ବିପଦ ସଙ୍କେତ ଉପରେ ମହାନଦୀ ଓ କମେଇ

ବନ୍ୟାଜଳରେ ବୁଡ଼ିରହିଛି ହଜାର ହଜାର ଏକର ଜମିର ଫସଲ

ଭୁବନେଶ୍ବର: ଗତ ୪ ଦିନ ହେବ ଲଘୁଚାପ ଜନିତ ଲଗାଣବର୍ଷା ତଥା ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଫଳରେ ମହାନଦୀରେ ବନ୍ୟା ସୃଷ୍ଟିହୋଇଛି । ମହାନଦୀର ବିପଦ ସଂକେତ ୪୭.୯୦ ମିଟର ରହିଥିବା ବେଳେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ୪୮.୮୦ ମିଟର ରହିଛି । ସେହିଭଳି କମେଇ ନଦୀର ବିପଦ ସଂକେତ ୪୭.୪୩ ମିଟର ଥିବା ବେଳେ ଏବେ ଏହା ୪୮.୮୦ ମିଟର ଉପରେ ରହିଥିବା ବିଭାଗୀୟ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ । ତେବେ ମହାନଦୀର ଦକ୍ଷିଣ ପାଶ୍ୱର୍ ଧୋବାସାହି ନିକଟରେ ଥିବା ଡ୍ରେନେଜ୍ ସ୍ଲୁଇସ ଗେଟ୍‌ର ଲିକେଜ ପାଣି ଆସି ଯାତ୍ରାପଦା ତଳବଜାର ଠାରୁ ପେଟ୍ରୋଲ ପମ୍ପ ଓ ଧୋବାସାହି ରାସ୍ତା ଉପରେ ପ୍ରବାହିତ ହେଉଛି । ଏଥି ସହିତ ପଞ୍ଚାୟତ ପଛପାଶ୍ୱର୍ ପାହାଡ଼ରୁ ନିର୍ଗତ ବର୍ଷାଜଳ, ମାଧବଚୌ÷ାଧୁରୀ ପାଟଣା, କଂସାରୀସାହି ପାଟଣା, ବାପୁଜୀନଗର ଆଦି ଅଞ୍ଚଳର ଡ୍ରେନ୍ ପାଣି ସହ ମିଶି ପୂତିଗନ୍ଧମୟ ପରିବେଶ ସୃଷ୍ଟିକରୁଛି । ସେହିପରି ମହାନଦୀ ଓ କମେଇ ବନ୍ୟାଜଳ ଆଖପାଖରେ ଥିବା ସମସ୍ତ ଶସ୍ୟକ୍ଷେତ୍ର ଉପରେ ସମ୍ପୂର୍ଣ୍ଣ ବୁଡାଇ ରଖିଛି । ସଂପ୍ରତି ଘଣାଶାଳିଆ, ବାଣପୁର, ଲକ୍ଷ୍ମୀପ୍ରସାଦ, ପଥରଚକଡା ଆଦି ନଦୀକୂଳିଆ ଚାଷୀମାନେ ପନିପରିବା, ମକା ଆଦି ଫସଲ କରିଥିବା ବେଳେ ସଂପୃକ୍ତ ଜମିରେ ବନ୍ୟାଜଳ ପ୍ରବେଶ କରି ଚାଷୀମାନଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି । ସେହିପରି ମହାନଦୀର ବନ୍ୟାଜଳ ସିଧାମୂଳା ସେତୁ ଠାରୁ ଗୋକୁଳାନନ୍ଦ ଜୀଉ ପୀଠକୁ ସଂଯୋଗ କରୁଥିବା ରାସ୍ତା ଉପରେ ପ୍ରବାହିତ ହୋଇ ଯାତାୟାତରେ ସମସ୍ୟା ସୃଷ୍ଟିକରିଛି । ବନ୍ୟାଜଳ ହଜାର ହଜାର ଏକର ଧାନ, ଆଖୁ,ମକା, ଓ ପନି ପରିବା ଫସଲକୁ ବୁଡାଇ ଚାଷୀମାନଙ୍କ ମଧ୍ୟରେ ହତାଶା ଭାବ ସୃଷ୍ଟି କରିଥିବା ବେଳେ ମହାନଦୀରେ ୧୨ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଥିଲେ ମଧ୍ୟ ସେପରି କୌଣସି ବିପଦ ନଥିବା କଣ୍ଟିଲୋ ଜଳ ସଂପଦ ବିଭାଗ ସହକାରୀ ଯନ୍ତ୍ରୀ ରାମମୋନ ବେହେରା ସୂଚନା ଦେଇଛନ୍ତି । ମହାନଦୀ ଦକ୍ଷିଣ ପାଶ୍ୱର୍ ମାଳବନ୍ଧର ସୁରକ୍ଷାକୁ ନଜରରେ ରଖି ଆଜି ଖଣ୍ଡପଡା ତହସିଲଦାର ପାର୍ଥ ସାରଥୀ ହାଁସଦା, ନୟାଗଡ ଜଳ ସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ ଭଗବାନ ଚନ୍ଦ୍ର ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପ୍ରାଣକୃଷ୍ଣ ବେହେରା ଓ ସହକାରୀ ଯନ୍ତ୍ରୀ ରାମ ମୋହନ ବେହେରା ପ୍ରମୁଖ କଣ୍ଟିଲୋଠାରେ ଅବସ୍ଥାନ କରି ବନ୍ୟା ପରିସ୍ଥିତିର ସ୍ଥିତି ଅନୁଧ୍ୟାନ କରୁଥିବା ଜଣାଯାଇଛି । ଅପରପକ୍ଷରେ ବନ୍ୟା ପରିସ୍ଥିତି ଯୋଗୁ ବିଭିନ୍ନ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଛାତଛାତ୍ର୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ଶିକ୍ଷା ଅଧିକାରୀ ଅକ୍ରୁର ବାରିକ କଣ୍ଟିଲୋ ସମେତ ଖଣ୍ଡପଡା ବ୍ଳକର ୧୦ଟି, ଭାପୁର ବ୍ଳକର ୧୨ଟି ଓ ଗଣିଆ ବ୍ଳକର ୯ଟି ବିଦ୍ୟାଳୟକୁ ଛାତ୍ରୀଛାତ୍ର ନଯିବା ପାଇଁ ଶ୍ରେଣୀକୁ ସସପେଣ୍ଡ କରାଯାଇଥିବା ଖଣ୍ଡପଡା ଶିକ୍ଷାଧିକାରୀ ଜୟନ୍ତୀ ସାହୁଙ୍କ ଠାରୁ ପ୍ରକାଶ ।

Related Articles

Leave a Reply

Your email address will not be published.

Back to top button