ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନଖଡ଼
ନୂଆଦିଲ୍ଳୀ: ଦେଶର ୧୪ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଜଗଦୀପ ଧନଖଡ଼ । ରାଷ୍ଟ୍ରପତି ଭବନରେ ଜଗଦୀପ ଧନଖଡ଼ଙ୍କୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥପାଠ କରାଇଛନ୍ତି । ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ସୂଚନା ଥାଉକି ଗତ ୬ ତାରିଖରେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ବିରୋଧୀ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗେଟ୍ ଆଲଭାଙ୍କୁ ପରାସ୍ତ କରିଥିଲେ । ଜଗଦୀପ ଧନଖଡ଼ ତାଙ୍କର ରାଜନୈତିକ କ୍ୟାରିୟର ଜନତା ଦଳରୁ ଆରମ୍ଭ କରିଥିଲେ । ୧୯୮୯ରେ ଧନଖଡ଼ ସାଂସଦ ହୋଇଥିଲେ । ପରେ ପରେ ଧନଖଡ଼ କେନ୍ଦ୍ର ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ସମ୍ଭାଳିଛନ୍ତି । ୧୯୯୧ରେ ଯେତେବେଳେ ଜନତା ଦଳ ଲୋକସଭା ପାଇଁ ତାଙ୍କ ଟିକେଟ୍ କାଟିଥିଲା । ସେତେବେଳେ ସେ କଂଗ୍ରେସରେ ସାମିଲ ହୋଇଥିଲେ । ୧୯୯୩ ମସିହାରେ କଂଗ୍ରେସରୁ ମଧ୍ୟ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରେ ୨୦୦୩ ମସିହାରେ ଧନଖଡ଼ ବିଜେପିରେ ସାମିଲ ହୋଇଥିଲେ । ୨୦୧୯ରେ ଜଗଦୀପ ଧନଖଡ଼ ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ଦାୟିତ୍ୱ ସମ୍ଭାଳିଲେ ।