ଦେଶରେ ସଂକ୍ରମଣ ସଂଖ୍ୟା ୨ କୋଟି ଟପିଲା
ନୂଆଦିଲ୍ଲୀ : ଦେଶରେ ଧିରେଧିରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଆଗକୁ ମଧ୍ୟ ଏହି ହ୍ରାସ ଧାରା ଜାରି ରହିବ ବୋଲି ଆଶା କରାଯାଉଛି । ତଥାପିବି ଦୈନିକ ସଂକ୍ରମଣ ଚିନ୍ତାଜନକ ସ୍ଥିତିରେ ରହିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୩ ଲକ୍ଷ ୫୭ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ଟପିଯାଇଛି । ଗତ ତିନିଦିନ ଧରି କରୋନା ସଂକ୍ରମଣରେ ହ୍ରାସ ପରିଲକ୍ଷିତ ହୋଇଛି । ଅନେକ ରାଜ୍ୟରେ ଲକଡାଉନ ଓ ସଟଡାଉନ ଭଳି ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି । ସମ୍ପ୍ରତି ଦେଶରେ ୩୪ ଲକ୍ଷ କରୋନା ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । ଯେତେବେଳେକି ୧.୬୬ କୋଟି ସଂକ୍ରମିତ ସୁସ୍ଥ ହୋଇଛନ୍ତି । ତେବେ ଗତ ୨୪ ଘଂଟା ମଧ୍ୟରେ ୩୪୪୯ ଜଣ ମୃତ୍ୟୁ ବରଣ କରିଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୨.୨୨ ଲକ୍ଷ ଟପିଯାଇଛି । ବିଶେଷକରି ପ୍ରଥମ ଥର ପାଇଁ ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ୫୦ ହଜାର ତକଳୁ ଖସିଛି । ଗତ ୨୪ ଘଂଟା ମଧ୍ୟରେ ମହାରାଷ୍ଟ୍ରରେ ୪୮୬୨୧ ଜଣ ସଂକ୍ରମିତ ହୋଇଥିବାବେଳେ ମୋଟ ସଂକ୍ରମଣ ସଂଖ୍ୟା ୪୭ ଲକ୍ଷ ୭୧ ହଜାରରେ ପହଁଚିଛି । ଏଯାବତ ମହାରାଷ୍ଟ୍ରରେ ୭୦୫୮୧ ଜଣ କରୋନାରେ ପ୍ରାଣ ହରାଇ ସାରିଲେଣି ।