥାତ ମାତ୍ର ୪୫୨୫ ଭୋଟ୍‌ରେ ରାଜେନ୍ଦ୍ର ହାରିଥିଲେ । ତେବେ ବିଷ୍ଣୁଙ୍କ ଆକାଳ ମୃତ୍ୟୁ ପରେ ବିଜେପି ହାଇକମାଣ୍ଡ୍ ବହୁ ତର୍ଜମା କରି ତାଙ୍କର ଏକମାତ୍ର ୨୭ ବର୍ଷୀୟ ପୁଅ ସୂରଜଙ୍କୁ ଧାମନଗର ଉପନିର୍ବାଚନରେ ପ୍ରାର୍ଥୀ କରିଥିଲା । ହେଲେ ଶାସକ ବିଜେଡି ପୂର୍ବତନ ବିଧାୟକ ରାଜେନ୍ଦ୍ରଙ୍କୁ ପ୍ରାର୍ଥୀ ନକରି ତିହିଡ଼ିର ଜଣେ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀର ମହିଳା ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଥିଲା । ଏହାକୁ ବିରୋଧ କରି ରାଜେନ୍ଦ୍ର ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ । ଶେଷରେ ବିଜେଡି ତାଙ୍କୁ ଦଳରକୁ ବହିସ୍କୃତ କରିବା ପରେ ଧାମନଗରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ତେଣୁ ପ୍ରଥମରୁ ବିଜେଡିର ଗଣିତ ଧାମନଗର ଉପନିର୍ବାଚନରେ ଭୁଲ୍ ହେବ ବୋଲି ରାଜନୈତିକ ବିଷାରଦମାନେ ଅଙ୍କ କସିଥିଲେ । ତାହାହିଁ ହେଲା । ରବିବାର ଗଣମାଧ୍ୟମକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁଶୀଲ କୁମାର ଲୋହାନୀ କହିଛନ୍ତି ଯେ, ୨୦୧୯ ନିର୍ବାଚନରେ ଧାମନଗରରେ ମତଦାନ ହାର ଥିଲା ୭୧.୯୩% । ଉକ୍ତ ନିର୍ବାଚନ ଠାରୁ ପ୍ରାୟ ୩% କମ୍ ଭୋଟ୍ ହୋଇଛି ।

ଅର୍ଥାତ ମୋଟ୍ ୨,୩୮,୩୬୦ ଭୋଟର୍‌ଙ୍କ ମଧ୍ୟରୁ ୧,୬୪,୪୬୫ ଭୋଟର୍ ମତଦାନ ସାବ୍ୟସ୍ତ କରିଛନ୍ତି । ଏଥିରେ ପୁରୁଷ ଭୋଟର୍‌ଙ୍କ ସଂଖ୍ୟା ୭୯,୦୧୧ ଥିବାବେଳେ ପୁରୁଷ ଭୋଟର୍‌ଙ୍କ ସଂଖ୍ୟା ୮୫,୪୫୨ ରହିଛି । ପୁରୁଷ ଭୋଟର୍‌ଙ୍କ ଠାରୁ ମହିଳା ଭୋଟର୍ ସଂଖ୍ୟା ୬,୪୪୧ ଅଧିକ । ମୋଟ୍ ୭୩,୮୯୫ ମତଦାତ୍ତା ଭୋଟ୍ ଦେଇନାହାନ୍ତି । ମୋଟ୍ ୨୫୨ ବୁଥ୍ ପାଇଁ ୫୦୪ଟି ବାଲାଟ୍ ୟୁନିଟ୍‌, ୫୦୪ଟି କଣ୍ଟ୍ରୋଲ ୟୁନିଟ୍ ଓ ୫୦୪ ଗୋଟି ଭିଭିପ୍ୟାଟ୍ ବ୍ୟବହାର ହୋଇଛି । ଏଥିପାଇଁ ଗଣତି ପୂର୍ବରୁ ନିୟୋଜିତ କର୍ମଚାରୀଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଇଥିଲା । ଗଣିତି କେନ୍ଦ୍ରକୁ ସିସିଟିଭି ସଭିଲାନ୍ସରେ ରଖାଯିବା ସହ ସୁରକ୍ଷାକୁ କଡ଼ାକଡ଼ି କରାଯାଇଥିଲା । ସାଧାରଣ ଲୋକଙ୍କ ପାଇଁ ଗଣତି କେନ୍ଦ୍ର ବାହାରେ ଡିସ୍ ପ୍ଲେ ବୋର୍ଡ଼ ପ୍ରଦର୍ଶିତ ହୋଇଥିଲା ଡାକବାଜି ଯନ୍ତ୍ର ଜରିଆରେ ପ୍ରତି ରାଉଣ୍ଡ ଅନୁସାରେ ନିର୍ବାଚନ ଫଳ ଘୋଷଣା ହୋଇଥିଲା । ୱେବ୍ ସାଇଟ୍‌ରେ ଲାଇଭ ତଥ୍ୟ ପ୍ରଦାନ ହେଉଥିଲା । ଆସନ୍ତା ୮ ତାରିଖରେ ଧାମନଗର ଉପନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button