ଶପଥ ନେଲେ ଜଷ୍ଟିସ ଶ୍ରୀପଦ, ହାଇକୋର୍ଟ ବିଚାରପତିଙ୍କ ସଂଖ୍ୟା ହେଲା ୧୯

ଭୁବନେଶ୍ବର: ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ଜଷ୍ଟିସ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ ସୋମବର ଶପଥ ଗ୍ରହଣ କରିଛନ୍ତି । କର୍ଣ୍ଣାଟକ ହାଇକୋର୍ଟରୁ ବଦଳି ହୋଇ ଆସିଥିବା ଜଷ୍ଟିସ ଶ୍ରୀପଦ ସୋମବାର ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟ ପରିସର ସ୍ଥିତ ନୂଆ କନଫରେନ୍ସ ହଲରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ନବନିଯୁକ୍ତ ବିଚାରପତି ଜଷ୍ଟିସ ଶ୍ରୀପଦଙ୍କୁ ଶପଥ ପାଠ କରାଇଛନ୍ତି। ଜଷ୍ଟିସ ଶ୍ରୀପଦ କାର୍ଯ୍ୟରେ ଯୋଗଦେବା ପରେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୯ରେ ପହଞ୍ôଚଛି। ଓଡ଼ିଶା ହାଇକୋର୍ଟର ସମସ୍ତ ବିଚାରପତି, ରାଜ୍ୱସ ମନ୍ତ୍ରୀ ସୁରେଶ ପୂଜାରୀ, ପୁଲିସ କମିଶନର କଟକ ଡିସିପିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ଆଇନଜୀବୀ ଯୋଗ ଦେଇଥିଲେ । ସୂଚନାଯୋଗ୍ୟ, ଜଷ୍ଟିସ ଶ୍ରୀପଦ ୧୯୮୯ ମସିହାରେ ଜଣେ ଆଇନଜୀବୀ ଭାବେ ନିଜର ପେଶାଗତ ଜୀବନ ଆରମ୍ଭ କରିଥିଲେ । କର୍ଣ୍ଣାଟକ ଏବଂ ମାଡ୍ରାସ ହାଇକୋର୍ଟରେ ସେ ଜଣେ କଂଷ୍ଟିଚ୍ୟୁସନାଲ ଓକିଲ ଭାବେ ବେଶ ସୁନାମ ଅର୍ଜନ କରିଥିଲେ । ପରବର୍ତ୍ତୀକାଳରେ ସେ ଭାରତୀୟ ନିର୍ବାଚନ କମିଶନ, ୟୁନିଭରସିଟି ଗ୍ରାଣ୍ଟ କମିଶନଙ୍କ ଓକିଲ ଭାବେ ବେଶ୍ ଦକ୍ଷତାର ସହିତ କାର୍ଯ୍ୟ କରିଥିଲେ । ୨୦୧୪ ମସିହାରେ ସେ ଆସିଷ୍ଟାଣ୍ଡ ସଲିସିଟର ଜେନେରାଲ ଭାବେ ଭାରତ ସରକାରଙ୍କ ପାଇଁ କାର୍ଯ୍ୟ କରିଥିଲା ବେଳେ ୨୦୧୮ ମସିହା ଫେବୃଆରୀ ୧୪ ତାରିଖରେ ତାଙ୍କୁ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଥିଲା ।