ଆସାମରେ କଂଗ୍ରେସ କ୍ଷମତାକୁ ଆସିଲେ, ଲାଗୁ ହେବନି ସିଏଏ : ରାହୁଲ

ନୂଆଦିଲ୍ଲୀ: ଶୁକ୍ରବାର କଂଗ୍ରେସର ପୂର୍ବତନ ସଭାପତି ରାହୁଲ୍ ଗାନ୍ଧି ଆସାମରେ ନିର୍ବାଚନ ପ୍ରଚାର କରିଥିବା ବେଳେ ଆଗାମୀ ବିଧାନସଭା ନିର୍ବାଚନରେ ଦଳକୁ ବହୁମତ ମିଳିଲେ, ଏହି ଉତ୍ତର-ପୂର୍ବ ରାଜ୍ୟରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଲାଗୁ ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଦିବ୍ରୁଗଡ଼ଠାରେ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା ବେଳେ ରାହୁଲ୍ ଏପରି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ରାହୁଲ୍ ଆରଏସଏସ୍‌କୁ ଆକ୍ରମଣ କରି କହିଛନ୍ତି ଯେ ଦେଶରେ ଗଣତାନ୍ତ୍ରିକ ମୂଲ୍ୟବୋଧର ଅଧୋପତନ ଘଟିଛି। ଦେଶର ଯୁବପିଢ଼ି ବେକାର ବସିଥିବାା ବେଳେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଦେଶର ନାଗରିକମାନଙ୍କ ଉପରେ ନିଜର ନାଗରିକତା ପ୍ରମାଣ କରିବାର ଡେମୋକ୍ଲିସ୍ ଖଣ୍ଡା ମଧ୍ୟ ଝୁଲୁଛି। ଦିଲ୍ଲୀରେ ପହଞ୍ଚୁଥିବା କୌଣସି ଆସାମ ବାସିନ୍ଦାଙ୍କୁ ଆମେ ତାଙ୍କର ସଂସ୍କୃତି, ଭାଷା ଭୁଲିଯିବାକୁ କଦାପି ବାଧ୍ୟ କରିପାରିବା ନାହିଁ। ତେବେ ନାଗପୁରରେ ଜନ୍ମଗ୍ରହଣ କରିଥିବା ଗୋଟିଏ ଶକ୍ତି ସମଗ୍ର ଦେଶକୁ ପରିଚାଳିତ କରୁଛି ବୋଲି ରାହୁଲ୍ କହିଛନ୍ତି। ସେହିପରି ରାହୁଲ୍ ଦିବ୍ରୁଗଡ଼ର ଦିନଜୟଠାରେ ଚା’ ବଗିଚାରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ଆଗାମୀ ଦିନରେ କଂଗ୍ରେସ କ୍ଷମତାକୁ ଆସିଲେ, ଚା’ କ୍ଷେତ୍ର ପାଇଁ ଏକ ସ୍ବତନ୍ତ୍ର ମନ୍ତ୍ରାଳୟ ଗଠନ କରାଯିବ। ଏହି ମନ୍ତ୍ରାଳୟ ଚା’ ବଗିଚାରେ କାର୍ଯ୍ୟ କରୁଥିବା ପ୍ରତିଟି ଶ୍ରମିକଙ୍କ ସମସ୍ୟାର ସମାଧାନ କରିପାରିବ ବୋଲି ରାହୁଲ୍ କହିଛନ୍ତି। ସେହିପରି ରାହୁଲ୍ କହିଛନ୍ତି ଯେ କଂଗ୍ରେସ ତା’ର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିବା ସମୟରେ ଚା’ ବଗିଚାରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପରାମର୍ଶ ନିଆଯାଇଛି। କିନ୍ତୁ ଅନ୍ୟ ଦଳର ନେତାମାନେ ଏପରି ନିର୍ବାଚନୀ ଇସ୍ତାହାର ବନ୍ଦ କୋଠରୀ ଭିତରେ ପ୍ରସ୍ତୁତ କରିଥାନ୍ତି ବୋଲି ରାହୁଲ୍ କହିଛନ୍ତି। ଏହାଛଡ଼ା ରାହୁଲ୍ ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସ ସପକ୍ଷରେ ଭୋଟ୍ ଦେବା ସକାଶେ ଭୋଟରମାନଙ୍କୁ ଆହୁରି ମଧ୍ୟ କିଛି ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି ଯେ ବିଜେପି ଚା’ ଶ୍ରମିକମାନଙ୍କୁ ମଜୁରୀ ୩୫୧ ଟଙ୍କା ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଦେଇଛି ମାତ୍ର ୧୬୭ ଟଙ୍କା। କିନ୍ତୁ ମୁଁ ନରେନ୍ଦ୍ର ମୋଦୀ ନୁହେଁ ଯେ ସବୁ କଥାରେ ମିଛ କହିବି। ଆଜି ଏହି ମଞ୍ଚ ଉପରେ ମୁଁ ୫ଟି ପ୍ରତିଶ୍ରୁତି ଦେଉଛି। ଆସାମରେ ଆମେ ସରକାର ଗଠନ କଲେ, ଚା’ ବଗିଚାରେ କାମ କରୁଥିବା ଶ୍ରମିକଙ୍କୁ ଦୈନିକ ପାରିଶ୍ରମିକ ୩୬୫ ଟଙ୍କା ପ୍ରଦାନ କରାଯିବ। ସିଏଏ ବିରୋଧରେ ସ୍ବର ଉତ୍ତୋଳନ କରାଯିବ, ୫ ଲକ୍ଷ ଯୁବପିଢ଼ିକୁ ଚାକିରି ଦିଆଯିବ, ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ମାଗଣାରେ ବ୍ୟବହାର ପାଇଁ ସୁଯୋଗ ଦିଆଯିବ ଏବଂ ପ୍ରତି ଘରର ମହିଳା ମୁଖ୍ୟଙ୍କୁ ୨ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ରାହୁଲ୍ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ ଆସାମରେ ଆସନ୍ତା ମାର୍ଚ୍ଚ ୨୭ରୁ ଭୋଟ୍ ଗ୍ରହଣ ଆରମ୍ଭ ହେବ। ୧୨୬ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ତିନି ରାଉଣ୍ଡ୍ ଭୋଟ୍ ଗ୍ରହଣ ହେବ। ଶେଷରେ ମେ’ ୨ ତାରିଖରେ ଫଳାଫଳ ଘୋଷଣା ହେବା କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଛି।

Related Articles

Leave a Reply

Your email address will not be published.

Back to top button